ଆଜି ଗର୍ଭଣା ସଂକ୍ରାନ୍ତି: ଗର୍ଭଣା ଗଛର ଡାଳକୁ ପୂଜା କରି କ୍ଷେତରେ ପୋତିଲେ ଭଲ ଫସଲ ହୁଏ

ଓଡ଼ିଆ ପରମ୍ପରାରେ ପ୍ରଚଳିତ ବାର ମାସରେ ତେର ପର୍ବ ମଧ୍ୟରେ ଗର୍ଭଣା ସଂକ୍ରାନ୍ତି ଅନ୍ୟତମ । ଆମ ପର୍ବପର୍ବାଣି ଗୁଡିକ ଋତୁ, ଧର୍ମ ଓ ସାମାଜିକ ଭିତ୍ତିରେ ପାଳନ କରାଯାଏ । ଅନେକ ପର୍ବ ଆମର କୃଷି ସମ୍ବନ୍ଧିୟ ଅଟେ। କାରଣ ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ଆଶ୍ଵିନ ମାସର ସଂକ୍ରାନ୍ତିରେ ପାଳିତ ହୁଏ ଗର୍ଭଣା ସଂକ୍ରାନ୍ତି । ଏହାକୁ ତୁଳା ସଂକ୍ରାନ୍ତି ମଧ୍ୟ କୁହାଯାଏ । ଗର୍ଭ କହିଲେ ଭୃଣକୁ ବୁଝାଯାଏ । ଏହି ସଂକ୍ରାନ୍ତି ବେଳକୁ ଧାନଗଛର ଗର୍ଭରେ ଧାନ କେଣ୍ଡା ବାହାରେ । ଏହି ସମୟରେ ଗର୍ଭଣା ଗଛର ଡାଳକୁ ପୂଜା କରି କ୍ଷେତରେ ପୋତିଲେ ଭଲ ଫସଲ ହୁଏ ବୋଲି ଲୋକ ବିଶ୍ୱାସ ରହିଛି ।

ଏଥିସହିତ ଚାଷୀମାନେ ଏହି ଦିନକୁ ଅତି ନିଷ୍ଠାର ସହିତ ପାଳନ କରିଥାନ୍ତି । ଚାଷ କାର୍ଯ୍ୟ କରୁଥିବା କୃଷକ ସ୍ନାନାଦି କର୍ମ ସାରି ଗର୍ଭଣା ଗଛର ଡାଳ ଆଣି ବିଧିପୂର୍ବକ ପୂଜା କଲା ପରେ ଧାନ କ୍ଷେତରେ ପୋତି ଦିଅନ୍ତି ଏବଂ ଭଲ ଫସଲ ପାଇଁ ପ୍ରାର୍ଥନା କରିଥାନ୍ତି । ଗର୍ଭଣା ସଂକ୍ରାନ୍ତି ଉପରେ ଏକ କୃଷି ଲୋକ କଥା ରହିଛି ତାହା ହେଉଛି – ‘ ଆଗେ ବୁଣୁ ପଛେ ବୁଣୁ, ଗର୍ଭଣାକୁ ଟୁଣୁଟୁଣୁ’ । ଅର୍ଥାତ ଏହି ସମୟକୁ ଧାନଗଛ ଗର୍ଭ ଧାରଣ କରିଥାଏ । ଏହା ହେଉଛି ବାସ୍ତବରେ କୃଷି ଭିତ୍ତିକ ପର୍ବ । ଏହି ସଂକ୍ରାନ୍ତିର ଅନ୍ୟନାମ ହେଉଛି ‘ଶାରଦ’ ବା ‘ହୈମନ୍ତିକ’ ଧାନ। କାରଣ ଏହି ଧାନ ଫସଲର ମୁଖ୍ୟ ସମୟ ଶରତ ଓ ହେମନ୍ତ। ପୃଥିବୀର ଏହି ପ୍ରଧାନ ଶସ୍ୟକୁ ମହାଲକ୍ଷ୍ମୀ ଭାବରେ ଗ୍ରହଣ କରାଯାଏ। କାରଣ ଏହା ଏକାଧାରରେ ଶସ୍ୟ, ବୀଜ, ତଣ୍ଡୁଳ, ପତ୍ର, ଅଙ୍କୁର, କାଣ୍ଡ, କୋଷ, ପୁଷ୍ପ ଓ କ୍ଷୀର ଅଟେ।

‘ମହାଭାରତ’ ଅନୁସାରେ, ଏହା ମଧ୍ୟ ଏକାଧାରରେ-

ଦେବତାମାନଙ୍କ ନିମିତ୍ତ ଅନ୍ନ (ଅମୃତ) ଚରୁ ଭାବରେ, ନାଗମାନଙ୍କର ଅନ୍ନ ସୁଧା (କ୍ଷୀର) ଭାବରେ, ପିତୃପୁରୁଷଙ୍କ ନିମିତ୍ତ ଅନ୍ନ ସ୍ୱଧା (ପିଣ୍ଡ) ଭାବରେ ଏବଂ ପଶୁମାନଙ୍କର ଅନ୍ନ ତୃଣଲତା ଆଦି ଭାବରେ ଉତ୍ପନ୍ନ ହୋଇ ଅନ୍ନଦାନରେ ସମର୍ଥ ହୋଇଥାଏ। ଲକ୍ଷ୍ମୀଙ୍କ ସହିତ ସର୍ବଦା ଜଡ଼ିତ ହୋଇଥିବାରୁ ଏହାକୁ ପ୍ରଜନନ ଶକ୍ତିର ପ୍ରତୀକ (ଧାନମେଣ୍ଟା, ମାଣଧାନ ଆଦି) ଭାବରେ ପୂଜା କରାଯାଇଥାଏ। ଏହା ସମସ୍ତ ପ୍ରାଣୀଙ୍କର ପ୍ରାଣାଧାର ହୋଇଥିବାରୁ ଏହାର ସର୍ବମାନ୍ୟତା ସର୍ବଦା ରହିଆସିଛି। ଅକ୍ଷୟତୃତୀୟାଠାରୁ ଆରମ୍ଭ କରି ମାର୍ଗଶିର ମାସ ଗୁରୁବାର ପର୍ଯ୍ୟନ୍ତ ଏହିପୂଜନ ପରିବ୍ୟାପ୍ତ। ତେଣୁ କୃଷକମାନେ ସର୍ବଦା ଏହି ଫସଲର ଯତ୍ନ ନେବାକୁ ତତ୍ପର।

ଏଥିପାଇଁ ଗର୍ଭଣା ସଂକ୍ରାନ୍ତି ଦିନ ଏକ ସ୍ୱତନ୍ତ୍ର ଉତ୍ସବ ଅନୁଷ୍ଠିତ ହୋଇଥାଏ। ଏହିଦିନ କୃଷକ ପରିବାର ଗୃହ ମଧ୍ୟରେ ନାନା ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରି ଦେବୀ ଲକ୍ଷ୍ମୀଙ୍କୁ ଭୋଗ ଲଗାଇ ଥାଆନ୍ତି ଏବଂ ଗର୍ଭଣା ଗଛକୁ ପୂଜାକରି ଧାନ କ୍ଷେତରେ ପୋତି ଥାନ୍ତି। ବିଶ୍ୱାସ ଅଛି, ଏହି ଗଛ କ୍ଷେତରେ ରହିଲେ ଧାନକ୍ଷେତ ପୋକଜୋକ ତଥା ଫସଲ ନଷ୍ଟକାରୀ କୀଟପତଙ୍ଗଠାରୁ ସୁରକ୍ଷିତ ରହେ ଏବଂ ଉତ୍ତମ ଶସ୍ୟ ଉତ୍ପାଦିତ ହୁଏ। ଯଦିଓ ଏହା ପଛରେ କୌଣସି ବୈଜ୍ଞାନିକ କାରଣ ଥିବାର ଜଣାଯାଏ ନାହିଁ, ତଥାପି ଲୋକବିଶ୍ୱାସକୁ ଭିତ୍ତି କରି, ଓଡ଼ିଶା ଓ କର୍ଣ୍ଣାଟକ ଆଦି ପ୍ରଦେଶରେ ଏହାକୁ ନିଷ୍ଠାର ସହିତ ପାଳନ କରାଯାଇଥାଏ ।

Leave A Reply

Your email address will not be published.