ଅଧା ରହିଗଲା ଜଗା ଦର୍ଶନ: ମଝି ରାସ୍ତାରେ ବସ୍ ଡ୍ରାଇଭର ଶୋଇପଡିବାରୁ ଘଟିଲା ବଡ ଦୁର୍ଘଟଣା

ଭୁବନେଶ୍ୱର/ ପିପିଲି : ଅଧା ରହିଗଲା ଜଗା ଦର୍ଶନ । ବିଦେଶ ମାଟିରୁ ଧାଇଁ ଆସିଥିଲେ ଭାରତକୁ ଜଗନ୍ନାଥଙ୍କୁ ଟିକେ ଦର୍ଶନ କରିବା ପାଇଁ । ସକାଳୁ ସକାଳୁ ପରିତ୍ର ରାମ ନବମୀରେ ଆଶୀର୍ବାଦ ନେବା ପାଇଁ । ଏଇ ଆଶା ନେଇ ବାହାରିଥିଲେ ସଭିଏଁ । ହେଲେ କ୍ଷଣିକରେ ପାଣି ଫୋଟକା ପରି ମିଳାଇଗଲା ମନର ଆଶା । ଅଧାରେ ରହିଗଲା ଯାତ୍ରା । ବଡ ଦେଉଳରେ ପହଞ୍ଚିବା ପୂର୍ବରୁ ବଦଳିଗଲା ରାସ୍ତାର ମୋଡ । ଦେଖୁ ଦେଖୁ ଘଟିଲା ମର୍ମନ୍ତୁଦ ସଡକ ଦୁର୍ଘଟଣା । ହଠାତ୍ କେହି କିଛି ଜାଣିପାରିଲେନି ଯେ କଣ ହେଇଗଲା ବୋଲି । କିନ୍ତୁ ଉଠି ଦେଖିଲା ବେଳକୁ ସବୁକିଛି ଅଆଖି ସାମ୍ନାରେ ହୋଇ ସାରିଥିଲା ଛିନଛତ୍ର ।
ହଁ ଆଜ୍ଞା ବାଂଲାଦେଶରୁ ଆସିଥିଲେ ପ୍ରାୟ ୧୬୦ ଜଣ ଯାତ୍ରୀ । ଦୁଇଟି ବସ୍ ରେ କଲିକତା ରୁ ପୁରୀ ଅଭିମୁଖେ ଆସୁଥିବା ବେଳେ ପିପିଲି ଉତ୍ତରା ଛକ ନିକଟ ଭୁବନେଶ୍ୱର-ପୁରୀ ୩୧୬ ନମ୍ବର ଜାତୀୟ ରାଜପଥ କଡ଼ ସିଫା ନିକଟରେ ଓଲଟିପଡିଲା ବସ୍ ଟି । ଯାହା ସୂଚନା ମିଳିଛି, ଏହି ଦୁର୍ଘଟଣାରେ ୨୦ ଗୁରୁତର ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ରାତି ୨ଟା ୩୦ରେ ଏହି ଦୁର୍ଘଟଣା ହୋଇଥିବା ଜଣାପଡିଛି ।
ଖବର ପାଇ ଘଟଣାସ୍ଥଳରେ ପିପିଲି, ଭୁବନେଶ୍ୱର, ବାଳକାଟୀ ଅଗ୍ନିସମ ବିଭାଗ ଓ ପିପିଲି ପୋଲିସ୍ ପହଁଚି, ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ସବୁଠାରୁ ବଡ କଥା ଯାହା ଖବର ମିଳିଛି କି, ଦୁର୍ଘଟଣା ଘଟିଥିବା ସ୍ଥାନଠାରୁ କିଛି ଦୁରରେ ଏକ ଅପେରା ଚାଲିଥିଲା । ଯେଉଁଠାରେ ଅନେକ ଲୋକଙ୍କ ଭିଡ ଜମିଥିଲା । ଏହି ବସ୍ ଟି ଦୁର୍ଘଟଣା ହେବା ସମୟରେ ପ୍ରଚଣ୍ଡ ଶବ୍ଦ ଶୁଣି ସେଠାରୁ ଦୌଡି ଆସିଥିଲେ ସ୍ଥାନୀୟ ଲୋକେ ଏବଂ କାଳ ବିଳମ୍ବ ନକରି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲେ ।
ତେବେ ଗୁରୁତର ଆହତଙ୍କୁ ପୃଥକ ପୃଥକ ଆମ୍ବୁଲାନ୍ସ ଯୋଗେ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ଉଦ୍ଧାର କାର୍ଯ୍ୟ ପାଇଁ ରାତି ୩ ରୁ ସକାଳ ପର୍ଯ୍ୟନ୍ତ ପୁରୀ ରାସ୍ତାକୁ ବନ୍ଦ କରିଥିଲା ପ୍ରଶାସନ । ଅନେକ ଭକ୍ତ ଏବେ ଆହତ ହୋଇ ରାଜରାସ୍ତା କଡ଼ରେ ବସିଥିବା ବେଳେ, ଭୟ ଭିତରେ ଥିବା ଦେଖିବାକୁ ମିଳିଛି । ଗୋଟେ ପଟେ ଘଟଣାସ୍ଥଳରେ ପିପିଲି ପୋଲିସ୍ ଉଦ୍ଧାର କାର୍ଯ୍ୟରେ ଜାରି ରଖିଥିଲା ଵେଳେ ଆଉ ଗୋଟିଏ ଟିମ୍ କ୍ୟାପିଟାଲ ହସ୍ପିଟାଲରେ ଆହତ ଲୋକମାନଙ୍କୁ ଭେଟିବାକୁ ଯାଇଥିଲା । ଦୁର୍ଘଟଣାଗ୍ରସ୍ତ ଵସ୍ ଟି କୁ ଜବତ କରିଛି ପିପିଲି ପୋଲିସ୍ ।
ଏପଟେ ସୂଚନା ଥାଉକି, ଗତ ମାସ ୧୭ ତାରିଖରେ ଦୁଇଟି ବସରେ ବାଲାଂଦେଶ ଚଟ୍ଟୋଗ୍ରାମରୁ ପାଖାପାଖି ୧୬୦ ଜଣ ତୀର୍ଥ ଯାତ୍ରୀ ବୃନ୍ଦାବନରୁ ପୁରୀ ଆସୁଥିଲେ । ଏଥିରେ ଅଧାରୁ ଅଧିକ ବରିଷ୍ଠ ନାଗରିକ ଓ ପାଖାପାଖି ୧୭ଜଣ ଛୋଟ ପିଲା ଥିଲେ । ଏହି ତୀର୍ଥଯାତ୍ରୀମାନେ ଏହା ମଧ୍ୟରେ ଅଯୋଧ୍ୟା, ଦ୍ୱାରକା ଆଦି ଅଞ୍ଚଳ ବୁଲି ଶେଷରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଆସୁଥିଲେ । ହେଲେ ବସର ଡ୍ରାଇଭର ହଠାତ୍ ଗାଡି ଚଳାଉଥିବାବେଳେ ଶୋଇପଡ଼ିଥିଲେ । ଫଳରେ ବସଟି ବାମ ପାଖରେ ଥିବା ଖାତକୁ ଖସିପଡ଼ିଥିଲା ।
ଆହୁରି ପଢନ୍ତୁ: ଶ୍ରୀରାମ ନବମୀରେ ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର, ଗର୍ଭଗୃହ ହେବେ ଗୁପ୍ତନୀତି