ନୂଆ ରୂପରେ ସଜେଇ ହୋଇଛି ଦଣ୍ଡାଧାର, ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଛୁଟି ଆସୁଛନ୍ତି ପର୍ଯ୍ୟଟକ

ଗୋଟିଏ ପଟେ ରାମିଆଳ ନଦୀର କୁଳୁକୁଳୁ ନାଦ ଓ ଅନ୍ୟପଟେ ଦୁଇଟି ପାହାଡ଼ ମଝିରେ ମନୋରମ ପରିବେଶ ମଧ୍ୟରେ ଅବସ୍ଥିତ ଦଣ୍ଡାଧର ଡ୍ୟାମ । ପ୍ରକୃତିର କୋଳରେ ଅପରୂପ ସୌନ୍ଦର୍ଯ୍ୟର ସମ୍ଭାର ମଧ୍ୟରେ ସଜେଇ ହୋଇଛି ଦଣ୍ଡାଧର ଡ୍ୟାମ । ପ୍ରାକୃତିକ ଶୋଭାରାଜି ମଧ୍ୟରେ ପରିବେଷ୍ଟିତ ପାହାଡ଼ ଜଙ୍ଗଲ ଘେରା ମନୋରମ ପର୍ଯ୍ୟଟନ ସ୍ଥଳୀ ହେଉଛି ଦଣ୍ଡାଧର । ପିକନିକ ଋତୁ ଆସିଲେ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଛୁଟି ଆସିଥାନ୍ତି ଦୂର ଦୂରାନ୍ତରରୁ ବହୁ ପର୍ଯ୍ୟଟକ ।

କଙ୍କଡାହାଡ଼ ବ୍ଲକ ସଦର ମହକୁମା ଠାରୁ ମାତ୍ର ୧୦ କିଲୋମିଟର ଦୂରରେ ରହିଥିବା ଏହି ପ୍ରାକୃତିକ ସ୍ଥାନ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ସେଥିପାଇଁ ପର୍ଯ୍ୟଟନ ଋତୁ ଆରମ୍ଭ ହେଲେ ଏଠାକୁ ଛୁଟିଥାଏ ପର୍ଯ୍ୟଟକଙ୍କ ସୁଅ । ବଣଭୋଜିର ମଜା ସାଙ୍ଗକୁ ବଣ, ଜଙ୍ଗଲ ଘେରା ପ୍ରାକୃତିକ ସୌନ୍ଦର୍ଯ୍ୟର ଅଫୁରନ୍ତି ଆକର୍ଷଣ ପର୍ଯ୍ୟଟକଙ୍କୁ କରିଦିଏ ପ୍ରକୃତିପ୍ରେମୀ । ଖାସ ସେଥିପାଇଁ ନୂଆବର୍ଷ ଆରମ୍ଭରୁ ବଣଭୋଜି କରିବା ପାଇଁ ପର୍ଯ୍ୟଟକମାନେ ଏଠାକୁ ଆସିଥାନ୍ତି । କେବଳ କାମାକ୍ଷାନଗର ସହର ଓ ଏହାର ଆଖପାଖ ଅଞ୍ଚଳ ନୁହେଁ ବରଂ ଅନଗୁଳ, ଢେଙ୍କାନାଳ, କଟକ, ଭୁବନେଶ୍ବର, ଯାଜପୁର ଓ କେଉଁଝର ଇତ୍ୟାଦି ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଏହି ସ୍ଥାନକୁ ଛୁଟି ଆସନ୍ତି । ବଣଭୋଜି କରିବା ସହ ସ୍ଥାନୀୟ ଜଙ୍ଗଲ ଓ ଡ୍ୟାମର ସୌନ୍ଦର୍ଯ୍ୟ ଉପଭୋଗ କରିଥାନ୍ତି ପର୍ଯ୍ୟଟକ ।

୨୦୨୦ ମସିହାରେ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଥିଲା ଦଣ୍ଡାଧର ପର୍ଯ୍ୟଟନ ସ୍ଥଳୀ । ପର୍ଯ୍ୟଟକଙ୍କ ସୁବିଧା ପାଇଁ ତଥା ସୁରୁଖୁରୁରେ ବଣଭୋଜି କରିବା ପାଇଁ ସରକାରୀ ସହାୟତା ଓଡିଶା ପର୍ଯ୍ୟଟନ ନିଗମ ମାଧ୍ୟମରେ ପିକନିକ ସ୍ଥାନରେ ପିଣ୍ଡି ନିର୍ମାଣ, ଶୌଚାଳୟ ନିର୍ମାଣ, ୮ ଟି କଟେଜ, ଭୋଜନାଳୟ, ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ଇତ୍ୟାଦି ନିର୍ମାଣ କରାଯାଇଛି । ଯାହା ଫଳରେ ପର୍ଯ୍ୟଟକମାନେ ସୁବିଧାରେ ବଣଭୋଜି କରିବା ସହ ଦଣ୍ଡାଧରର ମନୋରମ ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ । ପ୍ରାୟ ୩ କୋଟି ୫୭ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଏହି ସବୁ ସୁବିଧା କରାଯାଇଛି । ନିର୍ମାଣ ହୋଇଥିବା ଏହି ବଣଭୋଜି ସ୍ଥଳଟିକୁ ବ୍ଲକ କିମ୍ବା ପଞ୍ଚାୟତକୁ ହସ୍ତାନ୍ତର କରାଯାଇନାହିଁ । ଫଳରେ ଏହା ବର୍ତ୍ତମାନ ବ୍ୟବହାର ଉପଯୋଗୀ ହୋଇ ପାରୁନାହିଁ । ଆଗାମୀ ସମୟରେ ପର୍ଯ୍ୟଟନ ଋତୁ ଆସୁଥିବା ବେଳେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରାଇବା ସହ ଡ୍ୟାମରେ ବୋଟିଂ ଓ ଭୋଜି ସ୍ଥଳରେ ଲାଇଟର ବ୍ୟବସ୍ଥା କରାଇଲେ ଆହୁରି ପର୍ଯ୍ୟଟକ ଏଠାକୁ ଆସିବେ ବୋଲି କହିଛନ୍ତି ସ୍ଥାନିୟ ବାସିନ୍ଦା ।

ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇବା ପରେ ସୌନ୍ଦର୍ଯ୍ୟକରଣ ନିମନ୍ତେ ପର୍ଯ୍ୟଟନ ବିଭାଗ ତରଫରୁ ନୂଆ ରୂପରେ ସଜେଇ ହୋଇଛି ଦଣ୍ଡାଧର । ତେବେ ତୁରନ୍ତ ବ୍ଲକ ପ୍ରଶାସନକୁ ଏହି ବଣଭୋଜି ସ୍ଥଳକୁ ହସ୍ତାନ୍ତର କରି କାର୍ଯ୍ୟକ୍ଷମ କରାଗଲେ ଅନେକ ପର୍ଯ୍ୟଟକ ଉପକୃତ ହେବା ସହ ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହୋଇପାରିବ ଦଣ୍ଡାଧର ।

 

 

You might also like