ଆଜି ଭାଲେଣ୍ଟାଇନ୍ସ ଡେ’, ପ୍ରେମକୁ ସାଥୀଙ୍କ ସାମ୍ନାରେ ପରିପ୍ରକାଶ କରିବାର ଦିନ

ଆଜି ପ୍ରେମ ପାଇଁ ଦିନଟିଏ ବା ଭାଲେଣ୍ଟାଇନ୍ସ ଡେ’। ଫେବ୍ରୁଆରୀ ୧୪ ତାରିଖକୁ ଭାଲେଣ୍ଟାଇନ୍ସ ଦିବସ ଭାବେ ପାଳନ କରାଯାଉଛି। କୁହାଯାଏ, ପ୍ରେମ ନିଃସ୍ବାର୍ଥ, ଶାଶ୍ୱତ ଓ ଚିରନ୍ତନ। ପ୍ରେମ ପୂର୍ବରୁ ଥିଲା, ଏବେ ବି ଅଛି ଆଉ ଆଗକୁ ବି ରହିବ। ଏହି ବାର୍ତ୍ତା ନେଇ ପ୍ରତିବର୍ଷ ଫେବ୍ରୁଆରୀ ୧୪ରେ ପାଳନ କରାଯାଇଥାଏ ଭାଲେଣ୍ଟାଇନ୍ସ ଡେ’ ବା ପ୍ରେମ ଦିବସ। ବିଶେଷ କରି ଯୁବପିଢ଼ି ଏହି ଦିନଟିକୁ ବେଶ୍‌ ଉତ୍ସାହର ସହ ପାଳନ କରିଥାନ୍ତି। ଆଉ ଏହି ପ୍ରେମକୁ ପରିପ୍ରକାଶ କରିବା ପାଇଁ ଫେବ୍ରୁଆରୀ ୭ ତାରିଖରୁ ୧୪ ତାରିଖ ପର୍ଯ୍ଯନ୍ତ ପ୍ରେମ ସପ୍ତାହର ବିଭିନ୍ନ ଦିନ ପାଳନ କରାଯାଏ। ଆଜି ଏହି ପ୍ରେମ ସପ୍ତାହର ଶେଷ ଦିନ ଅର୍ଥାତ ଭାଲେଣ୍ଟାଇନ୍ସ ଡେ। ପ୍ରେମୀ ଯୁଗଳଙ୍କୁ ପାଇଁ ଆଜି ହେଉଛି ସବୁଠୁ ଖୁସିର ଦିନ। ପ୍ରେମ ସପ୍ତାହର ଶେଷଦିନରେ ମନଖୋଲି ନିଜ ସାଥୀଙ୍କ ସହ କଥା ହୋଇଥାନ୍ତି ପ୍ରେମୀଯୁଗଳ। ପ୍ରେମିକ ପ୍ରେମିକାରୁ ସ୍ୱାମୀ-ସ୍ତ୍ରୀ ହେବାର ସ୍ବପ୍ନ ଦେଖିଥାନ୍ତି। ଆଉ ସାରା ଜୀବନ ପରସ୍ପରର ସୁଖ ଦୁଃଖରେ ସାଥିରେ ରହିବେ ବୋଲି କଥା ଦେଇଥାନ୍ତି। ତେବେ ଆଜି ପ୍ରେମ ଦିବସରେ ଆସନ୍ତୁ ଜାଣିବା କାହିଁକି ଓ କେବେଠୁ ଏହି ଦିନ ପାଳିତ ହେଉଛି…

ଫେବ୍ରୁଆରୀ ୧୪ ହେଉଛି କ୍ୟାଥୋଲିକ ସନ୍ଥ ଭାଲେଣ୍ଟାଇନଙ୍କର ସହିଦ୍ ଦିବସ। ସମୟ କ୍ରମେ ଏହା ଭାଲେଣ୍ଟାଇନ୍ସ ଡେ ଭାବରେ ପାଳିତ ହେଉଛି। ସନ୍ଥ ଭାଲେଣ୍ଟାଇନ ତୃତୀୟ ଶତାବ୍ଦୀର ବୋଲି କୁହାଯାଏ। ସେହି ସମୟରେ ରୋମାନରେ କ୍ଲାଉଡିୟସ୍‌ ଦ୍ୱିତୀୟ ନାମକ ରାଜା ଶାସନ କରୁଥିଲେ। ସେ ପ୍ରେମ ଓ ବିବାହକୁ ପସନ୍ଦ କରୁନଥିଲେ। କାରଣ ସେ ଭାବୁଥିଲେ ପ୍ରେମ ଓ ବିବାହ ଯୋଗୁଁ ଯୋଦ୍ଧାମାନେ ନିଜ ଲକ୍ଷ୍ୟ ପୂରଣ କରିପାରନ୍ତି ନାହିଁ। ଏଣୁ ରୋମାନ ସୈନ୍ୟମାନେ ପ୍ରେମ କିମ୍ବା ବିବାହ କରିପାରିବେନି ବୋଲି ସେ ନିର୍ଦ୍ଦେଶ ଦେଇଥିଲେ।

ସେହି ରାଜ୍ୟରେ ଭାଲେଣ୍ଟାଇନ ନାମକ ସନ୍ଥ ରହୁଥିଲେ। ସେ ରାଜାଙ୍କ ନିର୍ଦ୍ଦେଶକୁ ବିରୋଧ କରି ପ୍ରଜା ଓ ସୈନ୍ୟମାନଙ୍କୁ ପ୍ରେମ କରିବାକୁ ପ୍ରେରିତ କରୁଥିଲେ। ରାଜାଙ୍କୁ ମଧ୍ୟ ସେ ଖ୍ରୀଷ୍ଟିଆନ୍‌ ଧର୍ମ ଛାଡି ରୋମାନ ଧର୍ମ ଗ୍ରହଣ ପାଇଁ ପରାମର୍ଶ ଦେଇଥିଲେ। କିନ୍ତୁ ରାଜା ଏହାକୁ ଅସ୍ୱୀକାର କରିବା ସହ ସନ୍ଥଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। ଯେଉଁଦିନ ତାଙ୍କୁ ମୃତ୍ୟୁ ଦଣ୍ଡ ମିଳିଥିଲା ସେଦିନ ଥିଲା ଫେବ୍ରୁଆରୀ ୧୪ ତାରିଖ। ଏଣୁ ସନ୍ଥ ଭାଲେଣ୍ଟାଇନଙ୍କ ସ୍ମୃତିରେ ପ୍ରତିବର୍ଷ ଫେବ୍ରୁଆରୀ ୧୪ ତାରିଖକୁ ପ୍ରେମ ଦିବସ ଭାବେ ପାଳନ କରାଯାଉଛି। ଏହି ଦିନ ପ୍ରେମୀ ଯୁଗଳ ପରସ୍ପରକୁ ପ୍ରେମର ବାର୍ତ୍ତା ଦେବା ସହ କାର୍ଡ, ଫୁଲ କିମ୍ବା ଚକୋଲେଟ୍‌ ଦେଇ ନିଜର ଭଲପାଇବା ପରିପ୍ରକାଶ କରିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.