କଣ୍ଟାମାଳ: ସୂକ୍ଷ୍ମ ସୂତାରେ ତିଆରି ଏହି ବାନ୍ଧ ଶାଢ଼ୀ, ଦେଶ ବିଦେଶରେ ବେଶ ଲୋକପ୍ରିୟ । ବୌଦ୍ଧ ଜିଲ୍ଲା ବିଷୟରେ କଥା ହେଲେ ଏଠାକାର ଅନେକ ଲୋକଙ୍କର କୌଳିକ ବୃତ୍ତି ହେଉଛି ଏହି ବାନ୍ଧ ଶାଢ଼ୀ ତିଆରି କରିବା । ନିଜ ହାତରେ ସୁକ୍ଷ୍ମ ସୂତା ମାଧ୍ୟମରେ ସୁନ୍ଦର ସୁନ୍ଦର ବାନ୍ଧ ଶାଢ଼ୀ ବୁଣି ନିଜର ହସ୍ତ କଳାର ପରିଚୟ ଦେଇଥାନ୍ତି ଏହି ବୁଣାକାର । ବୌଦ୍ଧ ଜିଲ୍ଲାରେ ବାନ୍ଧ ଶାଢ଼ୀର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ତେବେ ଆଜି ହେଉଛି ଜାତୀୟ ହସ୍ତତନ୍ତ ଦିବସ । ହେଲେ ଏହି ବୁଣାକାର ମାନଙ୍କୁ ଉପଯୁକ୍ତ ପାରିଶ୍ରମିକ ମିଳୁନ ଥିବା ଅଭିଯୋଗ କରିଛନ୍ତି ।
ମଙ୍ଗାରେ ହୁଏ ଶାଢ଼ୀ ବୁଣା । ବିଭିନ୍ନ ଡିଜାଇନର ଶାଢ଼ୀ ବୁଣା । ପିଲାଠୁ ବୁଢ଼ା ସମସ୍ତେ ଲାଗିପଡନ୍ତି ଏହି ଶାଢ଼ୀ ବୁଣାରେ । ବୁଣାକାର ପରିବାର ସୂତା କିଣି ରଙ୍ଗକରି ମଙ୍ଗାରେ ଏହି ସୂକ୍ଷ୍ମ ସୂତା ମାଧ୍ୟମରେ ଶାଢୀ ବୁଣିଥାନ୍ତି । ବୌଦ୍ଧ ଜିଲ୍ଲାର ବିଶେଷକରି ଗବଜୋର, ଜୁନାନି, ମନମୁଣ୍ଡା, ବାଉଁଶୁଣି, ମାର୍ଜାକୁଦ, ଚମ୍ପାପୁର,ବିଳାସପୁର ବୁଟୁପାଳି ଗାଁରେ ଅଧିକ ଲୋକ ଏହି ଶାଢ଼ୀ ବୁଣିଥାନ୍ତି । ଜିଲ୍ଲାର ଏହି ବାନ୍ଧ ଶାଢ଼ୀ ଦେଶ ବିଦେଶରେ ବେଶ ପ୍ରସିଦ୍ଧ । ଦିନକୁ ଦିନ ବାନ୍ଧ ସୂତାର ଦାମ ବଢୁଛି ବୁଣାକାର ମାନଙ୍କୁ ଉପଯୁକ୍ତ ପାରିଶ୍ରମିକ ଓ ପ୍ରୋତ୍ସାହନ କମି କମି ଯାଉଛି । ଫଳରେ ଅନେକ ବୁଣାକାର ଏହି ବୃତ୍ତିରୁ ମୁହଁ ଫେରାଉଛନ୍ତି ।
ବଜାରରେ ସମ୍ବଲପୁରୀ ଶାଢ଼ୀର ଚାହିଦା ଦିନକୁ ଦିନ ବଢିଛି ସତ ହେଲେ ବୁଣାକାର ମୁହଁରେ ହସ ଫୁଟୁନି । ସୂତାର ଦାମ୍ ବୃଦ୍ଧି ସହ କଞ୍ଚାମାଲର ବୃଦ୍ଧି ଯୋଗୁଁ ବୁଣାକାରଙ୍କୁ ଲାଭ ମୁଳୁନଥିବାରୁ ଅନେକ ବୁଣାକାର ପରିବାର ଏହି କୌଳିକ ବୃତ୍ତି ଛାଡି ଦେଲେଣି । ନିଜେ ସୂତା ରଙ୍ଗ କିଣି ସୂତା କାଟିବା ସହ ରଙ୍ଗ କରି ମଙ୍ଗାରେ ହସ୍ତତନ୍ତ ଦ୍ୱାରା କୌଣସି ମେସିନର ବିନା ସାହାଯ୍ୟରେ ଶାଢ଼ୀ ବୁଣିଥାନ୍ତି । ଗୋଟିଏ ଶାଢ଼ୀ ବୁଣିବା ପାଇଁ ଚାରିରୁ ପାଞ୍ଚ ଦିନ ସମୟ ଲାଗିଥାଏ । ନିଜର ହସ୍ତକଳା ମାଧ୍ୟରେ ବାନ୍ଧଶାଢ଼ୀ, ବମକେଇ ଶାଢ଼ୀ, ପଶାପଲି ଶାଢ଼ୀ ବୁଣୁଛନ୍ତି । ବଜାରରେ ଏହି ଶାଢ଼ୀର ବେଶ ଚାହିଦା ରହିଛି ।
ହେଲେ ବେପାରୀ ମାଲେମାଲ ହେଉଥିବା ବେଳେ ଏହି ବୁଣାକାର ପରିବାର କିନ୍ତୁ ଅବହେଳିତ । ଯଦି ସରକାରଙ୍କ ତରଫରୁ ଏମାନଙ୍କୁ ସମସ୍ତ ଆନୁସାଙ୍ଗିକ ସାମଗ୍ରୀ ଯୋଗାଇ ଦେଇ ମଜୁରୀ ବୃଦ୍ଧି କରାଯାଇପାରନ୍ତା, ତେବେ ବୁଣାକାର ପରିବାର ଉପକୃତ ହୋଇପାରନ୍ତେ । ଜିଲ୍ଲାରେ ଆଠ ହଜାର ବୁଣାକାର ପରିବାର ଅଛନ୍ତି ।
ତେବେ ଏ ସମ୍ପର୍କରେ ରାଜ୍ୟ ବୟନିକା ସଭାପତିଙ୍କୁ ପଚାରିବାରୁ ସେ ବୁଣାକାରଙ୍କୁ ସବସିଡିରେ ସୂତା ଦେବା ସହ କିପରି ଆର୍ଥିକ କ୍ଷେତ୍ରରେ ସେମାନେ ଉନ୍ନତି କରିବେ ଚେଷ୍ଟା କରିବେ ବୋଲି କହିଛନ୍ତି । ଏପଟେ ରାଜ୍ୟ ସରକାର ଏହି ହସ୍ତତନ୍ତ କାରିଗର ପରିବାରକୁ ଉପଯୁକ୍ତ ପାରିଶ୍ରମିକ ସହ ସାହାୟତା ଯୋଗେଇ ଦେଲେ ସେମାନେ ଆର୍ଥିକ କ୍ଷେତ୍ରରେ ଆହୁରୀ ସ୍ୱାବଲମ୍ବୀ ହୋଇପାରନ୍ତେ ଓ ନିଜ କୌଳିକ ବୃତ୍ତି ସହିତ ଜଡିତ ହୋଇ ରୁହନ୍ତେ ।