ମାଆ ପୁଅର ପବିତ୍ର ବନ୍ଧନର ପର୍ବ ପୁଅ ଜିଉଁନ୍ତିଆ, ଜାଣନ୍ତୁ ଏହି ଓଷାର ମାହାତ୍ମ୍ୟ

ସୁବର୍ଣ୍ଣପୁର: ଆଜି ପୁଅ ଜିଉଁନ୍ତିଆ । ମାଆ ଓ ପୁଅର ପବିତ୍ର ବନ୍ଧନର ପର୍ବ । ସାରା ପଶ୍ଚିମ ଓଡ଼ିଶାରେ ହେଉଥିବା ପର୍ବ-ପର୍ବାଣୀ ଭିତରୁ “ପୁଅ ଜିଉଁନ୍ତିଆ” ଓଷା ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ରଖିଛି ଆଜିଯାଏଁ । କାହିଁ କେତେ ଦିନରୁ ହୋଇଆସୁଥିବା ଏହି ଓଷା ପୁଅମାନଙ୍କର ମଙ୍ଗଳ ତଥା ଦୀର୍ଘାୟୁ କାମନା କରି ମାଆ ମାନେ ବହୁତ ନିଷ୍ଠାର ସହ କରିଥାନ୍ତି ।
ପ୍ରତିବର୍ଷ ଆଶ୍ଵିନ କୃଷ୍ଣ ଅଷ୍ଟମୀ ତିଥିରେ ଏହି ମହାନ୍ ପର୍ବ ପଶ୍ଚିମ ଓଡିଶାର ଗାଁ ଗାଁରେ ଉତ୍ସାହ, ଉଦ୍ଦୀପନାରେ ପାଳିତ ହୋଇଥାଏ । ପୁଅମାନଙ୍କର ଦୀର୍ଘ ଜୀବନ କାମନା ସହ ମଙ୍ଗଳ ଚିନ୍ତାରେ ମାଆ ମାନେ ଏହି ଓଷା କଠୋର ନିଷ୍ଠାରେ କରିଥାନ୍ତି । ଦିନ ସାରା ସମ୍ପୂର୍ଣ୍ଣ ନିର୍ଜଳା ଉପାସରେ ରହି ସନ୍ଧ୍ୟାରେ ମାଆ ଦୁର୍ଗାଙ୍କଠାରେ ପୂଜା କରନ୍ତି । ପ୍ରତିଟି ପୁଅ ପାଇଁ ୧୦୮ଟି ଅକ୍ଷତ ଦୁବ, ଭେଣ୍ଡି, କାକୁଡି, ଅଁଳା ଡାଳ, ଆତ କଷି, ଓ ଅନ୍ୟାନ୍ୟ ଫଳ, ଫୁଲ ଦେବୀ ଦୁର୍ଗାଙ୍କର ପାଖରେ ସମର୍ପଣ କରିଥାନ୍ତି ।
ଜିଉଁନ୍ତିଆ ବ୍ରତ ବାନ୍ଧି ଖଇରେ ପ୍ରସ୍ତୁତ ଜୁଗାର ଓ ଜାଗରର ବର୍ଣ୍ଣାଳୀ ପଡ଼ା-ପଡ଼ା, ସାହି-ସାହିରେ ମହକି ଉଠୁଥାଏ। ତା’ ପରଦିନ ବଡ଼ିଭୋରରୁ ଗାଧୁଆ ଘାଟରେ ଗାଧୋଇ ପାଧୋଇ ବାଲି ବେଦୀରେ ଶାଳକାଠି ପୋତି ଘାଟପୂଜା କରି ଚଣା ଗିଳିଥାଆନ୍ତି ବ୍ରତଧାରୀ ମାଆ ମାନେ । ଘରକୁ ଆସି ପୁଅମାନଙ୍କୁ ବନ୍ଦାପନା କରି ଦୁବ ଓ ଜିଉଁନ୍ତିଆର ବିଡ଼ାକୁ ସାତଥର ମୁଣ୍ଡରେ ଛୁଆଇଁ ଥାଆନ୍ତି । ଉପହାର ଦେବା ସହ ଦୀର୍ଘାୟୁ ହେବାର ଆର୍ଶିବାଦ କରନ୍ତି ପୁଅମାନଙ୍କୁ।
ପୁଅ ଜିଉନ୍ତିଆ ଓଷା ଖାଲି ଯେ ପୁଅଥିବା ମାଆ ମାନେ କରନ୍ତି ତା’ନୁହେଁ, ନିଃପୁତ୍ରିକ ମହିଳାମାନେ ବି ପୁଅ ପାଇବା ଆଶାରେ ଏହି ବ୍ରତ କରିଥାନ୍ତି । ପାଣି ମୁନ୍ଦିଏ ବି ନ ପିଇ ବହୁ ନିଷ୍ଠା ସହକାରେ ଏହି ଓଷା କରିଥାନ୍ତି । ମାଆ ମାନଙ୍କର ବିଶ୍ଵାସ ଥାଏଯେ, ପୁଅର ଜୀବନ ସୁଖରେ ଅତିବାହିତ ହେବା ଏବଂ ସେମାନେ ଦୀର୍ଘାୟୁ ହେବେ । ସୁବର୍ଣ୍ଣପୁର ଜିଲ୍ଲାରେ ଗଡ଼ଜାତ ଅମଳରୁ ସୁବର୍ଣ୍ଣପୁର ମହାରାଜ ଗୃହକୃତ୍ୟ ଚନ୍ଦ୍ରିକା ଅନୁଯାୟୀ ଗୃହିଣୀ ମାଆ ମାନେ ଏହି ଓଷା କରିଥାନ୍ତି । ଶାକ୍ତ ପରମ୍ପରା ବହନ କରିଥିବା ଏହି ଓଷାଟି ଆଶ୍ଵିନୀ କୃଷ୍ଣ ମୂଳାଷ୍ଟମୀରୁ ଆରମ୍ଭ ହୋଇ ଶୁକ୍ଳପକ୍ଷ ମହାଷ୍ଟମୀରେ ସମାହିତ ହୋଇଥାଏ । ଏଥିରେ ମାଆ ମାନେ ସୂର୍ଯ୍ୟ, ଶିବ ଓ ବୃକ୍ଷ ର ଉପାସନା କରିବା ସହ ପୁଅ ମାନଙ୍କର ମଙ୍ଗଳ ବିଧାନ କରିଥାନ୍ତି ।
ପଶ୍ଚିମ ଓଡ଼ିଶାର ଗାଁ ଗାଁରେ ହେଉଥିବା ପୁଅ ଜିଉନ୍ତିଆ ଓଷା ଯେ ଖାଲି ଧାର୍ମକ କିମ୍ବା ଆଧ୍ୟାତ୍ମିକ ଭାବନାକୁ ତାହା ନୁହେଁ, ଏହି ଓଷା ଭିତରେ ମାଆ-ପୁଅ ଭିତରେ ଥିବା ମହତ ସମ୍ପର୍କର ପବିତ୍ରତା ଓ ଦୃଢ଼ତାକୁ ବୁଝାଇଥାଏ । ଏହା ଏକ ପାରିବାରିକ ଓ ସାମାଜିକ ବନ୍ଧନର ଭାବକୁ ଆହୁରି ମଜ୍ବୁତ କରୁଛି ସବୁଦିନ ପାଇଁ ।