ଏଠାରେ ନିଆରା ଢଙ୍ଗରେ ପାଳନ ହୁଏ କୁମାର ପୂର୍ଣ୍ଣିମା, ବର୍ଷ ବର୍ଷର କୋଠି ପୂଜା ପରମ୍ପରା ସାଙ୍ଗକୁ ରହିଛି ପାଳଭୂତ ମୁଖ୍ଯ ଆକର୍ଷଣ

ଯାଜପୁର (କେନ୍ୟୁଜ): କୁମାର ପୂର୍ଣ୍ଣିମା ହେଉଛି କୁମାରୀମାନଙ୍କର ଏକ ବିଶେଷ ପର୍ବ । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ସଦାନନ୍ଦପୁର ଗାଁରେ ଏହି ପର୍ବ କିଛି ନିଆରା ଢଙ୍ଗରେ ପାଳିତ ହୋଇଥାଏ । କୁମାର ପୂର୍ଣ୍ଣିମା ପୂର୍ବ ରାତ୍ରିରେ ଗାଁ ଅଗଣାରେ କୁମାରୀମାନେ କଇଁ ପୁଲରେ ତିଆରି କରନ୍ତି ବିଭିନ୍ନ ପ୍ରକାରର କୋଠି । କେବଳ କଇଁ ପୁଲରୁ ପ୍ରସ୍ତୁତ ହୋଇଥିବା ଏହି କୋଠିକୁ ଦେଖିଲେ ଯେ କେହି ମନ୍ତ୍ରମୁଗ୍ଧ ହୋଇଯିବ । ଏହି ପରମ୍ପରାକୁ ବଜାୟ ରଖିବାକୁ ଯାଇ ଚଳିତ ବର୍ଷ କୁମାରୀମାନେ ଆଡମ୍ବର ସହକାରେ ପାଳିଛନ୍ତି ଏହି ଉତ୍ସବ ।

କୁମାର ପୂର୍ଣ୍ଣିମା ଆସିଲେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକର ସଦାନନ୍ଦପୁର ଗାଁ ହୋଇ ଉଠେ ଚଳଚଂଚଳ । ସାତ ଦିନ ପୂର୍ବରୁ ପ୍ରତ୍ୟେକ ନିଜ ନିଜ ଚଉଁରା ମୁଳେ ତିଆରି କରିଥାନ୍ତି କଇଁ ପୁଲର କୋଠି । ଆଉ କୁମାର ପୂର୍ଣ୍ଣିମାର ଠିକ ପୂର୍ବରାତ୍ରିରେ କୁମାରୀ ମାନେ ଗାଁର ଅଗଣାରେ ତିଆରି କରିଥାନ୍ତି ବିରାଟ ବିରାଟ କୋଠି । କେବଳ କଇଁ ପୁଲରେ ତିଆରି ହୋଇଥାଏ ଏହି କୋଠି । ଏହାକୁ ଅଧିକ ଆକର୍ଷଣ କରିବା ପାଇଁ ରଙ୍ଗୋଲିର ବ୍ଯବହାର କରାଯାଇଥାଏ । ଯାହାକୁ କେହି ନିଜ ଆଖିରେ ନ ଦେଖିଲେ ବିଶ୍ୱାସ କରିହେବ ନାହିଁ । ବର୍ଷ ବର୍ଷ ଧରି ଏହି କୋଠି ପୂଜା ପରମ୍ପରା ଚାଲିଆସୁଛି ଏହି ଗାଁରେ । ଏଭଳି କୋଠି ପୂଜା କଲେ କଇଁ ପୁଲ ଓ ଚନ୍ଦ୍ରଙ୍କ ମଧ୍ୟରେ ଥିବା ପ୍ରେମ ଓ ଭଲପାଇବା ଭଳି ବିବାହ ପରେ ପତି ପରମେଶ୍ୱରଙ୍କ ସଂପର୍କ ରହିବ ବୋଲି ବିଶ୍ୱାସ ରହିଛି । ତେବେ ଚଳିତ ବର୍ଷ ଏହି ଉତ୍ସବକୁ ଧୁମଧାମରେ ଗାଁର କୁମାରୀମାନେ ପାଳିଛନ୍ତି ।

ଆଜକୁ ପ୍ରାୟ ଦେଢ ଶହ ବର୍ଷ ହେବ କୋଠି ପରମ୍ପରା ଚାଲିଆସୁଛି ଏହି ଗାଁରେ । ସଦାନନ୍ଦପୁର ଗାଁରେ ଚାଲିଆସିଥିବା ଏହି କୋଠି ପୂଜା ପରମ୍ପରାକୁ ସ୍‌ୱର୍ଗତ ସପନେଶ୍ୱର ମହାନ୍ତି ଆରମ୍ଭ କରିଥିଲେ । କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଦ୍ୱାରା ଲିଖିତ ପୁସ୍ତକ ଚିତ୍ରକାବ୍ଯ ବନ୍ଧୋଦ୍ୱୟରେ ଅଙ୍କାଯାଇଥିବା ଏହି କୋଠିକୁ ସେ ଗାଁର ଅଗଣାରେ ଆଙ୍କିଥିଲେ । ଧିରେ ଧିରେ ଏହି କୋଠି ପରମ୍ପରା ଅନ୍ଯ ଗାଁକୁ ବ୍ଯାପୁଥିବା ଲକ୍ଷ୍ୟ କରାଯାଉଛି ।

ଏହି କୋଠି ଆଙ୍କିବା ପାଇଁ ପରିବାରର ସମସ୍ତ ସଦସ୍ଯ ସାମିଲ ହୋଇଥାନ୍ତି । ପରେ ବୃନ୍ଦାବତୀଙ୍କ ନିକଟରେ କୁମାରୀ ମାନେ ଭୋଗ କରିବା ସହିତ ରାତି ତମାମ ଗୀତ ଗାଇଥାନ୍ତି । ଯାହାକୁ ଦେଖିବା ପାଇଁ ଆଖପାଖ ଗାଁରୁ ଛୁଟି ଆସନ୍ତି ଶହ ଶହ ଦର୍ଶକ । ଆଉ ସଦାନନ୍ଦପୁର ଗାଁ ହୋଇଯାଏ ଉତ୍ସବ ମୁଖର । ଆଉ ବିଳମ୍ବିତ ରାତ୍ରୀରେ ଗାଁର ଯୁବକ ମାନେ ପାଳଭୁତ ବେଶରେ ଆସି କୁମାରୀମାନଙ୍କୁ ଡରାଇବା ଏହି କୋଠି ପୂଜାର ଅନ୍ଯତମ ଆକର୍ଷଣ । ତେବେ କୁମାର ପୂର୍ଣ୍ଣିମା ଅବସରରେ ସଦାନନ୍ଦପୁର ଗାଁର କୁମାରୀମାନେ ଏହି ପରଂପରାକୁ ବଜାୟ ରଖି ଆସିଥିବା ବେଳେ ଏହାକୁ ଉପଭୋଗ କରିବା ପାଇଁ ଆଖପାଖ ଅଞ୍ଚଳରୁ ବହୁ ଜନସାଧାରଣଙ୍କ ସମାଗମ ହୋଇଥାଏ ।

You might also like