ଦ ଟଲ୍ ମ୍ୟାନ ବିଜୁ ବାବୁଙ୍କର ଆଜି ୨୮ ତମ ଶ୍ରାଦ୍ଧ ବାର୍ଷିକୀ, ଓଡିଆଙ୍କ ମାଟି ପାଇଁ ଥିଲେ ’ଝଡ଼ର ଇଗଲ’

ଓଡିଆ ସ୍ୱାଭିମାନ ଓ ସଂକଳ୍ପର କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକ । ଓଡିଆଙ୍କ ଗର୍ବ ଏବଂ ଗୌରବ । ନୂଆ ଓଡ଼ିଶା ଗଠନ କରିବାରେ ତାଙ୍କର ଥିଲା ପ୍ରମୁଖ ଭୂମିକା । ସାହସୀ ଓ ନିର୍ଭିକ ବ୍ୟକ୍ତିତ୍ବ ଭାବେ ପ୍ରତିଟି ଓଡ଼ିଆଙ୍କ ମନରେ ସେ ରହିଛନ୍ତି । ବିଜୁ ବାବୁ ଥିଲେ ଏକ ଅଦ୍ୱିତୀୟ ବ୍ୟକ୍ତିତ୍ୱ, ଏକ ମହାନ ଜନନାୟକ । ଆଜି ସେହି ମହାନାୟକଙ୍କ ୨୮ ତମ ଶ୍ରାଦ୍ଧ ବାର୍ଷିକୀ ।
ବିଜୁ ବାବୁ ଥିଲେ କଳିଙ୍ଗ ମାଟିର ଦ ଟଲ୍ ମ୍ୟାନ । ନବ ଉତ୍କଳର ଅନ୍ୟତମ ପୁରୋଧା । କିଏ କହେ ’ମାଟିର ବରପୁତ୍ର’ କିଏ କହେ ’ଝଡ଼ର ଇଗଲ’ । ରୋକଠୋକ୍ କଥା । ସ୍ପଷ୍ଟ, ଶାଣିତ ଓ ସାହସିକ ସ୍ବର । ତାଙ୍କର ଅଭିନବ ଉଦ୍ୟମ, ସାହସ ଏବଂ କ୍ରାନ୍ତିକାରୀ ପଦକ୍ଷେପ ଯୋଗୁଁ ସେ ସମସ୍ତଙ୍କ ମନର ମହାନାୟକ । ତାଙ୍କ ବ୍ୟକ୍ତିତ୍ୱ ଓଡିଶାବାସୀଙ୍କୁ ସବୁବେଳେ ଉଦବୁଦ୍ଧ କରିଆସିଛି, ପ୍ରେରଣା ଯୋଗାଇ ଆସିଛି । ବିଜୟାନନ୍ଦ ପଟ୍ଟନାୟକ, ସମସ୍ତଙ୍କ ପ୍ରିୟ ବିଜୁ ବାବୁ । ଏହି ମହାନ ଦୂରଦୃଷ୍ଟି ସମ୍ପନ୍ନ ତଥା ଟାଣୁଆ ନେତା ୧୯୧୬ ମାର୍ଚ୍ଚ ୫ରେ କଟକ ଅନ୍ତର୍ଗତ ତୁଳସୀପୁର ଆନନ୍ଦ ଭବନରେ ଏକ ସ୍ୱାଧୀନତା ସଂଗ୍ରାମୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ।
ସ୍ୱାଧୀନତା ପରେ ଓଡ଼ିଶାକୁ ଏକ ବିଭବଶାଳୀ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ସେ ଦେଖିଥିଲେ ସ୍ୱପ୍ନ । ୧୯୫୨ରେ ଜଗନ୍ନାଥପ୍ରସାଦ ଓ ୧୯୫୭ରେ ସୋରଡ଼ା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୬୦ ଦଶକ ଆରମ୍ଭରେ ରାଜ୍ୟ କଂଗ୍ରେସର ମଙ୍ଗ ଧରିଥିଲେ ବିଜୁବାବୁ । ବିଜୁବାବୁଙ୍କ ନେତୃତ୍ୱରେ ୧୪୦ ଆସନରୁ ୮୨ ଆସନ ଜିତିଥିଲା କଂଗ୍ରେସ । ୧୯୬୧ରେ ମାତ୍ର ୪୫ ବର୍ଷ ବୟସରେ ବିଜୁ ପଟ୍ଟନାୟକ ହୋଇଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ । ଆଧୁନିକ ଓଡ଼ିଶା ନିର୍ମାଣର ନିଅଁ ପଡ଼ିଥିଲା ବିଜୁଙ୍କ ହାତରେ । ଓଡ଼ିଶାରେ ମୁଣ୍ଡ ଟେକିଥିଲା ବହୁ ଶିଳ୍ପ, କଳ କାରଖାନା ।
୧୯୬୧ରେ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ନିର୍ବାଚିତ ହୋଇ ୧୯୬୩ ଯାଏଁ ଓଡ଼ିଶାର ନେତୃତ୍ବ ନେଇଥିଲେ । ତାଙ୍କ ଉଦ୍ୟମରେ ଓଡ଼ିଶାରେ ବହୁ କାରଖାନା ପ୍ରତିଷ୍ଠିତ ହୋଇଥିଲା । ପାରାଦୀପରେ ଏକ ବୃହତ୍ ବନ୍ଦର ସ୍ଥାପନ ପାଇଁ ସେ ହିଁ ପ୍ରଥମେ ପଦକ୍ଷେପ ନେଇଥିଲେ । ତାଙ୍କ ମାନସ ପୁତ୍ର ଥିବା ପାରାଦ୍ବୀପ ବନ୍ଦରର ଭିତ୍ତି ପଡିଥିଲା ୧୯୬୨ରେ । ଏହି କାର୍ଯ୍ୟକାଳ ସମୟରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ଏହି ବିଶ୍ବବିଦ୍ୟାଳୟ ଭାରତ ଦ୍ବିତୀୟ ପୁରାତନ କୃଷି ବିଶ୍ବବିଦ୍ୟାଳୟ ।
କେବଳ ରାଜ୍ୟ ନୁହେଁ ଜାତୀୟ ରାଜନୀତିରେ ମଧ୍ୟ ବିଜୁ ବାବୁ ଥିଲେ ବେଶ୍ ପ୍ରଭାବଶାଳୀ । ନେହେରୁ ହୁଅନ୍ତୁ ବା ଇନ୍ଦିରା, ସବୁ ସମୟରେ ବିଜୁବାବୁଙ୍କର ଥିଲା ଅଖଣ୍ଡ ପ୍ରଭାବ । ସାଲିସ ବିହୀନ ରାଜନୀତି ଥିଲା ତାଙ୍କର ମନ୍ତ୍ର । ଯେଉଁଥିପାଇଁ ସେ କଂଗ୍ରେସ ଛାଡ଼ି ଉତ୍କଳ କଂଗ୍ରେସ ନାଁରେ ନୂଆ ଆଞ୍ଚଳିକ ଦଳ ଗଢ଼ିଥିଲେ । ପରବର୍ତ୍ତୀ ସମୟରେ ଜନତା ଦଳକୁ ଯାଇଥିଲେ ବିଜୁ ପଟ୍ଟନାୟକ । ଅଣ କଂଗ୍ରେସ ରାଜନୀତିର ପ୍ରମୁଖ ପୁରୋଧ ଥିଲେ ବିଜୁ ପଟ୍ଟନାୟକ । ଜରୁରୀ ପରିସ୍ଥିତି ବିରୋଧରେ ଲଢ଼ି ଜେଲ ମଧ୍ୟ ଯାଇଥିଲେ ବିଜୁବାବୁ । ପ୍ରାୟ ୧୬-୧୭ ମାସ ଜେଲରେ ରହିଥିଲେ । ପରେ ଜନତା ପାର୍ଟି କେନ୍ଦ୍ରରେ ସରକାର ଆସିବା ପରେ ବିଜୁ ପଟ୍ଟନାୟକ ହୋଇଥିଲେ କ୍ୟାବିନେଟ ମନ୍ତ୍ରୀ । ୧୯୭୭ରୁ ୧୯୭୯ ମଧ୍ୟରେ ଥିଲେ ଖଣି ଓ ଇସ୍ପାତ ମନ୍ତ୍ରୀ । ସେତେବେଳେ ସେ ଥିଲେ କେନ୍ଦ୍ରାପଡ଼ା ସାଂସଦ ।
ପରବର୍ତ୍ତୀ ସମୟରେ ଦେଶବ୍ୟାପୀ କଂଗ୍ରେସ ଲହର ସତ୍ତ୍ୱେ କେନ୍ଦ୍ରାପଡ଼ାରୁ ଲଗାତର ଦୁଇଥର ସାଂସଦ ହୋଇଥିଲେ । ୧୯୮୯ରେ ଭିପି ସିଂହଙ୍କୁ ପ୍ରଧାନମନ୍ତ୍ରୀ କରାଇବାରେ ବିଜୁବାବୁ ଥିଲେ ପରଦା ପଛର ନାୟକ । ୧୯୯୦ରେ ବିଜୁ ପଟ୍ଟନାୟକଙ୍କର ଏମିତି ଲହରୀ ଆସିଲା, ଯେଉଁଥିରେ କି କଂଗ୍ରେସ ପୂରା ସଫା ହୋଇଯାଇଥିଲା । ରେକର୍ଡ ସଂଖ୍ୟକ ଆସନରେ ବିଜୟଲାଭ କରି ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ ବିଜୁ ପଟ୍ଟନାୟକ । ୫ ମାର୍ଚ୍ଚ ୧୯୯୦ରୁ ୧୫ ମାର୍ଚ୍ଚ ୧୯୯୫ ଯାଏ ଥିଲେ ମୁଖ୍ୟମନ୍ତ୍ରୀ । ଦ୍ବିତୀୟ ଶାସନ କାଳରେ ବିଜୁ ବାବୁ ଓଡ଼ିଶାକୁ ତିରିଶଟି ଜିଲ୍ଲାରେ ବିଭକ୍ତ କରିଥିଲେ। ତାଙ୍କ ସମୟରେ ପଞ୍ଚାୟତ ଓ ନଗରପାଳିକା ବ୍ୟବସ୍ଥାରେ ମହିଳାଙ୍କ ନିମନ୍ତେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କାର୍ଯ୍ୟକାରୀ ହୋଇଥିଲା ।
ଶିଳ୍ପାୟନକୁ ବାଦ୍ ଦେଇ ଆଧୁନିକ ଓଡ଼ିଶା ଗଠନ ଅସମ୍ଭବ। ଏହାକୁ ବୁଝିଥିଲେ ବିଜୁ ବାବୁ । ତାଙ୍କ ଉଦ୍ୟମରେ ୧୯୬୪ରେ ଚୌଦ୍ବାରରେ ଓଟିଏମ ପ୍ରତିଷ୍ଠା ହୋଇଥିଲା । ତାଙ୍କର ମହତ୍ବକାଂକ୍ଷୀ ଯୋଜନା ଦଶନ୍ଧିର ଭାଗ୍ୟ ଓଡ଼ିଶାକୁ ନୂଆ ସୋପାନକୁ ନେବା ପାଇଁ ଉଦ୍ଦିଷ୍ଟ ଥିଲା । ଏହି ଯୋଜନା କାର୍ଯ୍ୟ କରିବାକୁ କଳିଙ୍ଗ ରିଫ୍ରାକଟୋରିଜ, ତାଳଚେର ତାପଜ ବିଦ୍ୟୁତ୍ କେନ୍ଦ୍ର, ଥେରୁବାଲିରେ ଫେରୋ ସିଲିକନ କମ୍ପ୍ଲେକସ, ବାଲିମେଳାରେ ଜଳବିଦ୍ୟୁତ୍ କେନ୍ଦ୍ର ଓ ସୁନାବେଡ଼ାରେ ମିଗ୍ କାରଖାନା ସ୍ଥାପନ ହୋଇଥିଲା । ଓଡ଼ିଶାରେ ନାଲୋକ ପ୍ରତିଷ୍ଠା ମଧ୍ୟ ତାଙ୍କ ଉଦ୍ୟମ ଯୋଗଁ ସମ୍ଭବ ହୋଇ ପାରିଥିଲା । ଭୁବନେଶ୍ବର ବିମାନବନ୍ଦର ତାଙ୍କର ଉଦ୍ୟମ ଯୋଗୁଁ ସଫଳ ହୋଇଥିଲା ।
ଜଣେ ସଫଳ ଓ ପ୍ରଭାବଶାଳୀ ରାଜନେତା । ଏହି ପରିଚୟ ବ୍ୟତୀତ ଆଉ ଏକ ପରିଚୟ ଜଣେ ସାହସୀ ପାଇଲଟ । ସ୍ବାଧୀନ ପରେ ପାକିସ୍ତାନ ବିରୋଧରେ କାଶ୍ମୀର ଯୁଦ୍ଧ ବେଳେ ପାଇଲଟ ଭାବେ ବିଜୁବାବୁଙ୍କ ଅଦମ୍ୟ ସାହସ କିଏ ବା ଭୁଲିପାରିବ ? କୁହାଯାଏ ଯେ, ଯଦି ବିଜୁ ପଟ୍ଟନାୟକ ସାହସର ସହ ଭାରତୀୟ ସେନାର ଯବାନମାନଙ୍କୁ ଶ୍ରୀନଗରରେ ପହଂଚାଇ ନଥାନ୍ତେ, ତାହା ହେଲେ ଆଜି ବୋଧହୁଏ ଜାମ୍ମୁ ଓ କାଶ୍ମୀର ପାକିସ୍ତାନ କବଜାରେ ଥାଆନ୍ତା । ଇଣ୍ଡୋନେସିଆ ସ୍ୱାଧୀନତା ସଂଗ୍ରାମୀଙ୍କୁ ଉଦ୍ଧାର ଅଭିଯାନରେ ଏକ ଲଢୁଆ ପାଇଲଟ ଭାବେ ବିଜୁ ପଟ୍ଟନାୟକ ଭାରତ ସହ ଅନ୍ୟ କିଛି ଦେଶରେ ବି ବିପଦପୂର୍ଣ୍ଣ ଅପରେସନ ସଫଳତାର ସହ ସଂପାଦନ କରିଥିଲେ । ଅଦମ୍ୟ ବୀରତ୍ୱ ଓ ସାହସିକତା ପାଇଁ ବିଜୁ ବାବୁଙ୍କୁ ଇଣ୍ଡୋନେସିଆ ତାର ସର୍ବୋଚ୍ଚ ‘ଭୂମିପୁତ୍ର’ ସମ୍ମାନରେ ସମ୍ମାନିତ କରିବା ସହ ଇଣ୍ଡୋନେସିଆର ଆଜୀବନ ନାଗରିକତ୍ୱ ପ୍ରଦାନ କରିଥିଲା ।
୧୯୯୭ ମସିହା ଏପ୍ରିଲ ୧୭ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ବିଜୁବାବୁ । ସ୍ବାଧୀନତା ପରେ ଓଡ଼ିଶାକୁ ଏକ ବିଭବଶାଳୀ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ଦେଖିଥିଲେ ସ୍ବପ୍ନ । ତାକୁ ପୂରଣ କରିବାକୁ ଜୀବନର ଶେଷ ନିଶ୍ବସ ପର୍ଯ୍ୟନ୍ତ ଉଦ୍ୟମ ଜାରି ରଖିଥିଲେ । ତେଣୁ ସେ ଆଧୁନିକ ଓଡିଶାର କିମ୍ବଦନ୍ତୀ ନେତା ତଥା ସ୍ଥପତି ଭାବେ ସମସ୍ତଙ୍କ ହୃଦୟରେ ରହିଛନ୍ତି ।
ଆହୁରି ପଢ଼ନ୍ତୁ : ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ, ବିନ୍ଦୁସାଗର କୂଳରେ ତିଳତର୍ପଣ କଲେ ବିଜେଡି ନେତା