ଆଜି ପବିତ୍ର ଶାମ୍ବ ଦଶମୀ, ଜାଣନ୍ତୁ ଏହି ପୂଜାର ବିଧି ଓ ବିଶେଷତ୍ୱ

ଆଜି ପବିତ୍ର ଶାମ୍ବ ଦଶମୀ। ପ୍ରତିଟି ଓଡ଼ିଆ ଘରେ ପୌଷ ଶୁକ୍ଳ ଦଶମୀ ଦିନ ପାଳନ କରାଯାଏ ଶାମ୍ବ ଦଶମୀ । ଏହି ଦିନ ସୂର୍ଯ୍ୟ ଦେବଙ୍କୁ ଭୋରରୁ ଉଠି ପୂଜା କରାଯାଏ। ମୁଖ୍ୟତଃ ଓଡ଼ିଶାର ପୂର୍ବ ଭାଗରେ ଏହି ପୂଜା ବେଶ ଧୁମ୍ ଧାମରେ ପାଳନ କରାଯାଇଥାଏ।

କିମ୍ବଦନ୍ତୀ ଅନୁଯାୟୀ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ କୁଷ୍ଠ ରୋଗରେ ପୀଡ଼ିତ ଥିଲେ। ଏହି ରୋଗରୁ ମୁକ୍ତି ପାଇବା ପାଇଁ ସେ କୋଣାର୍କର ସୂର୍ଯ୍ୟ ମନ୍ଦିରରେ କଠିନ ତପସ୍ୟା କରିଥିଲେ। ଶାମ୍ବଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ସୂର୍ଯ୍ୟଦେବ ତାଙ୍କୁ ରୋଗମୁକ୍ତ କରିଥିଲେ। ଯେଉଁ ଦିନଠାରୁ ଶାମ୍ବଙ୍କର କୁଷ୍ଠ ରୋଗ ଭଲ ହୋଇଥିଲା ସେହିଦିନ ଠାରୁ ସେହି ତିଥିକୁ ଶାମ୍ବ ଦଶମୀ ଭାବେ ପାଳନ କରାଯାଉଛି। ଏହି ଦିନ ମା’ ମାନେ ନିଜର ପିଲାଙ୍କର ସୁସ୍ଥତା କାମନା କରି ସୂର୍ଯ୍ୟ ଦେବଙ୍କୁ ପ୍ରସନ୍ନ କରିବା ପାଇଁ ବିଭିନ୍ନ ରକମରକର ସ୍ୱାଦିଷ୍ଟ ବ୍ୟଞ୍ଜନ ତିଆରି କରି ସୂର୍ଯ୍ୟଙ୍କ ନିକଟରେ ପୂଜା କରିଥାନ୍ତି।

ଏହିଦିନ ସୂର୍ଯ୍ୟଙ୍କ ଆକାଶରେ ତିନି ପ୍ରହରର ସ୍ଥିତିକୁ ଲକ୍ଷ୍ୟ କରି ଘରେ ତିନି ପ୍ରକାର ଧୂପ ବା ପୂଜା ଅନୁଷ୍ଠିତ ହୋଇଥାଏ । ସୂର୍ଯ୍ୟୋଦୟ ସମୟରେ ପ୍ରଥମ ଧୂପ। ଏହି ଦିନ ମହିଳାମାନେ ସକାଳୁ ସ୍ନାନ ସାରି ଶୁଦ୍ଧପୂତ ହୋଇ ଫଳମୂଳ ଓ ମିଷ୍ଟାନ୍ନ ଇତ୍ୟାଦି ଭୋଗ କରିଥାନ୍ତି । ମଧ୍ୟାହ୍ନରେ ସୂର୍ଯ୍ୟଙ୍କୁ ଦ୍ୱିତୀୟ ଧୂପ ଦିଆଯାଏ । ଏହା ଶାମ୍ବ ଦଶମୀର ମୁଖ୍ୟ ଧୂପ । ଏଥିରେ ଗଇଁଠା, ଅଟକାଳି, ବିଭିନ୍ନ ପ୍ରକାରର ପିଠା, ଖେଚୁଡ଼ି, ଘଡ଼ଘଡ଼ା ତିଅଣ ଆଦି ଭୋଗ ହୁଏ । ଶେଷଧୂପ ବା ତୃତୀୟ ଧୂପ ହେଉଛି ସୂର୍ଯ୍ୟ ଅସ୍ତ ସମୟ। ଏହି ଧୂପରେ ଚକୁଳି, ଏଣ୍ଡୁରି, କାକରା, ମାଲପୁଆ, ଗଜା, ବିରି ପୁଳି ଆଦି ନୈବେଦ୍ୟ ଅର୍ପଣ କରାଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.