କାମାକ୍ଷାନଗର: ପରିବେଶ ସୁରକ୍ଷାକୁ ନେଇ ବହୁତ ଚିନ୍ତା । ପରିବେଶ ପାଇଁ ସବୁକିଛି ଯେମିତି ଭୁଲିଯାଇଛନ୍ତି ସେ । ଏକେଉଁ ମନଗଢା କାହାଣୀ କି ସିନେମାର ଦୃଶ୍ୟ ନୁହେଁ, ଜଣେ ମଣିଷ ଜୀବନର ବାସ୍ତବିକ ଘଟଣା । ଯାହାକି ମନକୁ ଛୁଇଁଲା ଭଳି କଥାଟିଏ । ଏସମାଜରେ ସଭିଏ ନିଜ ନିଜ କାମରେ ବ୍ୟସ୍ତ । କାହାକୁ କାହା କଥା ଭାବିବାକୁ ବି ସମୟ ନାହିଁ । ଏହାରି ଭିତରେ କିନ୍ତୁ ଜଣେ ଯୁବକ କିଛି ଭିନ୍ନ କରି ଆଜି ଚର୍ଚ୍ଚାରେ ।
ପରିବେଶ ସଚେତନତା ଓ ବୃକ୍ଷରୋପଣର ବାର୍ତ୍ତା ନେଇ ଆନ୍ଧ୍ରପ୍ରଦେଶର ଚିପୁରୁପଲ୍ଲୀରୁ ସୂଦୁର ନେପାଳ ପର୍ଯ୍ୟନ୍ତ ସାଇକେଲ ଯାତ୍ରା । ଏଭଳି କଷ୍ଟସାଧ୍ୟ ଯାତ୍ରା କରି ଦୀର୍ଘ ୧୦ ଦିନରେ ପ୍ରାୟ ୧୦୦୦ କିଲୋମିଟର ଅତିକ୍ରାନ୍ତ କରି କାମାକ୍ଷାନଗରରେ ପହଞ୍ଚିଛନ୍ତି ଆନ୍ଧ୍ରପ୍ରଦେଶର ୨୨ ବର୍ଷୀୟ ଯୁବକ ହରି କ୍ରିଷ୍ଣା ।
ଅସନ୍ତୁଳନ ପରିବେଶକୁ ସୁରକ୍ଷା ପ୍ରଦାନ କରିବା ପାଇଁ ବ୍ୟାପକ ବୃକ୍ଷରୋପଣ କରିବା ସହ ସଚେତନତା କରିବା ଲକ୍ଷ୍ୟ ନେଇ ଦୀର୍ଘ ୨୦୦୦ କିଲୋମିଟରର ସାଇକେଲ ଯାତ୍ରା କରୁଛନ୍ତି ହରିକ୍ରୀଷ୍ଣା । ୧୦ ଦିନ ପୂର୍ବେ ଚିପୁରୁପଲ୍ଲୀରୁ ବାହାରି ଆଜି କାମାକ୍ଷାନଗରରେ ପହଞ୍ଚି ଲୋକଙ୍କୁ ସଚେତନ କରାଉଛନ୍ତି ହରି । ଅଧିକରୁ ଅଧିକ ଗଛ ଲଗାଇବା ପାଇଁ ସମସ୍ତଙ୍କୁ ସଚେତନତା କରିବାର ଲକ୍ଷ୍ୟ ରଖିଛନ୍ତି ସେ ।
ହୁଏତ ଆପଣ ପ୍ରତିଦିନ ଦେଖୁଥିବେ ଏଭଳି ମଣିଷକୁ କିନ୍ତୁ ନଜର ଅନ୍ଦାଜ କରି ଯାଉଥିବେ । ଆଜି ଆମ ଦୃଷ୍ଟିରେ ଦେଖନ୍ତୁ ତାଙ୍କୁ । ସତ କହିବାକୁ ଗଲେ ଏଦୁନିଆରେ ଏମିତି କିଛି କାମ ନାହିଁ ଯାହା ଅସମ୍ଭବ । ସବୁ ଅସମ୍ଭବକୁ ସମ୍ଭବ କରିବାର ଦକ୍ଷତା କେବଳ ଏଇ ମଣିଷ ପାଖରେ ହିଁ ଅଛି । ତେବେ ଯେଉଁ ଲକ୍ଷ ନେଇ ହରି କ୍ରିଷ୍ଣା ଏହି ସାଇକେଲ ଯାତ୍ରା ଆରମ୍ଭ କରିଛନ୍ତି ତାହା କେତେଦୁର ସଫଳ ହେବ ତାହା ସମୟ ହିଁ କହିବ ।