ବାୟୁସେନାରେ ୱିଙ୍ଗ କମାଣ୍ଡରରୁ ମହାକାଶ ଯାତ୍ରା: ଜାଣନ୍ତୁ, ଭାରତର ପ୍ରଥମ ମହାକାଶଚାରୀ ରାକେଶ ଶର୍ମାଙ୍କ ବିଷୟରେ ରୋଚକ କଥା

ଆଜି ମହାକାଶରେ ପାଦ ଦେଇଥିବା ପ୍ରଥମ ଭାରତୀୟ ରାକେଶ ଶର୍ମାଙ୍କ ୭୬ତମ ଜନ୍ମଦିନ । ସେ  ୧୯୪୯ ମସିହା ଜାନୁଆରୀ ୧୩ ତାରିଖରେ ପଞ୍ଜାବର ପଟିଆଲାଠାରେ ଜନ୍ମ  ଗ୍ରହଣ କରିଥିଲେ । ୧୯୮୪ ମସିହାରେ ପ୍ରଥମ ଭାରତୀୟ ଭାବେ ମହାକାଶକୁ ଯାତ୍ରା କରି ରାକେଶ ଶର୍ମା ଭାରତୀୟ ଇତିହାସରେ ଏକ ବିଶେଷ ସ୍ଥାନ ହାସଲ କରିଛନ୍ତି । ତାଙ୍କର ଏହି ସଫଳତା ବିଶ୍ୱ ମହାକାଶ ମଞ୍ଚରେ ଭାରତକୁ ଗର୍ବିତ କରିବା ସହିତ ଦେଶବାସୀଙ୍କ ପାଇଁ ପ୍ରେରଣା ଏକ ଉତ୍ସ ହୋଇପାରିଛି ।

ରାକେଶ ଶର୍ମା ଭାରତୀୟ ବାୟୁସେନା (IAF) ର ଜଣେ ଦକ୍ଷ ପାଇଲଟ୍ ଥିଲେ ଯିଏ ସୋଭିୟତ୍ ମହାକାଶଯାନ ‘ସୋୟୁଜ୍ ଟି -୧୧’ ରେ ମହାକାଶ ମିଶନ ପାଇଁ ମନୋନୀତ ହୋଇଥିଲେ । ସେ ମହାକାଶରେ ୭ ଦିନ, ୨୧ ଘଣ୍ଟା ଏବଂ ୪୦ ମିନିଟ୍ ବିତାଇ ଏହି ମିଶନ ସମାପ୍ତ କରିଥିଲେ । ତାଙ୍କର ଏହି ଯାତ୍ରା ତାଙ୍କୁ କେବଳ ଜଣେ ଜାତୀୟ ହିରୋ କରି ନଥିଲା ବରଂ ମହାକାଶ ଅନୁସନ୍ଧାନରେ ବିଶ୍ୱସ୍ତରରେ ଭାରତର ଦକ୍ଷତା ପ୍ରଦର୍ଶନ କରିଥିଲା ।

ଏହି ଐତିହାସିକ ମିଶନ ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସହ ତାଙ୍କର ବାର୍ତ୍ତାଳାପ ଆଜି ବି ମଧ୍ୟ ମନେ ରହିଛି । ଯେତେବେଳେ ଇନ୍ଦିରା ଗାନ୍ଧୀ ତାଙ୍କୁ ମହାକାଶରୁ ଭାରତ କିପରି ଦେଖାଯାଉଛି ବୋଲି ପଚାରିଥିଲେ । ଶର୍ମା ସେତେବେଳେ ଗର୍ବର ସହିତ ଉତ୍ତର ଦେଇଥିଲେ ଯେ, ‘ସାରେ ଜହାଁ ସେ ଅଚ୍ଛା’। ତାଙ୍କର ଏହି ଉତ୍ତର ଆଜି ମଧ୍ୟ ଭାରତୀୟଙ୍କ ହୃଦୟରେ ଦେଶପ୍ରେମର ଭାବନାକୁ ଜାଗ୍ରତ ରଖିଛି ।

କହିରଖିବୁ ଯେ , ରାକେଶ ଶର୍ମା ଭାରତୀୟ ବାୟୁସେନାରେ ୱିଙ୍ଗ କମାଣ୍ଡର ଭାବରେ କାର୍ଯ୍ୟ କରିଥିଲେ ଏବଂ ତାଙ୍କ ସେବା ସମୟରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ ମଧ୍ୟ କରିଥିଲେ । ଏଥିରୁ ଅବସର ନେବା ପରେ ସେ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (HAL) ସହିତ ଏରୋସ୍ପେସ୍ ବିକାଶ ପ୍ରକଳ୍ପରେ କାର୍ଯ୍ୟ କରିଥିଲେ । ତାଙ୍କର ପାରଦର୍ଶିତା ଏବଂ ଅଭିଜ୍ଞତା ଭାରତର ଏରୋସ୍ପେସ୍ କ୍ଷେତ୍ରକୁ ନୂତନ ଉଚ୍ଚତାକୁ ଆଣିବାରେ ସହଯୋଗ କରିଥିଲା ।
ରାକେଶ ଶର୍ମାଙ୍କ ମହାକାଶ ଯାତ୍ରା କେବଳ ଭାରତ ପାଇଁ ଏକ ମାଇଲଖୁଣ୍ଟ ବୋଲି ପ୍ରମାଣିତ ହୋଇନାହିଁ ବରଂ ଏହା ଲକ୍ଷାଧିକ ଯୁବକଙ୍କ ପାଇଁ ପ୍ରେରଣା ଉତ୍ସ  ହୋଇଛି । ତାଙ୍କ କାହାଣୀ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ମହାକାଶ ଅନୁସନ୍ଧାନରେ କ୍ୟାରିୟର ଗଢ଼ିବାପାଇଁ ନୂତନ ପିଢ଼ିକୁ ପ୍ରେରଣା ଦେଇଯାଇଛି । ଆଜି ତାଙ୍କ ଜନ୍ମଦିନରେ ଭାରତ ତାଙ୍କର ଅବଦାନକୁ ମନେ ରଖିବା ସହିତ ମହାକାଶ ଅନୁସନ୍ଧାନ କ୍ଷେତ୍ରରେ ତାଙ୍କର ଐତିହାସିକ ସଫଳତାକୁ ସମ୍ମାନିତ କରିଛି ।

You might also like