ଆଜି ଦେଶ ପାଳୁଛି ୭୬ତମ ସାଧାରଣତନ୍ତ୍ର ଦିବସ, ଏଥିପାଇଁ ଚଳଚଞ୍ଚଳ ଦିଲ୍ଲୀଠୁ ପଲ୍ଲୀ

ଆଜି ଦେଶ ପାଳୁଛି ୭୬ତମ ସାଧାରଣତନ୍ତ୍ର ଦିବସ । ଭାରତରେ ପ୍ରତିବର୍ଷ ଜାନୁଆରୀ ମାସ ୨୬ ତାରିଖକୁ ଗଣତନ୍ତ୍ର ଦିବସ ଭାବେ ପାଳନ କରାଯାଏ । ଏହି ଦିନ ଲାଗୁ ହୋଇଥିଲା ଭାରତର ସମ୍ବିଧାନ । ଏହି ଦିନକୁ ମନେ ରଖିବା ପାଇଁ ହିଁ ପ୍ରତିବର୍ଷ ଏହାକୁ ଗଣତନ୍ତ୍ର ଦିବସ ଭାବେ ପାଳନ କରାଥାଏ । ୧୫ ଅଗଷ୍ଟ ୧୯୪୭ ମସିହାରେ ଭାରତ ସ୍ୱାଧୀନ ହୋଇଥିଲା । ୨୬ ଜାନୁଆରୀ ୧୯୫୦ରେ ସମ୍ବିଧାନ କାର୍ଯ୍ୟକାରୀ କରାଯାଇଥିଲା । ଏହାପରେ ଭାରତକୁ ଏକ ଲୋକତନ୍ତ୍ର ତଥା ଗଣତନ୍ତ୍ର ଦେଶ ବୋଲି ଘୋଷଣା କରାଯାଇଥିଲା ।

ସେବେଠାରୁ ପ୍ରତି ବର୍ଷ ୨୬ ଜାନୁଆରୀକୁ ଗଣତନ୍ତ୍ର ଦିବସ ରୂପେ ପାଳନ କରାଯାଇଆସୁଛି । ଦେଶର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ୨୬ ଜାନୁଆରୀ ୧୯୫୦ରେ ୨୧ ତୋପ ସଲାମୀ ସହିତ ଭାରତର ଧ୍ଵଜାକୁ ଉଡ଼ାଇ ଥିଲେ ଓ ଭାରତକୁ ପୂର୍ଣ୍ଣ ଗଣତନ୍ତ୍ର ଦିବସ ଘୋଷଣା କରିଥିଲେ । ସେବେଠାରୁ ଏହି ଦିନକୁ ଗଣତନ୍ତ୍ର ଦିବସ ରୂପେ ପାଳନ କରାଯାଉଛି । ଏହି ଦିବସ ପାଳନର ଉଦ୍ଦେଶ୍ୟ, ଲୋକଙ୍କୁ ଭାରତର ସମ୍ବିଧାନର ମହତ୍ୱ ସଂପର୍କରେ ଅବଗତ କରାଇବା ।

ସାଧାରଣତନ୍ତ୍ର ଦିବସ ପାଇଁ ଦିଲ୍ଲୀଠୁ ପଲ୍ଲୀ ଚଳଚଞ୍ଚଳ । ୭୬ତମ ସାଧାରଣତନ୍ତ୍ର ଦିବସ ଅବସରରେ ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ପରେଡ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଜ୍ୟପାଳ ଶ୍ରୀ ହରିବାବୁ କମ୍ଭମପତି ଯୋଗଦେଇ ପତାକା ଉତ୍ତୋଳନ କରିଛନ୍ତି । ସେହିଭଳି କର୍ତ୍ତବ୍ୟ ପଥରେ ପତାକା ଉତ୍ତୋଳନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିଶ୍ୱ ଦେଖିବ ଭାରତର ଶକ୍ତି ଓ ସାମର୍ଥ୍ୟ । ସାଧାରଣତନ୍ତ୍ର ଦିବସରେ ନୌ ସେନା, ସ୍ଥଳ ସେନା ଓ ବାୟୁସେନା ଦେଖାଇବେ ଯୁଦ୍ଧ କୌଶଳ ।

ଏଥର ଗଣତନ୍ତ୍ର ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଉଛନ୍ତି ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରାବୋ ସୁବିଆନ୍ତୋ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭବ୍ୟ ସାମରୋହରେ ସାମିଲ ହେବେ। ସମାରୋହରେ ମୁଖ୍ୟ ଆକର୍ଷଣ ସାଜିବ ଭାରତୀୟ ବାୟୁସେନା ବିମାନର ଫ୍ଲାଏ ପାଷ୍ଟ । ସାଧାରଣତନ୍ତ୍ର ଦିବସ ପାଇଁ ରାଜଧାନୀ ଦିଲ୍ଲୀରେ ଅଭେଦ୍ୟ ସୁରକ୍ଷା ବ୍ୟବସ୍ଥା । ଜଳ, ସ୍ଥଳ ଓ ଆକାଶପଥରୁ ରହିଛି ତୀକ୍ଷଣ ନଜର ।

ସେହିପରି ଭୁବନେଶ୍ଵରର ଲୋକସେବା ଭବନ, ବିଧାନସଭା, କମିଶନରେଟ ପୋଲିସ ମୁଖ୍ୟାଳୟ, ରେଳ ଷ୍ଚେସନ, ଭାରତୀୟ ରିଜର୍ଭ ବ୍ୟାଙ୍କ, ଉତ୍କଳ ବିଶ୍ବବିଦ୍ୟାଳୟ ସମେତ ରାଜଧାନୀରେ ଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ ସମେତ କୋଠା, ରାସ୍ତା, ମନ୍ଦିର ବିଭିନ୍ନ ରଙ୍ଗ ବେରଙ୍ଗର ଆଲୋକ ମାଳାରେ ଝଲସୁଛି । ସାଧାରଣତନ୍ତ୍ର ଦିବସ ଲାଗି ରାଜଧାନୀ ଭୁବନେଶ୍ଵରରେ ମଧ୍ୟ ହାଇଆଲର୍ଟ ଜାରି ହୋଇଛି । କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଚାରିଆଡେ ସିସିଟିଭ ଛାଉଣି ହୋଇଛି । ଯାହା ରାଜଧାନୀବାସୀଙ୍କୁ ଭିନ୍ନ ଅନୁଭୂତି ଦେଉଛି ।

You might also like