ଭୁବନେଶ୍ୱର: ସ୍ମୃତି, ସୁଦ୍ଧା , ପ୍ରତିଭା । ସମ୍ପର୍କରେ ଏମାନେ ତିନି ଭଉଣୀ । ଆଉ ଏହି ତିନି ଭଉଣୀ ସମାଜ ପାଇଁ ସୃଷ୍ଟି କରିଛନ୍ତି ଏକ ବଡ ଉଦାହରଣ । କେଶ ଦାନ କରି କର୍କଟ ରୋଗୀଙ୍କ ମୁହଁରେ ହସ ଫୁଟେଇବା ପାଇଁ କରିଛନ୍ତି ପ୍ରୟାସ । ଝିଅ ହୁଅନ୍ତୁ କି ମହିଳା କେଶକୁ ବେଶ ପସନ୍ଦ କରିଥାନ୍ତି । ଅନେକ ସମୟରେ ଆମେ ଦେଖିଛେ, କର୍କଟ ରୋଗୀଙ୍କ ମୁଣ୍ଡରେ ପ୍ରାୟତଃ କେଶ ରହିନଥାଏ । ଯାହା ସେମାନଙ୍କୁ ଖୁବ୍ କଷ୍ଟ ପହଁଚାଇଥାଏ । ତେବେ ସେହି କଷ୍ଟକୁ ହୃଦୟଙ୍ଗମ କରି ତିନି ଭଉଣୀ କର୍କଟ ରୋଗୀଙ୍କ ମୁହଁରେ ଟିକେ ଖୁସି ଦେଖିବା ପାଇଁ ନିଜର କେଶ ଦାନ କରୁଛନ୍ତି ।
୨୦୨୩ ମସିହାରେ ବଡ଼ ଭଉଣୀ ସ୍ମୃତି ପ୍ରଥମେ ଏହି ମହତ୍ କାମ ଆରମ୍ଭ କରିଥିଲେ । ଏବେ ସାନ ଭଉଣୀ ପ୍ରତିଭା ଓ ସୁଦ୍ଧା ବି କେଶ ଦାନ କରିଛନ୍ତି । ତାଙ୍କ କେଶରୁ ୱିଇଗ୍ ତିଆରି ହୋଇ ଯେପରି କର୍କଟ ରୋଗୀଙ୍କ କାମରେ ଲାଗିପାରିବ । ତାଙ୍କ କହିବା କଥା, ସମାଜରେ କିଛି ଭଲ କାମ କରିପାରିଲେ ବହୁତ ଖୁସି ଲାଗେ । ତେବେ ଏଥିରେ ପରିବାର ଲୋକଙ୍କ ଯଥେଷ୍ଟ ସହଯୋଗ ବି ରହିଛି ।
ତେବେ ତିନି ଉଭଣୀଙ୍କ ଭିତରେ ପ୍ରତିଭା ସବୁଠୁ ସାନ । ଯୁକ୍ତ ଦୁଇର ଛାତ୍ରୀ । ଆଶା ଅଛି ଆଗକୁ ଭଲ ଚିତ୍ର ଶିଳ୍ପୀ ଟିଏ ହେବାକୁ । କିନ୍ତୁ ସମାଜ ସେବା ହଉଛି ତାଙ୍କର ମୂଳ ଲକ୍ଷ୍ୟ । ପ୍ରତିଭା ଏହି ନିକଟରେ ନିଜ କେଶ ଦାନ କରିଛନ୍ତି। ଖାଲି ସେତିକି ନୁହେଁ, ଭଲ ଚିତ୍ର ବି ଆଙ୍କୁଛନ୍ତି । ତାଙ୍କ ତୂଳିର ସ୍ପର୍ଶ ଚିତ୍ରକୁ ସତେ ଯେପରେ ଜୀବନ ଦେଇଥାଏ । ଦୀର୍ଘ ୯ବର୍ଷ ହେବା ତାଙ୍କର ଏହି ଅଭ୍ୟାସ ଜାରି ରହିଛି । ଜଗନ୍ନାଥ, ଗଣେଶ ସରସ୍ବତୀଙ୍କ ଚିତ୍ର ଆଙ୍କିବାକୁ ସେ ବହୁତ ପସନ୍ଦ କରନ୍ତି ।
ଏପଟେ ସବୁଠାରୁ ବଡ଼ କଥା ହେଉଛି, ଆଗକୁ ତାଙ୍କ ଫଟୋ ଚିତ୍ରରୁ ଯାହା ଟଙ୍କା ଉପାର୍ଜନ ହେବ ସେଥିରୁ କିଛି କର୍କଟ ରୋଗୀଙ୍କ ସେବା ପାଇଁ ସେ ଦାନ କରିବେ । ଛୋଟ ବେଳୁ ନିଜ ପରିବାର, ଓ ବାପା ମାଆଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜ ସେବାରେ ଆଗେଇ ଚାଲିଛନ୍ତି ଏହି ତିନି ଭଉଣୀ ସ୍ମୃତି, ସୁଦ୍ଧା , ପ୍ରତିଭା । ଯାହା ଆଜିର ଯୁବଗୋଷ୍ଠୀଙ୍କ ପାଇଁ ଏକ ବଡ ଉଦାହରଣ ।