ଆଜି ଅନ୍ତର୍ଜାତୀୟ କନ୍ୟା ଦିବସ: କନ୍ୟା ଆଣିଦିଏ ଖୁସିର ସମ୍ଭାର, ଘରେ ଭରିଯାଏ ସୁଖ ଅପାର

ସୃଷ୍ଟିକୁ ଆଗକୁ ନେବାରେ ନାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ମହିଳାଙ୍କ ବିନା ସୃଷ୍ଟିର ସର୍ଜନା ଅସମ୍ଭବ। ବିଭିନ୍ନ ରୂପରେ ନାରୀଟିଏ ସବୁବେଳେ ପରିବାରରୁ ସମାଜ ପର୍ଯ୍ୟନ୍ତ ସମସ୍ତଙ୍କର ସେବା କରି ଆସୁଛି। କେତେବେଳେ ମା’ ରୂପେ ତ ଆଉ କେତେବେଳେ ଭଗିନୀ ରୂପେ। ପୁଣି କେତେବେଳେ ଜାୟା ଭାବେ ନାରୀଟିଏ ତିଳ ତିଳ କରି ନିଜ ଜୀବନକୁ ଜାଳି ସମାଜ ପାଇଁ ବଞ୍ଚିଆସୁଛି।

କିନ୍ତୁ ନାରୀକୁ ସମାଜରେ ସେତିକି ସମ୍ମାନ ମିଳିନଥାଏ, ଯେତିକି ପାଇବାକୁ ସେ ହକ୍‌ଦାର। ବର୍ତ୍ତମାନର ଆଧୁନିକ ଯୁଗରେ ବି କନ୍ୟା ଭ୍ରୁଣ ହତ୍ୟା ହେଉଛି। ସେହିପରି ଆଉ କେଉଁଠି ନବବିବାହିତା ବଧୂକୁ ସାମାନ୍ୟ କେଇଟା ଟଙ୍କା ପାଇଁ ମାରି ଦିଆଯାଉଛି। ଏଣୁ କନ୍ୟାମାନଙ୍କର ସୁରକ୍ଷା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ମାସର ଚତୁର୍ଥ ରବିବାରକୁ ଅନ୍ତର୍ଜାତୀୟ କନ୍ୟା ଦିବସ ଭାବେ ପାଳନ କରାଯାଉଛି।

ଚଳିତବର୍ଷ ସେପ୍ଟେମ୍ବର ୨୬ ତାରିଖରେ ସାରା ବିଶ୍ୱରେ ଏହି ଦିବସ ପାଳିତ ହେଉଛି। ଆଜିର ଦିନରେ ଝିଅମାନଙ୍କ ସମ୍ମାନ ଓ ସୁରକ୍ଷାକୁ ଗୁରୁତ୍ୱ ଦେବାକୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସଚେତନତା ମୂଳକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥାଏ। ସମାଜରେ ବହୁଳ ଭାବେ ହେଉଥିବା କନ୍ୟାଭ୍ରୁଣ ହତ୍ୟା, ଯୌତୁକ ନିଯାତନା, ଦୁଷ୍କର୍ମ ଆଦି ସାମାଜିକ ବ୍ୟାଧିକୁ ରୋକିବା ଓ କନ୍ୟାମାନଙ୍କୁ ସମ୍ମାନର ସହ ସମାଜରେ ବଞ୍ଚିବାକୁ ଦେବା ହେଉଛି ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ତଥା ଲକ୍ଷ୍ୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.