ଖଣ୍ଡିକନପାରେ ଲାଗିଛି ପର୍ଯ୍ୟଟକଙ୍କ ଭିଡ଼, ସାଙ୍ଗସାଥି ମେଳରେ ଚାଲିଛି ଭୋଜିଭାତର ଆସର

ଚାରିପାଖେ ସବୁଜିମାର ବିସ୍ତୀର୍ଣ୍ଣ ଓଢଣୀ ଆଉ ଉପରେ ନୀଳ ଆକାଶ । ପାହାଡିଆ ଅଞ୍ଚଳରେ ପଥରକୁ କାଟି କୁଳୁକୁଳୁ ହୋଇ ବହି ଯାଉଛି ବାଘ ନଦୀ । ନିରୋଳା ପରିବେଶ ଓ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ନେଇ ଖୁସି ହେଉଛି ପ୍ରକୃତି ପ୍ରେମୀ । ବାଘନଦୀର ସୌନ୍ଦର୍ଯ୍ୟ ଜଳରାଶିକୁ ଦ୍ବିଗୁଣିତ ସୁନ୍ଦର କରୁଛି । ନଦୀର ଏ କୂଳରୁ ସେ କୂଳ ଯିବା ପାଇଁ କାଠ ତିଆରି ଛୋଟିଆ ପୋଲ । ପୁଣି ଶାନ୍ତ ଜଳରାଶିରେ ମାଛ ଖେଳୁଥିବାର ମନୋରମ ଦୃଶ୍ୟ ସମସ୍ତଙ୍କୁ ଆକ୍ରୁଷ୍ଟ କରୁଛି । ଅଶାନ୍ତ ମନକୁ ଲଗାମ ଦେବାପାଇଁ ଅନତି ଦୂରରେ ରହିଛି ଗୁପ୍ତେଶ୍ଵର ମହାଦେବଙ୍କ ପ୍ରାଚୀନ ପୀଠ । ପୁଣି ଅସ୍ତଗାମୀ ସୂର୍ଯ୍ୟର ସୁନେଲି କିରଣ ଦେଉଛି ଭିନ୍ନ ଏକ ଅନୁଭବ । ପ୍ରକୃତିର ଏ ସୌନ୍ଦର୍ଯ୍ୟକୁ ଛାତିରେ ଧରି  ପ୍ରକୃତି ପ୍ରେମୀକୁ ଶୀତଋତୁ ହେଲେ ହାତଠାରି ଡାକୁଛି  ବୌଦ୍ଧ ଜିଲ୍ଲାର ଖଣ୍ଡିକନପା ପିକନିକ ସ୍ପଟ । ଯିଏ ଥରେ ଏଠାକୁ ଆସିବ ନିଶ୍ଚୟ ଘଡ଼ିଏ ଅଟକି ଯିବ । ଉଭୟ  ପର୍ଯ୍ୟଟନ ଓ ଆଧ୍ୟାତ୍ମିକତା ଦୃଷ୍ଟିରୁ ବେଶ ଜଣାଶୁଣା ଖଣ୍ଡିକନପା । ଶୀତ ଋତୁ ଆସିଲେ  ଏଠାକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଅନେକ ଲୋକଙ୍କର ବେଶ ଭିଡ଼ ଜମେ ।

କୁଳୁକୁଳୁ ନାଦରେ ବହିଯାଉଛି ବାଘନଦୀ ନଦୀର ପାଣି । ଚାରିପଟୁ ସବୁଜ ବନାନୀ ଭିତରେ ପୁଣି ରହିଛି ସୁନ୍ଦର ପରିବେଶ । ବାଘ ନଦୀ ଉପରେ ଥିବା ପାଦଦେଶରେ କନପା ନିକଟରେ  ରହିଛି  ଗୁପ୍ତେଶ୍ଵର ମନ୍ଦିର । ଏବେ ଶୀତଦିନେ ପିକନିକ କରିବା ପାଇଁ ବେଶ ମନୋରମ ସ୍ଥାନ ପାଲଟିଛି ଖଣ୍ଡି କନପା । ପ୍ରତିଦିନ ଏଠାକୁ ଲୋକମାନେ ପିକନିକ କରିବାକୁ ଆସିଥାନ୍ତି । ଏଠାରେ ଭୋଜି କରିବା ସହ ଝରଣା ପାଣିରେ ଗାଧୋଇବା ପାଇଁ ବେଶ ମଜା ଲାଗେ । ଅନ୍ୟପଟେ ଗୁପ୍ତେଶ୍ଵର ବାବାଙ୍କୁ ଦର୍ଶନ କଲେ ପାପରୁ ମୁକ୍ତି ଓ କୋଟି ଜନ୍ମର ପୂଣ୍ୟ ଫଳ ମିଳିଥାଏ ବୋଲି କହିଛନ୍ତି ପୂଜକ । ଏଥିପାଇଁ ବର୍ଷର ବିଭିନ୍ନ ସମୟରେ ଭକ୍ତଙ୍କ ସମାଗମ ହୋଇଥାଏ ।

ବୌଦ୍ଧ ଜିଲ୍ଲା ୫୭ ନମ୍ବର  ଜାତୀୟ ରାଜପଥ ମନମୁଣ୍ଡାରୁ ଶଗଡା ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତାରେ ୨୬ କିମି ଗଲେ ପଡିଥାଏ ଏହି ସୁନ୍ଦର ପର୍ଯ୍ୟଟନ ସ୍ଥଳୀ । ହେଲେ ଏହି ସ୍ଥାନ ଏବେ ଅବହେଳିତ ହୋଇ ପଡିଛି । ଏଠାରେ ଆଲୋକର ବ୍ୟବସ୍ଥା ନାହିଁ କି ପିଲାମାନଙ୍କ ଖେଳିବା ପାଇଁ ପାର୍କର ବ୍ୟବସ୍ଥା ନାହିଁ । ଫଳରେ ସନ୍ଧ୍ୟା ପୂର୍ବରୁ ପର୍ଯ୍ୟଟକମାନଙ୍କୁ ଫେରିବାକୁ ପଡେ । ଏଭଳି ପର୍ଯ୍ୟଟନ ସ୍ଥଳୀରେ ପହଞ୍ଚି ପର୍ଯ୍ୟଟକ ବେଶ ଖୁସି ଥିବା ବେଳେ ଗମନାଗମନ ଓ ପୀଠରର ଉନ୍ନତିକରଣ ପାଇଁ ଦାବି କରିଛନ୍ତି ପର୍ଯ୍ୟଟକ । ଏନେଇ ବୌଦ୍ଧ ଜିଲ୍ଲାପାଳଙ୍କୁ ପଚାରିବାରୁ ଏହାର ଉନ୍ନତିକରଣ କରାଯିବ ବୋଲି କହିଛନ୍ତି । ପର୍ଯ୍ୟଟନ ବିକାଶ ପାଇଁ ସରକାର ଅନେକ ଯୋଜନା କରୁଥିବା ବେଳେ ପର୍ଯ୍ୟଟନ ପୀଠର ବିକାଶ କରାଗଲେ ଆହୁରି ପର୍ଯ୍ୟଟକଙ୍କ ସୁଅ ଛୁଟନ୍ତା ଏଥିରେ ସନ୍ଦେହ ନାହିଁ ।