ବାଇକ୍ରେ ସବାର୍ ଛେଳିର ବି ଚାଲାଣ କାଟିଲେ ଟ୍ରାଫିକ୍ ପୋଲିସ୍, ଭିଡିଓ ଭାଇରାଲ ପରେ ଜୋରଦାର ହଙ୍ଗାମା

ଅମୃତସର : ଆପଣ ତିନି ତୁଣ୍ଡରେ ଛେଳି କୁକୁର ହେବା କଥା କାହାଣୀ ଶୁଣିଥିବେ । ସେହିଭଳି ଏକ ବାସ୍ତବ ଘଟଣା ଆପଣଙ୍କୁ ନିଶ୍ଚୟ ମଜା ଲାଗିବ । ଆସନ୍ତୁ ଯିବା ପଞ୍ଜାବ ରାଜ୍ୟକୁ । ଟୁ ହୁଇଲର୍ରେ ତିନି ଜଣ ଯିବା ମନା । ଗଲେ ଚାଲାଣ କଟା ଯିବ । ଅର୍ଥାତ୍ ଫାଇନ୍ ଦେବାକୁ ପଡ଼ିବ । ସେହି ଅନୁସାରେ ପଞ୍ଜାବ ଟ୍ରାଫିକ୍ ପୋଲିସ୍ ଚାଲାଣ କାଟିଛି । କାରଣ ଗୋଟିଏ ବାଇକ୍ରେ ତିନି ଜଣ ଯାଉଥିଲେ । ତେବେ ତିନି ଯୁବକଙ୍କ ଭିତରେ ଥିଲା ଏକ ଛେଳି । ଟ୍ରାଫିକ ପୋଲିସ୍ ଛେଳିକୁ ବି ଜଣେ ମଣିଷ ଭାବେ ଗଣି ଚାଲାଣ କାଟିଲେ । ଏହି ଘଟଣାର ଭିଡିଓ ଏବେ ଭାଇରାଲ ହୋଇ ଚର୍ଚ୍ଚା ସୃଷ୍ଟି କରିଛି ।
ପଞ୍ଜାବର ବଟାଲା ସ୍ଥିତ ଡେରା ରୋଡ୍ର ଏକ ପୋଲ ଉପରେ ଟ୍ରାଫିକ୍ ଚେକିଂ ଚାଲିଥିବା ବେଳେ ଏହି ଘଟଣା ଘଟିଥିଲା । ଭାଇରାଲ ଭିଡିଓ ଅନୁସାରେ ଯୁବକ ଦୁଇ ଜଣ ଛେଳିକୁ ଧରି ବାଇକ୍ରେ ବସିଥିଲେ । ଟ୍ରାଫିକ୍ ପୋଲିସ୍ କର୍ମଚାରୀଙ୍କୁ ସେମାନେ ତିନି ଜଣ ନୁହଁ ଗୋଟିଏ ଛେଳି ଧରିଥିବା କଥା କହୁଥିବା ଶୁଣା ଯାଉଥିଲା ।
ତେବେ ଏହାଠାରୁ ଆହୁରି ମଜାଦାର କଥା ହେଉଛି, ଭାଇରାଲ ଭିଡିଓ ସବୁଠାରେ ଚର୍ଚ୍ଚା ସୃଷ୍ଟି କରିବା ପରେ ପୋଲିସ୍ ଓଲଟା ଭିଡିଓ କରିଥିବା ଲୋକ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଣ୍ଟା ଭିଡ଼ିଛି । ଆଇଟି ଆଇନ୍ ଅନୁସାରେ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୋଲିସ୍ କହିଛି । ସୂଚନା ଅନୁଯାୟୀ, ଭିଡିଓ କରିଥିବା ବ୍ୟକ୍ତି ଜଣେ ସେନା କର୍ମଚାରୀ । ଅବଶ୍ୟ ପୋଲିସ୍ କହିବା ଅନୁସାରେ ବାଇକ୍ରେ ତିନି ଜଣ ଛେଳିକୁ ବସାଇ ଯାଉଥିଲେ । ଛେଳିଟି ଯୋଗୁଁ ବାଇକ୍ ଭାରସାମ୍ୟ ହରାଉଥିଲା । ତେଣୁ ଟ୍ରାଫିକ୍ ପୋଲିସ୍ ସେମାନଙ୍କୁ ଅଟକାଇ ଥିଲା । ଏହା ପରେ ସେମାନଙ୍କ ଭିତରୁ ଜଣେ ଓହ୍ଲାଇ ପଡ଼ି ଭିଡିଓ ସୁଟ୍ କରିଥିଲେ । ଅବଶ୍ୟ ସେମାନଙ୍କର ଚାଲାଣ କଟାଯାଇ ନାହିଁ ବୋଲି ମଧ୍ୟ ସ୍ଥାନୀୟ ପୋଲିସ୍ ଅଧିକାରୀ ସ୍ପଷ୍ଟ କରିଛନ୍ତି ।
ତେବେ କିଏ ସତ କହୁଛି ଭିଡିଓ ନା ପୋଲିସ୍ ସେକଥା ସ୍ପଷ୍ଟ ହେଉନାହିଁ । ହେଲେ ପୋଲିସ୍କୁ ବଦନାମ କରିଥିବା ଭିଡିଓ ପାଇଁ ଖୋଜା ଚାଲିଛି ସଂପୃକ୍ତ ଯୁବକଙ୍କୁ ।