ସ୍ବାମୀ ଫିଙ୍ଗିଲା ବୋମା, ପାରିବାରିକ କଳହରୁ ଉଡିଲା ତିନି ଘର

ଭାଙ୍ଗିରୁଜି ଚୁରମାର ହୋଇଯାଇଛି ୩-୩ ଟି ଘର । ଘରେ ସ୍ତ୍ରୀ ନଥିବାବେଳେ ଘରକୁ ଧ୍ବଂସ କରିବା ପାଇଁ ସ୍ବାମୀ ପକାଇଲା ବୋମା । ଆଉ ବୋମା ବିସ୍ଫୋରଣ ହୋଇ ୩ ଟି ଘର ଛାରଖାର ହୋଇଯାଇଛି । ଘରୋଇ କଳି ଯେ ଏମିତି ରୂପ ନେବ କେବେ ସ୍ବପ୍ନରେ ଭାବିନଥିଲେ ସ୍ତ୍ରୀ ଗୀତା । ବାହାହେବା ପର ଠାରୁ ସ୍ତ୍ରୀଙ୍କ ସହ ସବୁବେଳେ ପାଟିତୁଣ୍ଡ କରୁଥିଲା ସ୍ବାମୀ । ସ୍ବାମୀର ଆଚରଣରେ ଅତିଷ୍ଠ ହୋଇ ଶାଶୁଘର ଛାଡ଼ି ବାପଘରକୁ ପଳାଇ ଆସିଥିଲେ ଗୀତା । ବାପଘରେ ରହି କାମ ପାଇଟି କରି ନିଜ ଗୁଜୁରାଣ ମେଣ୍ଟାଉଥିଲେ । କିନ୍ତୁ ସୈତାନ ସ୍ବାମୀର ମୁଣ୍ଡରେ ଚଢ଼ିଥିଲା ପିତ୍ତ । ଗାଁରେ ଦଣ୍ଡ ନାଚ ହେଉଥିବାର ସୁଯୋଗ ନେଇ ୩ଟି ଘର ଉପରେ ବୋମା ମାଡ଼ କରିଥିଲା ସ୍ବାମୀ ।

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା କୁଶପଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପାରିବାରିକ କଳହରୁ ସ୍ୱାମୀ ରାଗରେ ସ୍ତ୍ରୀ ଘର ଉପରକୁ ବୋମା ମାଡ଼ କରିଛି । ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲା ଗୌଡ଼ପାଲି ଗାଁର ସୁରେନ୍ଦ୍ର ଦୋରାଙ୍କୁ କୁଶପଡା ଗାଁର ଗୀତା ଦୋରା ପ୍ରାୟ ୯ ବର୍ଷ ତଳେ ବିବାହ କରିଥିଲେ । ତେବେ ବିବାହ ପରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଅଶାନ୍ତି ଲାଗି ରହିଥିଲା । ବାରମ୍ବାର କଳହ ଲାଗି ରହିବାରୁ ଗୀତା ପ୍ରାୟ ୭ ବର୍ଷ ହେଲା ନିଜ ଗାଁକୁ ଫେରି ଆସିଥିଲେ । ସୁରେନ୍ଦ୍ର ମଧ୍ୟ ଭୁବନେଶ୍ୱରରେ ରହି ଶ୍ରମିକ ଭାବେ କାର୍ଯ୍ୟ କରୁଥିଲା । ତେବେ ସୁରେନ୍ଦ୍ର ଗତ କିଛି ଦିନ ହେବ କୁଶପଡା ଗାଁକୁ ଆସିଥିଲା । ଏହାରି ଭିତରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ବଢ଼ିବାକୁ ଲାଗିଲା । ଆଉ ଗତ କାଲି ଗୀତା କାମ ପାଇଁ ବାହାରକୁ ଯାଇଥିବା ବେଳେ ଗାଁରେ ସ୍ୱାମୀ ସୁରେନ୍ଦ୍ର ବୋମା ଫିଙ୍ଗିଥିଲା ।

ତେବେ ଗାଁରେ ଦଣ୍ଡ ନାଚ ହେଉଥିବାରୁ ଗାଁ ଲୋକେ ଘରୁ ବାହାରେ ଥିଲେ । ପ୍ରଚଣ୍ଡ ଶବ୍ଦ ହେବାରୁ ଲୋକମାନେ ଗୀତାଙ୍କ ଘର ନିକଟକୁ ଦୌଡ଼ି ଆସିଥିଲେ l ବୋମାରେ ତିନୋଟି ଘର ଛିନଛତ୍ର ହୋଇଯାଇଥିବା ଦେଖିବାକୁ ପାଇଥିଲେ ଲୋକେ । ସୌଭାଗ୍ୟବଶତଃ ଘରେ କେହି ନଥିବାରୁ କାହାର କିଛି କ୍ଷତି ହୋଇନି । କିନ୍ତୁ ଘର ସମ୍ପୂର୍ଣ୍ଣ କ୍ଷତି ହୋଇଯାଇଥିବା ବେଳେ ଲକ୍ଷଲକ୍ଷ ଟଙ୍କାର ଆସବାସ ପତ୍ର ଧ୍ବଂସ ହୋଇଯାଇଛି । ଖବର ପାଇ ପୋଲିସ ପହଞ୍ଚି ତଦନ୍ତ କରିବା ସହ ସୁରେନ୍ଦ୍ରକୁ ଥାନାରେ ଅଟକ ରଖି ତଦନ୍ତ କରୁଛି ।

ଘରୋଇ କଳି ଯେ ଏମିତି ରୂପ ନିଏ ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି । ରାଗ ପରମ ଚଣ୍ଡାଳ । ଏ ସମାଜରେ ଏମିତି ବି ଲୋକ ଅଛନ୍ତି ଯେଉଁମାନେ ନିଜ ରାଗକୁ ଶାନ୍ତ କରିବା ପାଇଁ ଏମିତି କାଣ୍ଡ ରଚୁଛନ୍ତି । ପୋଲିସକୁ ଏମାନଙ୍କର ତିଳେ ହେଲେ ଭୟ ନାହିଁ । ତେବେ ଏଭଳି ଅପରାଧୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ତାହା ହିଁ ସାଧାରଣରେ ଦାବି ହୋଇଛି ।

Also Read:ପାରିବାରିକ କଳହର କରୁଣ ପରିଣତି; ଜୀବନ ହାରିଲେ ସ୍ବାମୀ, ମୁଣ୍ଡ ପିଟି କାନ୍ଦୁଛି ସ୍ତ୍ରୀ