ରୋଜଗାର ଆଶା ନେଇ ବାହାର ରାଜ୍ୟକୁ ଯାଇଥିଲେ ହେଲେ ସବୁଦିନ ପାଇଁ ଚାଲିଗଲା ଜୀବନ

ଜୟପୁର: ଦି ପଇସା ଭଲ ରୋଜଗାର ଆଶା ମଉଳିଗଲା । ସବୁଦିନ ପାଇଁ ରୋଜଗାର ତ ଗଲା ଆଉ ଶେଷରେ ଚାଲିଗଲା ଜୀବନ । ସ୍ତ୍ରୀର ମୃତଦେହ ମଶାଣିରେ କିନ୍ତୁ ଗୁରୁତର ସ୍ୱାମୀ ତେଲେଙ୍ଗାନାରୁ ଆସି ଯାଉଛନ୍ତି ଜୟପୁର ଡାକ୍ତରଖାନାକୁ । କାରଣ ତେଲେଙ୍ଗାନାରୁ ଏକାଠି ଆସିଲା ଅକାରଣରେ ଚାଲିଯାଇଥିବା ତିନି ଜଣଙ୍କ ମୃତଦେହ ସହ ଜଣେ ଗୁରୁତର ବ୍ୟକ୍ତି । ଏଠାରେ ସ୍ପଷ୍ଟ କରୁଛୁ ତିନି ମୃତକଙ୍କ ମଧ୍ୟରେ ଅଛନ୍ତି ଦମ୍ପତି ରୁପୁ ହରିଜନ ଓ ସୁଲ ହରିଜନ ଏବଂ ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କ ପତ୍ନୀ ସୁନାମଣି ହରିଜନ ।
ଗାଁରେ ଏକାଠି ପହଁଚିଲା ତିନି ତିନିଟି ମୃତଦେହ । ଦୁଇ ପରିବାର ସହ ସମଗ୍ର ଗ୍ରାମବାସୀ ହୋଇଛନ୍ତି ଏକାଠି । ସମସ୍ତଙ୍କ ଆଖିରେ ଲୁହ । କିଏ କାହାକୁ ସମ୍ଭାଳିବା ସ୍ଥିତିରେ ହିଁ ନାହାନ୍ତି । ସେଦିନ ଥିଲା ୧୦ଜାନୁୟାରୀ । ତେଲେଙ୍ଗାନା ଚି଼ଭଭେମଲା ମଣ୍ଡଳର ଇଲାପୁରମ ଠାରେ ବିଳମ୍ବିତ ରାତି ଘଟିଥିଲା ଦୁର୍ଘଟଣା । ହାଇଦ୍ରାବାଦ ଯାଉଥିବା ଗୁପ୍ତା ବସ୍ ଦୁର୍ଘଟଣା ରେ ୫ଜଣ ଓଡ଼ିଆଙ୍କ ମୃତ୍ୟୁ ହୋଇଥିଲା । ସେମାନଙ୍କ ମଧ୍ୟରୁ ୩ଜଣ ଥିଲେ କୋରାପୁଟ ଜିଲ୍ଲାର ।
ବାହାର ରାଜ୍ୟକୁ ରୋଜଗାର କରିବା ଆଶା ନେଇ ସମସ୍ତଙ୍କୁ କହିକି ଯାଇଥିଲେ, କି ଶୀଘ୍ର ଫେରି ଆସିବେ ବୋଲି । ହେଲେ କିଏ ଜାଣିଥିଲା ଏହା ଥିଲା ସେମାନଙ୍କର ଶେଷଯାତ୍ରା । ସଡ଼କ ଦୁର୍ଘଟଣା ଖବର ପାଇ ମାଲକାନଗିରି ଶ୍ରମ ବିଭାଗ ତେଲେଙ୍ଗାନାରେ ପହଁଚି ଉଭୟ ରାଜ୍ୟ ପୋଲିସ ସହାୟତାରେ ମୃତଦେହ ବ୍ୟବଛେଦ କରିଥିଲା । ଏହା ପରେ ଆଜି ସକାଳୁ ଗାଁରେ ପହଁଚିଲା ତିନୋଟି ମରଶରୀର । ଘଟଣାରେ କାମତା ଗାଁର ଦମ୍ପତି ରୁପୁ ହରିଜନ ଓ ସୁଲ ହରିଜନଙ୍କ ମୃତ୍ୟୁ ହୋଇଥିବା ବେଳେ ରତାଳି ଗାଁର ସୁନାମଣି ହରିଜନଙ୍କ ମୃତ୍ୟୁ ହୋଇଛି । ତେବେ ହଠାତ୍ ଏଇ ଘଟଣାକୁ ଗ୍ରହଣ କରିପାରୁନଥିବା ପୁରା ଗାଁରେ ଏବେ ଖେଳିଯାଇଛି ଶୋକର ଛାୟା ।
ଗୋଟେ ପଟେ ଦୁଇ ଝିଅ ଖୋଜୁଛନ୍ତି ବାପା ମାଆଙ୍କୁ । ଯିଏ ନୀରବରେ ଶୋଇଯାଇଛନ୍ତି କବର ଭିତରେ । ଆଉ ଏପଟେ ଶ୍ମଶାନ ଜୁଇରେ ସ୍ୱାମୀ, ପିଲାଙ୍କୁ ଛାଡି ସବୁଦିନ ପାଇଁ ନିରବୀ ଯାଇଛନ୍ତି ସୁନାମଣି । ତେବେ ବାରମ୍ବାର ବୋରିଗୁମା ଅଞ୍ଚଳରେ ଏଭଳି ଘଟଣା ଘଟୁଥିଲେ ମଧ୍ୟ ଏମାନେ ସଚେତନ ନହେବା ଆଉ ଅକାଳରେ ଅନେକ ଜୀବନ ଚାଲିଯିବା ପ୍ରଶାସନିକ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଉଛି ନିଶ୍ଚିତ ।