କଳ୍ପନା ନୁହେଁ, ବାସ୍ତବ : ଟାଇଟନିକ୍-୨ ଯାତ୍ରା କରିବ ୨୦୨୨ରେ !

ନୂଆଦିଲ୍ଲୀ : ଟାଇଟନିକ୍-୨ । ସିନେମା ନୁହେଁ ବାସ୍ତବ । ଇତିହାସ ହୋଇ ସାରିଥିବା ଟାଇଟନିକ ଜାହାଜର ଭଳି ଆଉ ଏକ ଜାହାଜ ନିର୍ମାଣ କରାଯାଉଛି । ଯାହା ୨୦୨୨ରେ ସମୁଦ୍ରରେ ଯାତ୍ରା କରିବ ବୋଲି ଲକ୍ଷ୍ୟଧାର୍ଯ୍ୟ କରାଯାଇଛି ।
୧୯୧୨ ମସିହା ଏପ୍ରିଲ ୧୫ ତାରିଖରେ ଏହି ଜାହାଜ ବିରାଟ ବରଫଖଣ୍ଡରେ ଧକ୍କା ଖାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଯାହାଫଳରେ ନିଜର ଯାତ୍ରା ପୂରା କରି ପାରିନଥିଲା । ଏଥିରେ ୧୫୦୦ ଲୋକ ପ୍ରାଣ ହରାଇଥିଲେ । ୧୯୯୭ରେ ଏହି ଘଟଣାକୁ ନେଇ ହୋଇଥିଲା ହଲିଉଡ୍ ସିନେମା ’ଟାଇଟନିକ’। ଯାହା ସୁପର ଡୁପର ହିଟ୍ ହେବା ସହ ପୁଣି ମନେ ପକାଇ ଦେଇଥିଲା ଟାଇଟନିକ କଥା । ତେବେ ଏହାର ୧୫ ବର୍ଷ ପରେ ଅଷ୍ଟ୍ରେଲିଆର ଜଣେ କୋଟିପତି ବ୍ୟବସାୟୀ ଟାଇଟନିକ୍-୨ ନିର୍ମାଣ କରିବାକୁ ବାହାରିଥିଲେ । ୨୦୧୨ରେ ନିର୍ମାଣ ଆରମ୍ଭ କରିଥିଲେ । ହେଲେ ଅର୍ଥାଭାବ ଓ ଅନ୍ୟ କିଛି କାରଣ ଯୋଗୁଁ ଏହାକୁ ବନ୍ଦ ରଖା ଯାଇଥିଲା । କିନ୍ତୁ ଜାହାଜ ନିର୍ମାଣ କାମ ପୁଣି ଆରମ୍ଭ କରିବାକୁ ଘୋଷଣା କରିଛନ୍ତି ଏହି କୋଟିପତି ବ୍ୟବସାୟୀ କ୍ଳାଇବ୍ ପାମର୍ ।
ଏହି ଟାଇଟନିକ୍-୨ ଅବିକଳ ପ୍ରଥମ ଜାହାଜ ଭଳି କରାଯାଉଛି । ଡିଜାଇନ୍ ମଧ୍ୟ ପୂରା ସମାନ ରହିବ । ସେଥିରେ ଯେତିକି ଯାତ୍ରୀ ଓ ଜାହାଜ କର୍ମଚାରୀ ଥିଲେ ଏଥିରେ ମଧ୍ୟ ସେତିକି ରହିବେ । ସବୁଠୁ ସୁରକ୍ଷିତ କୁହାଯାଉଥିବା ଟାଇଟନିକ୍ ଜାହାଜ ଇଂଲଣ୍ଡରୁ ନ୍ୟୁୟର୍କ ଗଲାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ୧୦୬ ବର୍ଷ ତଳେ ଅଧୁରା ରହି ଯାଇଥିବା ଯାତ୍ରା ପୂରା କରିବ ଏହି ଟାଇଟନିକ୍-୨ । ଏହାର ନିର୍ମାଣ କାର୍ଯ୍ୟ ସରିବା ପରେ ଯାତ୍ରାରେ ବାହାରିବ ୨୦୨୨ରେ । ପୂର୍ବ ଜାହାଜରେ ୨୪୦୦ ଯାତ୍ରୀ ଓ ୯୦୦ କର୍ମଚାରୀ ଥିଲେ । ନୂଆ ଜାହାଜରେ ମଧ୍ୟଳ ସମାନ ସଂଖ୍ୟକ ଯାତ୍ରୀ ଓ କର୍ମଚାରୀ ରହିବେ । ତେବେ ପୁରୁଣା ଜାହାଜ ଠାରୁ ଏହାକୁ ଟିକେ ଅଧିକ ଚଉଡ଼ା କରାଯାଉଛି ଏବଂ ଏଥିରେ ଆଧୁନିକ ସୁରକ୍ଷା ବ୍ୟବସ୍ଥା ସବୁ ରହିବ ।

୨୦୨୨ରେ ଏହି ନୂଆ ଜାହାଜ ଦୁବାଇରୁ ବାହାରି ଇଂଲଣ୍ଡର ସାଉଥମ୍ପଟନ୍ ଯିବ । ସେଠାରୁ ନ୍ୟୁୟର୍କ ଯାତ୍ରା କରିବ । ତେବେ ଏହି ଯାତ୍ରା ପାଇଁ କେବେ ଠାରୁ ଟିକେଟ୍ ବିକ୍ରି ହେବ ସେ କଥା ପରେ ଘୋଷଣା କରାଯିବ । ଅବଶ୍ୟ ଏହାର ନିର୍ମାତା ପାମର କହିଛନ୍ତି କୋଟି କୋଟି ଲୋକ ଟାଇଟନିକ-୨ରେ ଯାତ୍ରା କରିବାକୁ ସ୍ବପ୍ନ ଦେଖିଛନ୍ତି । କିନ୍ତୁ ଏହାକୁ ନିର୍ମାଣ କରୁଥିବା କମ୍ପାନୀ ବ୍ଲ ୁଷ୍ଟାର ଲାଇନ୍ କହିଛି, ନିର୍ମାଣ କାମ ଏଯାଏ ଆରମ୍ଭ ହୋଇନାହିଁ । ତେଣୁ ଜାହାଜ ଯାତ୍ରା କରିବାର ନିର୍ଦ୍ଦିଷ୍ଟ ତାରିଖ କହିବା ସମ୍ଭବ ନୁହେଁ ।
ସେପଟେ ଚୀନର ସିଚୁଆନ୍ ଅଞ୍ଚଳରେ ଟାଇଟନିକର ଏକ ପ୍ରତୀକ ଜାହାଜ ତିଆରି ଚାଲିଛି । ଯାହା ଅବଶ୍ୟ ସମୁଦ୍ରକୁ ଓହ୍ଲାଇବ ନାହିଁ । ସେହିଠାରେ ରହିବ ।