ଓ୍ୱାର୍ଡ କାଉନସିଲରରୁ ରାଷ୍ଟ୍ରପତି: ଜନ୍ମଦିନରେ ଜାଣନ୍ତୁ ଭଞ୍ଜବଂଶୀ ଦ୍ରୌପଦୀ ମୁର୍ମୁଙ୍କ ଜୀବନର କିଛି ଅନାଲୋଚିତ କଥା

ସ୍ୱାଧୀନ ଭାରତର ପଞ୍ଚଦଶ ରାଷ୍ଟ୍ରପତି ହେଉଛନ୍ତି ଓଡ଼ିଆ ଝିଅ ଭଞ୍ଜବଂଶୀ ଦ୍ରୌପଦୀ ମୁର୍ମୁ। ସେ ମାଟିର ଝିଅ, ମାଆ ମାଟିର ବାସ୍ନାରେ ବଢ଼ିଛନ୍ତି। ସମସ୍ୟା ଓ ସଂଘର୍ଷର ଜୀବନୀ ଭିତରେ ବି ସେ ଛାତ୍ରଜୀବନରୁ ସମାଜସେବା ପ୍ରତି ବ୍ରତୀ ହୋଇଛନ୍ତି। ଶିକ୍ଷାଦାନ ଭଳି ଗୁରୁଦାୟିତ୍ୱକୁ ବି ନିର୍ବାହ କରିଛନ୍ତି। ରାଜନୀତିରେ ପାଦ ଦେଇ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ମନ୍ତ୍ରୀ ପଦରେ ରହି ଜନତାଙ୍କ ଜନହିତରେ କାମ କରି ଚର୍ଚ୍ଚାକୁ ଆସିଛନ୍ତି। ରାଜ୍ୟପାଳ ଭାବେ ସାମ୍ବିଧାନିକ ପଦରେ ଅଧିଷ୍ଠିତ ହୋଇ ସେବା ଯୋଗାଇଛନ୍ତି। ପରେ ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ରର ସର୍ବୋଚ୍ଚ ପଦବୀରେ ହୋଇଛନ୍ତି ଅଧିଷ୍ଠିତ। ରାଇରଙ୍ଗପୁରରୁ ରାଇସିନାକୁ ଯାତ୍ରା କରିପାରିଥିବା ଏହି ଜନପ୍ରିୟ ନେତ୍ରୀଙ୍କର ଆଜି ଜନ୍ମ ଦିନ…

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା:

ଜୁନ୍‌ ୨୦ ତାରିଖ ୧୯୫୮ ମସିହାରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଉପରବେଡାର ଏକ ସାଧାରଣ ସାନ୍ତାଳୀ ଘରେ ଦ୍ରୌପଦୀ ମୁର୍ମୁଙ୍କ ଜନ୍ମ। ଭାରତର ରାଷ୍ଟ୍ରପତି ହେବାରେ ସେ ପ୍ରଥମ ଆଦିବାସୀ। ମୟୂରଭଞ୍ଜ ପରି ଏକ ପଛୁଆ ଜିଲ୍ଲାରୁ ଆସିଥିବା ଦ୍ରୌପଦୀ ମୁର୍ମୁ ଆଜି ଓଡ଼ିଶାକୁ ବିଶ୍ୱବିଦିତ କରିଛନ୍ତି। ଜଙ୍ଗଲ ମାଟିରୁ ସେ ଯାଇଛନ୍ତି ରାଇସିନା ହିଲ୍‌। ତିନି ସେନାର ସେନାନାୟକ ମହାମହିମ ପଦରେ ଅବସ୍ଥାପିତ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ।

ଦ୍ରୌପଦୀଙ୍କ ମୂଳ ନାମ ଥିଲା ପୁତି ଟୁଡୁ। ତାଙ୍କୁ ତାଙ୍କ ସ୍କୁଲରେ ଶିକ୍ଷକ ଦ୍ରୌପଦୀ ନାମ ଦେଇଥିଲେ। ତାଙ୍କ ନାମ ଅନେକ ଥର ପରିବର୍ତ୍ତନ କରାଯାଇଥିଲା। ଅତୀତରେ ତାଙ୍କୁ ଦୁର୍ପାଦି, ଡୋର୍ପଦି ଆଦି ନାମ ମଧ୍ୟ ଦିଆଯାଇଥିଲା। ତାଙ୍କ ପିତାଙ୍କ ନାମ ଥିଲା ବିରଞ୍ଜି ନାରାୟଣ ଟୁଡୁ। ତାଙ୍କ ବାପା ଓ ଜେଜେବାପା ଉଭୟ ପଞ୍ଚାୟତିରାଜ ଶାସନ ବ୍ୟବସ୍ଥାରେ ଗାଁ ମୁଖିଆ ଥିଲେ।

ଦ୍ରୌପଦୀ ମୁର୍ମୁ ଉବରବଡ଼ୋ ପ୍ରାଥମିକ ବିଦ୍ୟାଳୟରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲେ। ତା’ପରେ ଭୁବନେଶ୍ୱର ଆସି ୟୁନିଟ୍‌-୨ ବାଳିକା ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ କରିଥିଲେ ଓ ରମାଦେବୀ ମହିଳା ମହାବିଦ୍ୟାଳୟରେ କଳାରେ ସ୍ନାତକ ପର୍ଯ୍ୟନ୍ତ ଶିକ୍ଷାଗ୍ରହଣ କରିଥିଲେ।

ପରିବାର:

ଶ୍ୟାମ ଚରଣ ମୁର୍ମୁଙ୍କୁ ବିବାହ କରିଥିଲେ ଦ୍ରୌପଦୀ ମୁର୍ମୁ। ବିବାହ ପରେ ଦ୍ରୌପଦୀ ନିଜ ସାଙ୍ଗିଆ ଟୁଡ଼ୁରୁ ମୁର୍ମୁକୁ ପରିବର୍ତ୍ତିତ କରିଥିଲେ। ତାଙ୍କ ଔରସରୁ ଜନ୍ମ ନେଇଥିଲେ ଲକ୍ଷ୍ମଣ ମୁର୍ମୁ ଏବଂ ସିପୁନ୍‌ ମୁର୍ମୁ ନାମକ ଦୁଇ ପୁଅ ଓ ଇତିଶ୍ରୀ ନାମ୍ନୀ ଜଣେ କନ୍ୟା।

ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଥିବା ଦ୍ରୌପଦୀ ମୁର୍ମୁଙ୍କ ଜୀବନରେ ଏମିତି ଏକ ସମୟ ଆସିଥିଲା, ଯେତେବେଳେ ସେ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲେ। ୨୦୦୯ରୁ ୨୦୧୩ ମସିହା, ମାତ୍ର ୪ ବର୍ଷ ଭିତରେ ଆରପାରିକୁ ଆଗପଛ ହୋଇଚାଲିଯାଇଥିଲେ ତାଙ୍କ ସ୍ୱାମୀ ଓ ଦୁଇ ପୁଅ। ମାତ୍ର ଅଳ୍ପ ବୟସରେ ସମସ୍ତଙ୍କୁ ହରାଇ ଦ୍ରୌପଦୀ ସାମ୍ନା କରିଥିଲେ ତାଙ୍କ ଜୀବନର ସବୁଠୁ କଷ୍ଟ ଓ ଦୁଃଖ ସମୟ। ସେତେବେଳେ ଅବସାଦରୁ ମୁକୁଳିବା ପାଇଁ ଧାର୍ମିକ ପଥକୁ ଚୟନ କରି ପ୍ରଜାପତି ବ୍ରହ୍ମକୁମାରୀ ସଂସ୍ଥାରେ ଯୋଗ ଦେଲେ। କିନ୍ତୁ ସମାଜ ପରିବର୍ତ୍ତନର ସକାରାତ୍ମକ ଇଚ୍ଛା ଶକ୍ତି ତାଙ୍କୁ ପୁଣି ଥରେ ଦମ୍ଭ ଦେଲା ଠିଆ ହେବାକୁ।

ବୃତ୍ତି:

ବର୍ତ୍ତମାନର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ସରକାରଙ୍କ ଅଧୀନରେ ଜଳସେଚନ ଓ ବିଦ୍ୟୁତ ବିଭାଗରେ କନିଷ୍ଠ ସହାୟିକା ଭାବେ କାର୍ଯ୍ୟ କରିଥିଲେ। ଏହା ପରେ ରାଇରଙ୍ଗପୁରଠାରେ ଥିବା ଶ୍ରୀ ଅରବିନ୍ଦ ଇଣ୍ଟିଗ୍ରାଲ ଏଜୁକେସନରେ ଶିକ୍ଷକତା କରିଥିଲେ।

ରାଜନୈତିକ ଜୀବନ:

ଦ୍ରୌପଦୀ ମୁର୍ମୁ ୧୯୯୭ ମସିହାରେ ରାଜନୀତିରେ ପ୍ରବେଶ କରିଥିଲେ। ୧୯୯୭ରେ ସେ ୱାର୍ଡ ସଭ୍ୟ ଭାବେ ନିର୍ବାଚିତ ହେବା ପରେ ରାଇରଙ୍ଗପୁର ପୌରାଧ୍ୟକ୍ଷା ପଦ ସମ୍ଭାଳିଥିଲେ। ଭାରତୀୟ ଜନତା ପାର୍ଟିର ଦଳୀୟ ପ୍ରାର୍ଥୀ ଭାବେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରୁ ୨୦୦୦ ଏବଂ ୨୦୦୪ରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ।

ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟିର ସଂଯୁକ୍ତ ଶାସନ ବେଳେ ସେ ସ୍ୱାଧୀନ ବାଣିଜ୍ୟ ଏବଂ ଗମନାଗମନ ମନ୍ତ୍ରୀ ଭାବେ ମାର୍ଚ୍ଚ ୬, ୨୦୦୦ରୁ ଅଗଷ୍ଟ ୬, ୨୦୦୨ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ଏଥିସହ ମତ୍ସ୍ୟ ଏବଂ ପଶୁସମ୍ପଦ ବିଭାଗରେ ମନ୍ତ୍ରୀ ଭାବେ ୨୦୦୨ ଅଗଷ୍ଟ ୬ରୁ ୨୦୦୪ ମେ ୧୬ ଯାଏଁ କାର୍ଯ୍ୟ କରିଥିଲେ।

୧୯୯୭ରୁ ସେ ବିଜେପିର ଆଦିବାସୀ ମୋର୍ଚ୍ଚା ସହ ଜଡ଼ିତ। ୧୯୯୭ରେ ଦ୍ରୌପଦୀ ମୁର୍ମୁଙ୍କୁ ଭାରତୀୟ ଜନତା ପାର୍ଟିର ଆଦିବାସୀ ମୋର୍ଚ୍ଚାର ଉପ-ସଭାପତି ପଦ ମିଳିଥିଲା। ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ଥିଲେ। ୨୦୦୬ରୁ ୨୦୦୯ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଜ୍ୟ ଅଧ୍ୟକ୍ଷା ଥିଲେ। ୨୦୧୦ରେ ମୟୂରଭଞ୍ଜର ଭାରତୀୟ ଜନତା ପାର୍ଟି (ପୂର୍ବ)ର ଜିଲ୍ଲା ଅଧ୍ୟକ୍ଷା ରହିଥିଲେ। ୨୦୧୩ରୁ ଏପ୍ରିଲ ୧୦, ୨୦୧୫ ପର୍ଯ୍ୟନ୍ତ ସେ ଭାରତୀୟ ଜନତା ପାର୍ଟି (ପୂର୍ବ)ର ଜିଲ୍ଲା ଅଧ୍ୟକ୍ଷା ଓ ୨୦୧୩ରୁ ଏପ୍ରିଲ ୧୦, ୨୦୧୫ ଯାଏଁ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ରହିଥିଲେ।

ଏହା ପରେ ୨୦୧୪ରେ ବିଜେପି ଶାସନ କ୍ଷମତାକୁ ଫେରିବା ପରେ ପୁଣି ଥରେ ଦ୍ରୌପଦୀ ମୁର୍ମୁ ରାଜନୀତିରେ ସକ୍ରିୟ ହେଲେ। ୨୦୧୫ରେ ସେ ଝାଡ଼ଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ଭାବେ ଦାୟିତ୍ୱ ନେଲେ ଓ ୨୦୨୧ ଯାଏଁ କାର୍ଯ୍ୟ କରିଥିଲେ।

ଏହା ପରେ ସେ ୨୦୨୨ ମସିହାରେ ଭାରତର ୧୫ତମ ରାଷ୍ଟ୍ରପତି ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରିଥିଲେ ଦ୍ରୌପଦୀ ମୁର୍ମୁ।

ନିଜ ବ୍ୟକ୍ତିତ୍ୱ, ଦୂରଦର୍ଶୀ ନେତୃତ୍ୱ ଓ ସମାଜସେବା ଜରିଆରେ ଦ୍ରୌପଦୀ ମୁର୍ମୁ ପ୍ରମାଣ କରିଦେଇଛନ୍ତି ଯେ ଯେତେ ବି ଜଟିଳ ପରିସ୍ଥିତି ଆସୁ ନା କାଇଁ ଜଣେ ମହିଳାର ଭାଗ୍ୟ କେବଳ ଘରର ଚାରି କାନ୍ଥ ପାଇଁ ଉଦ୍ଦିଷ୍ଟ ନୁହେଁ। ଆଉ ସୁଦୂର ଜିଲ୍ଲାରୁ ଆସି ରାଷ୍ଟ୍ରପତି ଭବନରେ ତାଙ୍କ ପ୍ରବେଶ ସମସ୍ତଙ୍କ ପାଇଁ ସାଜିଛି ପ୍ରେରଣାଦାୟୀ ଉଦାହରଣ।

You might also like