ଗର୍ଭବତୀ ମହିଳାଙ୍କୁ ବି ଛାଡ଼ିଲେନି, ଘଟାଇଲେ ଅମାନୁଷିକ କାଣ୍ଡ

ଗୁରୁବାର ରାତି ପ୍ରାୟ ସାଢେ ୨ଟା । ହଠାତ ପ୍ରଚଣ୍ଡ ଶବ୍ଦ ହେଲା । ଭୟଭୀତ ହୋଇ ଶୋଇବା ଘରୁ ବାହାରକୁ ବାହାରି ଆସିଲେ ବୃଦ୍ଧା ଜଣକ । କିନ୍ତୁ ସେଠାରେ ଯାହା ଦେଖିଲେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ପୁଅ ବୋହୁଙ୍କ ମୁଣ୍ଡରେ ମରଣାସ୍ତ୍ର ଲଗାଇ ଠିଆ ହୋଇଛନ୍ତି ୩ ଜଣ । ପୁଅ ମୁଣ୍ଡରେ ବନ୍ଧୁକ ରଖି ଏପଟେ ୫ ମାସର ଗର୍ଭବତୀ ବୋହୂକୁ ଧମକାଉଥାନ୍ତି । ଆଉ କହୁଥାନ୍ତି ଘରେ ଯାହା ସୁନା ଅଳଙ୍କାର ଟଙ୍କା ପଇସା ଅଛି ଶୀଘ୍ର ଦିଅ ।

ଯାହାପରେ ବୃଦ୍ଧା ମା’ ଜଣକ ନେହୁରା ହୋଇଥିଲେ ଏ ଦୁର୍ବୃତ୍ତଙ୍କ ପାଖରେ । ଘରେ ଯାହା ଅଛି ନେଇଯାଅ କିନ୍ତୁ ମୋ ପୁଅ ବୋହୁକୁ ଛାଡିଦିଅ । ହେଲେ କିଛି ବି ପ୍ରଭାବ ପକାଇ ପାରିଲାନି ଲୁଟେରାଙ୍କ ଉପରେ ଜଣେ ମାଆ ଆଖିର ଲୁହ । ତାପରେ ଆରମ୍ଭ କରିଦେଲେ ତାଣ୍ଡବ ଲୀଳା । ଅତି ଅମାନୁଷିକ ଭାବେ ଗର୍ଭବତୀ ମହିଳାଙ୍କୁ ବାନ୍ଧି ଖଟକୁ ଫିଙ୍ଗି ଦେଇଥିଲେ ଡକାୟତ । ଘରେ ଥିବା ଛୁଆ ଏବଂ ବୃଦ୍ଧାଙ୍କୁ ମାରିଥିଲେ ଭୟଙ୍କର ମାଡ ।

ବୃଦ୍ଧାଙ୍କୁ କ୍ରିକେଟ ବ୍ୟାଟରେ ପିଟିବାରୁ ସେ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଗୁରୁବାର ବିଳମ୍ବିତ ରାତିରେ ୫ ଜଣରୁ ଅଧିକ ଦୁର୍ବୃତ୍ତ ଘରେ ପଶିଥିଲେ । ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ପ୍ରହରାଜପୁର ଗାଁର ଜୁଏଲାରି ମାଲିକ ସଞ୍ଜୟ ସାହୁଙ୍କ ଘରେ ଘଟାଇଥିଲେ ଏହି ତାଣ୍ଡବଳୀଲା । ତୁଡ଼ିଗଡିଆ ବଜାରରେ ଶଙ୍କର ନାମକ ଏକ ଜୁଏଲାରି ଦୋକାନ କରିଛନ୍ତି ସଞ୍ଜୟ । ଗୁରୁବାର ଦିନ ଦୋକାନ ବନ୍ଦ କରି ଘରେ ଖାଇପିଇ ଶୋଇବା ପରେ ରାତି ୨ଟା ବେଳକୁ ଦୁର୍ବୃତ୍ତମାନେ କବାଟ ଓ ଗ୍ରିଲ ଭାଙ୍ଗି ଘରେ ପଶିଥିଲେ ।

ଘରେ ଥିବା ସଞ୍ଜୟ, ସଞ୍ଜୟଙ୍କ ମା’, ସ୍ତ୍ରୀ ଓ ଛୋଟ ପିଲାଙ୍କୁ ପ୍ରଥମେ ବାନ୍ଧି ମୋବାଇଲ ଛଡାଇ ନେଇଥିଲେ । ପରେ ବନ୍ଧୁକ, ଭୁଜାଲି ଏବଂ ବ୍ୟାଟରେ ଆକ୍ରମଣ କରି ୧ କୋଟି ଟଙ୍କାରୁ ଊର୍ଦ୍ଧ୍ବ ଅଳଙ୍କାର ସମେତ ନଗଦ ୧ ଲକ୍ଷ ଟଙ୍କା ଲୁଟ କରି ଫେରାର ହୋଇଯାଇଛନ୍ତି ଡକାୟତମାନେ । ଲୁଟ୍ ବେଳେ ଡକାୟତମାନେ ମୁହଁରେ କପଡା ବାନ୍ଧିଥିବାରୁ ପୀଡିତ ପରିବାର ସେମାନଙ୍କର ଚିହ୍ନି ପାରି ନଥିଲେ । ଆକ୍ରମଣରେ ଗୁରୁତର ହୋଇଛନ୍ତି ସଞ୍ଜୟଙ୍କ ମା’ ନୀଳିମା ସାହୁ ।

ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଔପଦା ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଚଳାଇଛନ୍ତି । ପୋଲିସ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରୁଛି । ତେବେ ବାରମ୍ବାର ଏଭଳି ଲୁଟ୍ ଘଟଣାକୁ ନେଇ ସ୍ଥାନୀୟ ଓ ଆଖପାଖ ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଛି । ଡକାୟତଙ୍କୁ ଧରି କଠିନରୁ କଠିନ ଦଣ୍ଡ ଦେବାକୁ ଦାବି କରିଛନ୍ତି ଲୋକେ ।

Also read: ଦମ୍ପତିଙ୍କୁ ଆକ୍ରମଣ କରି ଲୁଟ୍, ଲକ୍ଷେ ଟଙ୍କା ଓ ସୁନା ଅଳଙ୍କାର ଧରି ଛୁ ମାରିଲେ ମୁଖା ପିନ୍ଧା ଦୁର୍ବୃତ୍ତ