ଆଜି ବିଶ୍ଵ ଆାଦିବାସୀ ଦିବସ: ଜାଣିଛନ୍ତି କି ବହୁ ପୁରାତନ ଏହି ବିରଳ ଜନଜାତିଙ୍କ ବିଷୟରେ?

ଗୁଣୁପୁର: ଆମ ରାଜ୍ୟର ଆଦିବାସୀ ପ୍ରବଣ ରାୟଗଡା ଓ ଗଜପତି ଜିଲ୍ଲାରେ କେଉଁ ପୁରାତନ କାଳରୁ ଆଦିମ ଜନଜାତି ଲାଞ୍ଜିଆ ସଉରା ବସବାସ କରିଆସୁଛନ୍ତି । ଏହି ଜାତି କେତେ ପୁରାତନ ତାହାର ହିସାବ କାହା ପାଖରେ ନାହିଁ । ସଉରା ମାନେ ଆମ ରାଜ୍ୟର ପୂର୍ବଘାଟ ପର୍ବତମାଳାରେ ବସବାସ କରିଆସୁଛନ୍ତି । ଏମାନେ ପାହାଡର ପାଦ ଦେଶରେ ହେଉ କିମ୍ବା ପାହାଡ ଉପରେ ରହିବାକୁ ପସନ୍ଦ କରନ୍ତି । ଆସନ୍ତୁ ନଜର ପକାଇବା ଏହି ଭଳି ଏକ ବିରଳ ଜନଜାତିଙ୍କ ଉପରେ ।
ରାୟଗଡା ଜିଲ୍ଲାର ଗୁଣୁପୁର ସହର ଠାରୁ ପୁଟାସିଂ ଯିବା ରାସ୍ତାରେ ପଥର କାନ୍ଥର ପାଚେରୀ ଥିବା ଘର ଦେଖାଯିବ । ଭିନ୍ନ ଏକ ଜୀବନ ଶୈଳୀରେ ଜୀବନ ବିତାଉଥିବା ଲାଞ୍ଜିଆ ସଉରା ମାନଙ୍କ ଇଲାକାକୁ ଯେକେହିବି ବାରି ନେବେ । ଚାରିଆଡେ ପହାଡ ଆଉ ପାହାଡ । ପ୍ରକୃତିର କୋଳରେ କେଉଁ ପୁରାତନ କାଳରୁ ବସବାସ କରିଆସୁଛନ୍ତି ଆଦିମ ଜନଜାତି ଲାଞ୍ଜିଆ ସଉରା । ଆମ ରାଜ୍ୟର ୧୩ଗୋଟି ପୁରାତନ ଜନଜାତି ଭିତରୁ ଅନ୍ୟତମ ଏହି ଜନଜାତି । ଏମାନଙ୍କର ବେଶଭୂଷାର ସ୍ଵତନ୍ତ୍ରତା ଏମାନଙ୍କ ପରିଚୟ ଦେଇଥାଏ ।
ଆଦିମ ଜନଜାତିର ସର୍ବପ୍ରଥମ ଅଭିବ୍ୟକ୍ତି ହେଉଛି ଚିତ୍ରକଳା । ଆଦିବାସୀ ଚିତ୍ରକଳା । ଆଦିବାସୀ ସଂସ୍କୃତିର ଅନ୍ୟତମ ମହନୀୟ ବିଭବ । ଆଦିମ ଜନଜାତି ଲାଞ୍ଜିଆ ସଉରାଙ୍କ ଚିତ୍ରକଳା ଇଡିତାଲ ସବୁଠାରୁ ଅର୍ଥପୂର୍ଣ । ଏହା ଅନ୍ୟ ଚିତ୍ରକଳା ଠାରୁ ଅଧିକ ପ୍ରାଞ୍ଜଳ । ସଉରା ଭାଷାରେ ଇଡିର ଅର୍ଥ ହେଉଛି ଚିତ୍ର ଆଉ ତାଲର ଅର୍ଥ କାନ୍ଥ । କାନ୍ଥ ଉପରେ ଏହିଚିତ୍ର ଅହ୍ଵାନ କରାଯାଇଥିବା ଯୋଗୁଁ ଏହାକୁ ଇଡିତାଲ ବୋଲି କୁହାଯାଏ ।
ସଉରା ମାନଙ୍କ ଘରେ ଆଜି ମଧ୍ୟ ଇଡିତାଲ ଇଷ୍ଟଦେବ ରୂପେ ପୂଜା ପାଆନ୍ତି । ଏହି ଚିତ୍ର କଳା ହେଉଛି ସେମାନଙ୍କର ଭାବବୋଧକ ଲିପି । ଏହିଚିତ୍ର କଳା ସେମାନଙ୍କର ପୂର୍ବ ପୁରୁଷଙ୍କୁ ସମ୍ମାନ ଦେବା ସହିତ ସାମାଜିକ ଜୀବନରେ ସେମାନଙ୍କର ବଞ୍ଚିବା ନେଇ ଆଶଙ୍କା ମଧ୍ୟ ଦୂରିଭୂତ ହୁଏ । ଏହି ଚିତ୍ରକଳା ସେମାନଙ୍କର ଅନ୍ୟତମ ବିଶେଷତ୍ୱ ।
ଲାଞ୍ଜିଆ ସଉରା ମାନଙ୍କ ଆଉ ଏକ ବିଶେଷତ୍ଵ ହେଉଛି ସେମାନଙ୍କର ଚାଷ କରିବା ପ୍ରଣାଳୀ । ପୁରୁଷାନୁକ୍ରମେ ଏମାନେ ପାହାଚ ଚାଷ ବା କ୍ଷେତ କଲ୍ଟିଭେସନ କରିଆସୁଛନ୍ତି । ପାହାଡର ଢାଲୁ ଅଞ୍ଚଳରେ ସେମାନେ ପାହାଚ ଚାଷ ବା ଷ୍ଟେପ କଲଟିଭେସନ କରନ୍ତି । ପଥରରେ ଜମିର ପେଚେରୀ କରି ତଲକୁ ତଳକୁ ଚାଷ ଜମି ତିଆରି କରନ୍ତି ।
ଏହାଦ୍ଵାରା କମ୍ ଜମି ଜଳସେଚନ ବ୍ୟବସ୍ଥା ଭିତରେ ଚାଷ ହୋଇଯାଏ । ପୁରାତନ କାଳରୁ ଏମାନେ ଏହି ସବୁଜମିରେ ଧାନ ଚାଷ କରନ୍ତି । ଯେଉଁଠି ପାଣିର ଉତ୍ସ ନଥାଏ ସେହି ପାହାଡରେ ଏମାନେ ପୋଡୁ ଚାଷ କରନ୍ତି । ସେଠାରେ ସେମାନେ ମାଣ୍ଡିଆ, ଜନା, ସୁଆଁ ଆଦି ଶସ୍ୟ ଜାତୀୟ ଫସଲ କରନ୍ତି । ଆଜିର ସଭ୍ୟ ସମାଜରେ ଲାଞ୍ଜିଆ ସଉରା ଜନଜାତି ସାମାଜିକ ଓ ଆର୍ଥିକ ସ୍ତରରେ ବେଶ ଉନ୍ନତି କରିଛନ୍ତି । ତାପରେ ବି ସେମାନେ ସେମାନଙ୍କର ସ୍ୱତନ୍ତ୍ରତା ବଜାୟ ରଖୁଛନ୍ତି ।