ଗଛର ମଣିଷ ୭୦ବର୍ଷିୟ ନରୋତ୍ତମ ଦାସ, ଯାହାଙ୍କ ମନୋବଳ ଆଗରେ ହାର ମାନିଛି ବୟସ

ଉଦଳା(କେନ୍ୟୁଜ): ବୟସ ପାଖାପାଖି ୭୦ ହେବ । ହେଲେ ପରିବେଶ ଚିନ୍ତା ପାଇଁ ସବୁବେଳେ ସେ ନିଜ ଚେଷ୍ଟା ଜାରି ରଖିଛନ୍ତି । ବିଶେଷ କରି ସ୍ଥାନୀୟ ଯୁବକ ମାନଙ୍କୁ ପ୍ରେରଣା ଦେଇ କିପରି ପରିବେଶ ସୁସ୍ଥ ରହିବ ସେନେଇ ଗାଁ ଗାଁ ବୁଲି ସଚେତନ କରିଥାନ୍ତି । ବୟସ ଆଗରେ ହାର ମାନିଛି ତାଙ୍କର ଏହି ପରିବେଶ ଚିନ୍ତା । ସକାଳ ହେଲେ ଘରୁ ବାହାରିଯାନ୍ତି ପରିବେଶ ସଚେତନତା ପାଇଁ । ଏ ପରିକି ଶିମିଳିପାଳରେ କିପରି ସୁରକ୍ଷା ହୋଇପାରିବ ସେନେଇ ମଧ୍ୟ ସଚେତନତା ଜାରି ରଖିଛନ୍ତି । ଏକଥା କହିବାର କାରଣ ଆଜି ହେଉଛି ବିଶ୍ୱ ପରିବେଶ ଦିବସ । ପରିବେଶ ସୁସ୍ଥ ରହିଲେ ଜୀବଜଗତ ସୁସ୍ଥ ରହିବ । ସେଥିପାଇଁ ଚାଲିଛି ପରିବେଶ ପାଇଁ ସଚେତନତା । ଗଛ ଲଗାଇବା ଓ ପରିବେଶ ସୁରକ୍ଷା ପାଇଁ ଉଦ୍ୟମ କରିବା ।

ଏହି ଅବସରରେ କଥା ହେବା ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ନବରା ଗ୍ରାମର ଏ ହେଉଛନ୍ତି ୭୦ବର୍ଷିୟ ନରୋତ୍ତମ ଦାସ । ସେ ଜଣେ ଅବସରପ୍ରାପ୍ତ ଶିକ୍ଷକ । ପରିବେଶ କିପରି ସୁସ୍ଥ ରହିବ ସେ ନେଇ ସେ ଜାରି ରଖିଛନ୍ତି ନିଜ ଉଦ୍ୟମ । ଶିକ୍ଷକତା ସମୟରେ ମଧ୍ୟ ସେ ବିଭିନ୍ନ ଅଞ୍ଚଳକୁ ଯାଇ ଲୋକ ମାନଙ୍କୁ ପରିବେଶ ଉପରେ ସଚେତନ କରାଇ, ନିଜେ ଗଛ ଲଗାଇବା ସହ ସମସ୍ତଙ୍କୁ ଗଛ ଲଗାଇବା ପାଇଁ ଦେଇଥାନ୍ତି ପରାମର୍ଶ । ସେଥିପାଇଁ ସେ ଏ ଅଞ୍ଚଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ।

ସକାଳ ହେଲେ ନିଜ ଗାଁ ନିକଟରେ ଥିବା ସଂରକ୍ଷିତ ଜଙ୍ଗଲକୁ ଯାଇ ଲଗାଯାଇଥିବା ଗଛର ରକ୍ଷଣାବେକ୍ଷଣ କରିଥାନ୍ତି ନରୋତ୍ତମ । ସେଥିପାଇଁ ସେ ବିଭିନ୍ନ ଅଞ୍ଚଳରେ ଗଛ ମଣିଷ ଭାବେ ବେଶ ପରିଚିତ । ଏପରିକି ସେ ପରିବେଶ ସଚେତନତା ପାଇଁ ପ୍ରକୃତି ବନ୍ଧୁ ଓ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ହୋଇଛନ୍ତି ସମ୍ମାନିତ । ଏବେ ନିଜ ଗ୍ରାମ ନବରାରେ ଥିବା ୨୦,୦୦୦ ହଜାର ରୁ ଅଧିକ ଶାଳ ଜଙ୍ଗଲକୁ ସୁରକ୍ଷା ଦେଇ ପାରିଛନ୍ତି । ତାଙ୍କର ଏହି ଉଦ୍ୟମ କୁ ବିଭିନ୍ନ ଅଞ୍ଚଳ ରେ ବେଶ ପ୍ରଶଂସା କରାଯାଇଛି ।

 

 

You might also like