ଚର୍ଚ୍ଚାରେ ଜଗତସିଂହପୁର ଜ଼ିଲ୍ଲାର ଏହି ଚା ଦୋକାନୀ, ଦେଖିବାକୁ ଅବିକଳ ଆମ ମୁଖ୍ୟମନ୍ତ୍ରୀଙ୍କ ଭଳି

ଜଗତସିଂପୁର: ଜଣେ ଚା ଦୋକାନୀ ଯିଏକି ଦେଖିବାକୁ ପୁରା ଅବିକଳ ଆମ ମୁଖ୍ୟମନ୍ତ୍ରୀଙ୍କ ଭଳି । ଏଭଳି ଦୃଶ୍ୟ ଦେଖିବାକୁ ଲୋକମାନଙ୍କ ଉତ୍ସାହ କହିଲେ ନସରେ । କଥାଟା ହେଲାକି , ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅବିକଳ ରୂପ ନେଇ ଏବେ ଚର୍ଚ୍ଚାରେ ଜଗତସିଂହପୁର ଅଞ୍ଚଳର ଉମେଶ କୁମାର ସାହୁ । ମୁଖ୍ୟମନ୍ତ୍ରୀଙ୍କ ବେଶଭୂଷା ଓ ଚେହେରା ସହିତ ଅବିକଳ ମିଶି ଯାଉଥିବା ଉମେଶ ବର୍ତ୍ତମାନ ଚାରିଆଡେ ଚର୍ଚ୍ଚିତ । ଯିଏ ବି ଦେଖୁଛି ଭ୍ରମରେ ପଡି ଯାଉଛି । ଦେଖୁନାହାନ୍ତି ଅବିକଳ ଯେମିତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଠିଆ ହୋଇଛନ୍ତି, ସେହିଭଳି ଲାଗୁଛି ।
ଏଭଳି ଜଣେ ଯୁବକ ବର୍ତ୍ତମାନ ସାରା ଜଗତସିଂପୁର ଜିଲ୍ଲାରେ ଚର୍ଚ୍ଚାରେ । ତାଙ୍କ ଘର ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ପୁନଙ୍ଗ ଗ୍ରାମ ପଂଚାୟତର ପୁନଙ୍ଗ ଗ୍ରାମରେ । ପିତା ଶୁକଦେବ ସାହୁ, ମାଆ ସଞ୍ଜୁଲତା ସାହୁଙ୍କ ବଡପୁଅ ଉମେଶ କୁମାର ସାହୁ ଓରଫ କାହ୍ନୁ । ବାପା ,ମାଆ, ସ୍ତ୍ରୀ, ସାନଭାଇ ,ପୁତୁରା ,ଝିଆରୀଙ୍କୁ ନେଇ ତାଙ୍କ ସଂସାର । ପୁନଙ୍ଗ ପଂଚାୟତ ବାରଙ୍ଗ ଛକରେ ଏକ ଛୋଟ ଚା ଦୋକାନଟିଏ କରି ନିଜର ପରିବାର ଚଳାଉଛନ୍ତି ଉମେଶ । ତେବେ ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭଲ ପାଉଥିବା ଜଣେ ଯୁବକ ଉମେଶ । ଜିଲ୍ଲାରେ ଯେକୌଣସି ସ୍ଥାନରେ ବିଜେପିର ସଭାସମିତି ହେଉଥିଲେ ସେ ପ୍ରଥମେ ସେଠାରେ ପହଞ୍ଚିଯାଆନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବେଶରେ ।
ରାଜ୍ୟରେ ବିଜେପି ସରକାର ଓ ମୁଖ୍ୟମନ୍ତ୍ରୀଭାବେ ମୋହନ ଚରଣ ମାଝୀ ଦାୟିତ୍ୱ ନେବା ପରେ ତାଙ୍କର ବର୍ତ୍ତମାନ କ୍ରେଜ୍ ବଢିଯାଇଛି । କେତେ ଜଣ ବନ୍ଧୁ ଓ ବଡ଼ ଭାଇମାନେ ତାଙ୍କ ଚେହେରା ମୁଖ୍ୟମନ୍ତ୍ରୀଙ୍କ ସହ ଖାପ ଖାଉଥିବାର ପ୍ରଥମେ ଜଣେଇଥିଲେ । ପରବର୍ତ୍ତୀ ସମୟରେ ନିଜ ବନ୍ଧୁମାନଙ୍କ ପରାମର୍ଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ପରି ପୋଷାକ ପରିଧାନ କରି ବିଜେପିର ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ଆସୁଛନ୍ତି ସେ । ଏହାସହ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ତାଙ୍କୁ ଲୋକମାନେ ଦେଖି ଭ୍ରମରେ ମଧ୍ୟ ପଡିଯାଉଛନ୍ତି । ତେବେ ସତ ଜାଣିବାପରେ ଏବେ ତାଙ୍କ ସହିତ ଫୋଟୋ ଉଠାଇବା ସହିତ ସେଲଫି ବି ନେଉଛନ୍ତି ଅନେକ ଲୋକ ।
ଏହା ମଧ୍ୟରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ମନ୍ତ୍ରୀ ସମ୍ପଦ ସ୍ୱାଇଁ, ସାଂସଦ ଡଃ ବିଭୁପ୍ରସାଦ ତରାଇ, ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସଙ୍କ ସହିତ ଯୋଡି ହୋଇ ରହିଥିବାର ଦେଖିବାକୁ ମିଳୁଛି । ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସଙ୍କର ମଧ୍ୟ ସେ ଜଣେ ଦୃଢ଼ ସମର୍ଥକ । ନେତା ମାନେ ମଧ୍ୟ ତାଙ୍କୁ ବେଶ ଆଦୃତ କରିଛନ୍ତି।
ତାଙ୍କ ସହ ବାର୍ତ୍ତାଳାପ ପରେ ସେ ନିଜ ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୀର୍ଘ ଜୀବନ କାମନା କରିବା ସହ ମୁଖ୍ୟମନ୍ତ୍ରୀ ରାଜ୍ୟଭାର ଦୀର୍ଘ ବର୍ଷ ସମ୍ଭାଳି ଅସହାୟ ଗରିବ ଲୋକମାନଙ୍କର ସେବା କରନ୍ତୁ ବୋଲି କାମନା କରିଛନ୍ତି । ତେବେ ତାଙ୍କ ଚେହେରା ମୁଖ୍ୟମନ୍ତ୍ରୀଙ୍କ ସହିତ ମିଶୁଥିବାରୁ ସେ ବହୁତ ଖୁସି ବୋଲି କହିଛନ୍ତି ।