ଚଳିତ ବର୍ଷ ଦୀପାବଳିରେ ରହିବ ସୂର୍ଯ୍ୟପରାଗର ଛାଇ! ଜାଣନ୍ତୁ କେମିତି ହେବ ପୂଜାବିଧି

ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, ଦୀପାବଳି ପର୍ବ କାର୍ତ୍ତିକ ମାସ ଅମାବାସ୍ୟାରେ ପଡ଼ିଥାଏ। ଚଳିତ ବର୍ଷ ଦୀପାବଳି ୨୪ ଅକ୍ଟୋବରରେ ପାଳନ କରାଯିବ। କିନ୍ତୁ ଏଥର ଦୀପାବଳି ପରଦିନ ହିଁ ବର୍ଷର ଶେଷ ସୂର୍ଯ୍ୟପରାଗ ଲାଗୁଛି। ଏମିତି ସ୍ଥିତିରେ ଦୀପାବଳିରେ ହେଉଥିବା ମା’ ଲକ୍ଷ୍ମୀଙ୍କ ପୂଜା ଏବଂ ଗୋବର୍ଦ୍ଧନ ପୂଜାକୁ ନେଇ ଲୋକଙ୍କ ମନରେ ଆଶଙ୍କା ଦେଖାଦେଇଛି। ଆସନ୍ତୁ ଜାଣିବା, ସୂର୍ଯ୍ୟପରାଗ ଯୋଗୁ ଦୀପାବଳିରେ ଲକ୍ଷ୍ମୀ ପୂଜା ଓ ଗୋବର୍ଦ୍ଧନ ପୂଜା ଉପରେ କ’ଣ ପ୍ରଭାବ ପଡ଼ିବ ଏବଂ ହାଣ୍ଡିଛାଡ଼ କେତେବେଳୁ ଆରମ୍ଭ ହେବ ଓ କେତେ ସମୟ ପର୍ଯ୍ୟନ୍ତ ରହିବ।

ଦୀପାବଳି କାର୍ତ୍ତିକ ମାସର ଅମାବାସ୍ୟା ତିଥିରେ ପଡ଼ିଥାଏ। ଚଳିତ ବର୍ଷର କାର୍ତ୍ତିକ ମାସ ଅମାବାସ୍ୟା ତିଥି ୨୪ ଅକ୍ଟୋବର ସନ୍ଧ୍ୟା ୫ଟା ୨୮ ମିନିଟ୍‌ରୁ ଆରମ୍ଭ ହେଉଛି, ଯାହାକି ୨୫ ଅକ୍ଟୋବର ଅପରାହ୍ନ ୪ଟା ୧୮ ମିନିଟ୍‌ ପର୍ଯ୍ୟନ୍ତ ରହିବ। ତେଣୁ ଦୀପାବଳି ୨୪ ଅକ୍ଟୋବର ରାତିରେ ହିଁ ପାଳନ କରିବା ଶୁଭ ହେବ। ବଡ଼ କଥା ହେଉଛି, ଚଳିତ ବର୍ଷ ୨୫ ଅକ୍ଟୋବରରେ ବର୍ଷର ଶେଷ ସୂର୍ଯ୍ୟପରାଗ ଲାଗୁଛି।

କ୍ୟାଲେଣ୍ଡର ଅନୁସାରେ, ବର୍ଷର ଶେଷ ସୂର୍ଯ୍ୟପରାଗ ୨୫ ଅକ୍ଟୋବର ଦ୍ୱିପ୍ରହର ୨ଟା ୨୯ ମିନିଟ୍‌ରେ ଲାଗିବ। ଏହାର ସୂତକ କାଳ (ହାଣ୍ଡିଛାଡ଼) ୧୨ ଘଣ୍ଟା ପୂର୍ବରୁ ଅର୍ଥାତ୍‌ ୨୪ ଅକ୍ଟୋବରର ମଧ୍ୟରାତ୍ରି ୨ଟା ୩୦ ମିନିଟ୍‌ରୁ ଆରମ୍ଭ ହୋଇଯିବ। ଯଦିଓ ଏହି ସୂର୍ଯ୍ୟପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ। ତେଣୁ ଭାରତରେ ଏହାର ମାନ୍ୟ ରହିବ ନାହିଁ। ଏହି କାରଣରୁ ଦୀପାବଳି ଲକ୍ଷ୍ମୀ ପୂଜାରେ ସୂର୍ଯ୍ୟପରାଗର କୌଣସି ପ୍ରଭାବ ପଡ଼ିବ ନାହିଁ ଏବଂ ଲୋକେ ଆରାମରେ ବିଧି ବିଧାନର ସହ ପୂଜା କରି ଦୀପାବଳି ପର୍ବ ପାଳନ କରି ପାରିବେ।

ଗୋବର୍ଦ୍ଧନ ପୂଜା ଦୀପାବଳି ପରଦିନ ପାଳନ କରାଯାଇଥାଏ ଏବଂ ଚଳିତ ବର୍ଷ ଏହି ଦିନ ସୂର୍ଯ୍ୟପରାଗ ଲାଗୁଛି। ଯେହେତୁ ସୂର୍ଯ୍ୟପରାଗ ଭାରତରେ ଦେଖାଯିବ ନାହିଁ, ତେଣୁ ଗୋବର୍ଦ୍ଧନ ପୂଜା ପାଳନ କରିବାରେ କୌଣସି ସମସ୍ୟା ହେବ ନାହିଁ।

ଗର୍ଭବତୀଙ୍କ ଉପରେ ପ୍ରଭାବ

ଅନେକ କାର୍ଯ୍ୟକଳାପ ସୂର୍ଯ୍ୟପରାଗ ସମୟରେ ନିଷେଧ ବୋଲି ବିବେଚନା କରାଯାଏ। କୁହାଯାଏ, ଏହି ସମୟ ମଧ୍ୟରେ ନକାରାତ୍ମକ ଶକ୍ତିର ପ୍ରଭାବ ବହୁତ ଅଧିକ ରହିଥାଏ। ତେଣୁ କିଛି ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ବିଶେଷ କରି, ଗର୍ଭବତୀ ମହିଳାମାନେ ସୂର୍ଯ୍ୟପରାଗ ସମୟରେ ଅଧିକ ସତର୍କ ହେବା ଉଚିତ୍‌।

ବିଶ୍ୱାସ କରାଯାଏ, ଜନ୍ମିତ ଶିଶୁ ଉପରେ ସୂର୍ଯ୍ୟପରାଗର ଖରାପ ପ୍ରଭାବ ପଡ଼ିଥାଏ। ତେଣୁ ଗର୍ଭବତୀ ମହିଳାମାନେ ଅଧିକ ସଚେତନ ହେବା ଆବଶ୍ୟକ। ସୂର୍ଯ୍ୟପରାଗ ସମୟରେ କିଛି ଖାଇବା କିମ୍ବା ପିଇବା ପ୍ରତି ଧ୍ୟାନ ଦେବାକୁ ଗର୍ଭବତୀ ମହିଳା ମାନଙ୍କୁ ପରାମର୍ଶ ଦିଆଯାଇଥାଏ। କାରଣ ବିଶ୍ୱାସ ରହିଛି, ଏହି ସମୟ ମଧ୍ୟରେ ରଖା ଯାଇଥିବା ଖାଦ୍ୟ ନଷ୍ଟ ହୋଇଯାଏ। ସୂର୍ଯ୍ୟପରାଗର କୁପ୍ରଭାବକୁ ଏଡାଇବା ପାଇଁ ଗର୍ଭବତୀ ମହିଳା ମାନେ ତୁଳସୀ ପତ୍ରକୁ ଜିଭରେ ରଖି ହନୁମାନ ଚାଳିଶା ଓ ଦୁର୍ଗା ସ୍ତୁତି ପାଠ କରିବା ଉଚିତ୍।

Leave A Reply

Your email address will not be published.