ଆଜି ଅନ୍ତର୍ଜାତୀୟ ମହିଳା ଦିବସ: ଆଜିର ନାରୀ କୌଣସି କ୍ଷେତ୍ରରେ କମ୍‌ ନୁହଁନ୍ତି, ନିଜ ଅଧିକାର ପାଇଁ ନିଜେ ଲଢୁଛନ୍ତି

ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ପ୍ରତିବର୍ଷ ମାର୍ଚ୍ଚ ୮ରେ ପାଳିତ ହୋଇଥାଏ ଏହି ଦିବସ । ଚଳିତ ବର୍ଷ ଥିମ୍‌ ରହିଛି ଜେଣ୍ଡର ଇକ୍ୱାଲିଟି ଟୁଡେ, ଫର ଏ ସଷ୍ଟେନେବଲ ଟୁମୋରୋ । ଏକ ସ୍ଥାୟୀ ଭବିଷ୍ୟତ ପାଇଁ ଯେଉଁ ମହିଳା ଓ ଯୁବତୀମାନେ ଜଳବାୟୁ ପରିବର୍ତ୍ତନ ଦିଗରେ କାମ କରୁଛନ୍ତି ସେମାନଙ୍କ ସମ୍ମାନରେ ଚଳିତ ବର୍ଷର ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରିବାକୁ ଜାତିସଂଘ ସ୍ଥିର କରିଛି।

ମହିଳା ସଶକ୍ତ। ନିଜ ଅଧିକାର ପାଇଁ ନିଜେ ଲଢୁଛନ୍ତି। କୌଣସି କ୍ଷେତ୍ରରେ କମ୍‌ ନୁହଁନ୍ତି। ଜଳବାୟୁ ପରିବର୍ତ୍ତନ, ପରିବେଶ ଏବଂ ବିପର୍ଯ୍ୟୟ ବିପଦ ପ୍ରସମନ ଏକବିଂଶ ଶତାବ୍ଦୀ ପାଇଁ ବଡ଼ ଚ୍ୟାଲେଞ୍ଜ। ଏ ଦିଗରେ ମଧ୍ୟ ମହିଳା ଆଗଭର ହୋଇ କାମ କରୁଛନ୍ତି। ଆଜି ଯଦି ଲିଙ୍ଗଗତ ସମାନତା ନ ରୁହେ ତେବେ ଏକ ସ୍ଥାୟୀ ଏବଂ ସମାନ ଭବିଷ୍ୟତ ଲକ୍ଷ୍ୟ ହାସଲ କରି ହେବ ନାହିଁ। ଏଭଳି ସ୍ଥିତି ଭିତରେ ଲିଙ୍ଗଗତ ସମାନତା ଆଣିବା ଅତି ଗୁରୁତ୍ୱପୂର୍ଣ୍ଣ। ଏକ ସ୍ଥାୟୀ ଭବିଷ୍ୟତ ପାଇଁ ଯେଉଁ ମହିଳା ଓ ଯୁବତୀମାନେ ଜଳବାୟୁ ପରିବର୍ତ୍ତନ ଦିଗରେ କାମ କରୁଛନ୍ତି ସେମାନଙ୍କ ସମ୍ମାନରେ ଚଳିତ ବର୍ଷର ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରିବାକୁ ଜାତିସଂଘ ସ୍ଥିର କରିଛି। ଥିମ୍‌ ରହିଛି ଜେଣ୍ଡର ଇକ୍ୱାଲିଟି ଟୁଡେ, ଫର ଏ ସଷ୍ଟେନେବଲ ଟୁମୋରୋ।

ଅନ୍ତର୍ଜାତୀୟ ମହିଳା ଦିବସ ମୂଳଦୁଆ ପଡିଥିଲା ଏକ ଶ୍ରମ ଆନ୍ଦୋଳନରୁ। ୧୯୦୮ରେ ନିଜ ଅଧିକାର ପାଇଁ ନ୍ୟୁୟର୍କର ରାଜରାସ୍ତାକୁ ଓହ୍ଲାଇଥିଲେ ପ୍ରାୟ ୧୫ ହଜାର ମହିଳା। ବିକ୍ଷୋଭ କରୁଥିବା କାର୍ଯ୍ୟରତ ମହିଳାଙ୍କ ଦାବି ଥିଲା କାମର ସମୟ ହ୍ରାସ ସହ ଦରମା ବୃଦ୍ଧି । ଏହା ସହ ଭୋଟ ଦେବାର ଅଧିକାର ମଧ୍ୟ ଦାବି କରିଥିଲେ। ଏହାର ଏକ ବର୍ଷ ପରେ ୧୯୦୯ରେ ପ୍ରଥମ ଥର ପାଇଁ ୨୮ ଫେବ୍ରୁଆରୀରେ ମହିଳା ଦିବସ ପାଳନ ଆରମ୍ଭ କରିଥିଲା ଆମେରିକାର ସୋସାଲିଷ୍ଟ ପାର୍ଟି । ଧିରେଧିରେ ଅନ୍ୟ ଦେଶ ଓ ସଂଗଠନ ଭିନ୍ନ ଭିନ୍ନ ସମୟରେ ମହିଳା ଦିବସ ପାଳନ ଆରମ୍ଭ କଲେ। ୧୯୭୫ରେ ମାର୍ଚ୍ଚ ୮କୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ ପାଇଁ ନିଷ୍ପତ୍ତି ନେଇଥିଲା ଜାତିସଂଘ। ତେବେ ପ୍ରଶ୍ନ ଉଠୁଛି ମାର୍ଚ୍ଚ ୮ କାହିଁକି? ଖାଦ୍ୟ ଏବଂ ଶାନ୍ତି ପାଇଁ ୧୯୧୭ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ରୁଷର ମହିଳା। ପ୍ରାୟ ୪ ଦିନ କାଳ ଚାଲିଥିଲା ବିକ୍ଷୋଭ ପ୍ରଦର୍ଶନ। ଏହା ଥିଲା ଏକ ଐତିହାସକ ଆନ୍ଦୋଳନ। ଏହି ଆନ୍ଦୋଳନ ପରେ ତତ୍କାଳନୀ ରୁଷୀୟ ସମ୍ରାଟ କ୍ଷମତା ଛାଡିଥିଲେ। ମଧ୍ୟବର୍ତ୍ତୀକାଳୀନ ସରକାର ମହିଳାଙ୍କୁ ଭୋଟ ଦେବା ଅଧିକାର ଦେଲେ। ଯେଉଁଦିନ ଋଷର ମହିଳାମାନେ ଆନ୍ଦୋଳନ ଆରମ୍ଭ କରିଥିଲେ ସେଦିନ ଜୁଲିଅନ କ୍ୟାଲେଣ୍ଡରରେ ଥିଲା ଫେବୃଆରୀ ଶେଷ ରବିବାର। ଅନ୍ୟପଟେ ଗ୍ରେଗୋରିୟନ୍‌ କ୍ୟାଲେଣ୍ଡର ଅନୁଯାୟୀ ସେହି ଦିନ ଥିଲା ମାର୍ଚ୍ଚ ୮। ସେହିଦିନଠାରୁ ମାର୍ଚ୍ଚ ୮ ମହିଳା ଦିବସ ଭାବେ ପାଳିତ ହେଲା। ୧୯୭୫ରେ ଅନ୍ତର୍ଜାତୀୟ ମହିଳା ଦିବସକୁ ମାନ୍ୟତା ଦେଲା ଜାତିସଂଘ।

ପ୍ରତିବର୍ଷ ମହିଳା ଦିବସ ପାଇଁ ଥିମ୍‌ ରହୁଛି। ଏଥର ପରିବେଶ ଓ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ କାମ କରୁଥିବା ମହିଳାଙ୍କୁ ଧ୍ୟାନରେ ରଖି ପ୍ରସ୍ତୁତ ହୋଇଛି ଥିମ୍‌।