ହୁଳୁହୁଳା ଗଣ୍ଡରେ ପର୍ଯ୍ୟଟକଙ୍କ ଭିଡ଼, ମନଭରି ଉପଭୋଗ କରୁଛନ୍ତି ପ୍ରକୃତିର ସୌନ୍ଦର୍ଯ୍ୟ

ପିକନିକ ଋତୁ ଚାଲିଛି । ଏନେଇ ପରିବାର ସହିତ ଭୋଜିଭାତ କରିବା ପାଇଁ ପର୍ଯ୍ୟଟନସ୍ଥଳୀକୁ ଯାଉଛନ୍ତି ପର୍ଯ୍ୟଟକ । ଗଞ୍ଜାମ ଜିଲ୍ଲା ସୋରଡା ଠାରୁ ଦଶ କିଲୋମିଟର ଦୂର ଭଗବାନ ପୁର ଗାଁ ନିକଟ ହୁଳୁହୁଳା ଗଣ୍ଡରେ ଭୋଜି କରିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି । ଏଠାକାର ନଦୀର କୁଳୁ କୁଳୁ ଶବ୍ଦ ସହିତ ଜଙ୍ଗଲର ସୁନ୍ଦରତାକୁ ମନଭରି ଉପଭୋଗ କରୁଛନ୍ତି ଲୋକମାନେ । ବର୍ଷ ସାରା ଏହି ନଦୀରେ ପାଣି ଶୁଖେ ନାହିଁ । ତେଣୁ ବହୁ ଦୂର ଦୁରାନ୍ତରରୁ ହଜାର ହଜାର ଲୋକ ଏଠାକୁ ପରିବାର ସହିତ ଭୋଜି କରିବାକୁ ଆସନ୍ତି ।

ଖାଇବା ସହିତ ଝରଣାରେ ଫଟୋ ଉଠାଇଥାନ୍ତି । ଜିଲ୍ଲା ତଥା ଜିଲ୍ଲା ବାହାରୁ ଲୋକଙ୍କ ସୁଅ ଛୁଟୁଛି ଏଠାକୁ । ତେଣୁ ଲୋକଙ୍କ ଆକୃଷ୍ଟ ଦେଖି ଏଠାକାର ପରିଚାଳନା କମିଟି ଓ ପ୍ରଶାସନଙ୍କ ସହଯୋଗରେ ଏହି ଗଣ୍ଡକୁ ଯିବା ପାଇଁ ଭଲ ରାସ୍ତା ସହିତ ଆଲୋକର ବ୍ୟବସ୍ଥା ହୋଇଛି । ଏହା ସହିତ ପିଲାଙ୍କ ଖେଳିବା ପାଇ ପାର୍କ ହୋଇଛି । ଲୋକମାନେ ଥକିଗଲେ ବସିବା ପାଇଁ ସିମେଣ୍ଟ ଚେୟାର ବ୍ୟବସ୍ତା କରାଯାଇଛି । ଏହା ସହିତ କଲ୍ୟାଣୀ ମଣ୍ଡପ, କୋଠା ଘର ରହିଛି । କିନ୍ତୁ ମହିଳାମାନଙ୍କ ପାଇଁ ଶୌଚାଳୟର ବ୍ୟବସ୍ତା ନିହାତି ଆବଶ୍ୟକ । ଏହା ସହିତ ଲୋକମାନେ ଭୋଜି କରିବା ପାଇଁ ଘରର ଆବଶ୍ୟକତା ରହିଛି ।

ପର୍ଯ୍ୟଟନ ଋତୁରେ ଲୋକମାନେ ପରିବାର ସହିତ ପିକନିକ କରିବା ପାଇଁ ଜଙ୍ଗଲ କିମ୍ବା ଝରଣା କୂଳକୁ ବାହାରି ପଡନ୍ତି । ପରିବାର ସହିତ ଭୋଜି ଭାତର ଆୟୋଜନ କରି ମଜା ନିଅନ୍ତି । ଏନେଇ ହୁଲୁହୁଳା ଗଣ୍ଡରେ ଲୋକଙ୍କ ଭିଡ ଜମୁଛି । ବହୁ ଦୂର ଦୂରାନ୍ତରରୁ ଲୋକମାନେ ଭୋଜି କରି ମଜା ନେଉଛନ୍ତି ।