ଚୂନା ହୋଇଗଲା ସୁନା ସଂସାର: ଅନାଥ ତିନି ଛୁଆଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଜେଜେ ମାଆ

ଲମତାପୁଟ : ଆଗ ପଛ ହୋଇ ଆରପାରିକୁ ଚାଲିଗଲେ ବାପା ଓ ମାଆ । ଦେଖୁ ଦେଖୁ ଆଖି ସାମ୍ନାରେ ଚୂନା ହୋଇଗଲା ସୁନା ସଂସାର । ଅନାଥ ହୋଇଗଲେ ତିନି ତିନି ଜଣ ନିରୀହ ଛୁଆ । ଏବେ କେମିତି ଗଢିବେ ତିନି ଛୁଆଙ୍କ ଭବିଷ୍ୟତ ସେଇ ଚିନ୍ତାରେ ଜେଜେମାଆ ଜେଜେ ବାପା । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ବାଡେଲ୍ ପଞ୍ଚାୟତ ଖମରା ଗାଁରେ ।

ଖମରା ଗାଁର ଦାମ ଖରା ଓ କୌଶଲ୍ୟା ଖରାଙ୍କ ପରିବାର । ବୁଢା ବାପା ମାଆଙ୍କ ସହ ତିନି ପୁଅ ଝିଅଙ୍କୁ ନେଇ ବେଶ୍ ହସ ଖୁସିରେ ପରିବାର ଚାଲିଥିଲା । କିନ୍ତୁ ସତେ ଯେପରି କାହାର ନଜର ଲାଗିଗଲା ପରିବାର ଉପରେ । ସ୍ତ୍ରୀ ପୁଅକୁ ଜନ୍ମ କରିବା ମାତ୍ରେ ଆଖି ବୁଜିଦେଲେ । ତାହାର ଠିକ୍ ୬ ବର୍ଷ ପରେ ଦାମ ମଧ୍ୟ ରୋଗରେ ପଡି ପଡି ଆରପାରିକୁ ଚାଲି ଗଲେ । କିନ୍ତୁ ପଛରେ ଛାଡ଼ି ଦେଇ ଗଲେ ତିନି ଛୋଟ ଛୋଟ ଶିଶୁଙ୍କୁ ।

ଦାମଙ୍କ ବୃଦ୍ଧା ମାଆ ବାପା ଏହି ବାପା ମାଆ ଛେଉଣ୍ଡ ତିନି ପିଲାଙ୍କୁ ଲାଳନ ପାଳନ କରିବା ସହ ବହୁ ଦୁଃଖ କଷ୍ଟରେ ବଡ଼ କରୁଛନ୍ତି । ଜେଜେ ବାପା ଓ ଜେଜେ ମାଆଙ୍କ ବୟସ ଅତ୍ୟଧିକ ହେତୁ ତିନି ପିଲାମାନଙ୍କୁ ଲାଳନ ପାଳନ କରିବା ଖୁବ୍ କଷ୍ଟକର ହେଉଛି । ଜେଜେ ବାପା ଭଲ ସେ ଚାଲି ବି ପାରୁ ନାହାଁନ୍ତି । କେବଳ ଜେଜେମା ଯାହା ଦିନ ମଜୁରୀ କରି ପରିବାର ଭରଣ ପୋଷଣ କରୁଛନ୍ତି ।ଏବେ ତିନି ଶିଶୁଙ୍କ ଭବିଷ୍ୟତକୁ ନେଇ ଏମାନେ ଚିନ୍ତାରେ ।

ବର୍ତ୍ତମାନ ତିନି ଶିଶୁ ଗାଁ ବିଦ୍ୟାଳୟରେ ପାଠ ପଢୁଥିବାବେଳେ, ଏହି ବାପା ମାଆ ଛେଉଣ୍ଡ ପିଲାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ସରକାରଙ୍କୁ ନିବେଦନ କରିଛନ୍ତି । ସରକାର ଯଦି ସହାୟତା ଯୋଗାଇ ଦେବେ ଏମାନେ ନିଜ ଭବିଷ୍ୟତ ଗଢିପାରିବେ । ଏହାସହ ଏହି ଦୁଃଖୀ ପରିବାରକୁ ଘର ଖଣ୍ଡିଏ ସହିତ ବୃଦ୍ଧ ଜେଜେ ବାପା, ଜେଜେ ମାଆଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଯୋଗାଇ ଦେବାକୁ ଦାବି କହିଛନ୍ତି ।

ଏପଟେ ଏନେଇ ଆମେ ନନ୍ଦପୁର ବିଡ଼ିଓ ଙ୍କୁ ଅବଗତ କରିଥିଲୁ । ସେ କହିଛନ୍ତି କି, ବିଭାଗୀୟ ଅଧିକାରୀ ମାନଙ୍କ ସହିତ କଥା ହୋଇଥିବାବେଳେ, ସେମାନେ ଖୁବ୍ ଶୀଘ୍ର ଆସି ଘଟଣାର ତଦନ୍ତ କରି ଉଚିତ୍ ପଦକ୍ଷେପ ନେବେ । ଏହି ପରିବାରକୁ ଖୁବ୍ ଶୀଘ୍ର ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗେଇ ଦେବା ପାଇଁ ଚେଷ୍ଟା କରିବେ । ତେବେ ଏହି ଖବର ପ୍ରସାରଣ ହେବା ପରେ ପ୍ରଶାସନ କେବେ ନିଜ ଦାୟିତ୍ୱ ତୁଲାଉଛି, ଏବଂ କେବେ ଏହି ପରିବାରକୁ ସହାୟତର ହାତ ବଢାଉଛି ତାକୁ ହିଁ ଅପେକ୍ଷା ।

ଆହୁରି ପଢନ୍ତୁ: ଭଙ୍ଗା ଦଦରା ଘରେ ଜୀବନ ବିତାଉଛନ୍ତି ୪୦୦ ପରିବାର, ଖରା ବର୍ଷା ଶୀତ ଦାଉରୁ ରକ୍ଷା ପାଇଁ କରୁଛନ୍ତି ସଂଘର୍ଷ