ପର୍ବତମାଳାରେ ଭରା ବିନିକେୟୀ ଶକ୍ତି ପୀଠ, ଛୁଟୁଛି ପର୍ଯ୍ୟଟକଙ୍କ ସୁଅ

ଓଡ଼ିଶାରେ ରହିଛି ଅନେକ ପର୍ଯ୍ୟଟନସ୍ଥଳୀ । ସବୁ ସ୍ଥାନର ସ୍ବତନ୍ତ୍ରତା ଭିନ୍ନ । ସେହିପରି ଆଠମଲ୍ଲିକ ଉପଖଣ୍ଡ ଦକ୍ଷିଣରେ ପ୍ରବାହିତ ମହାନଦୀ କୂଳରେ ରହିଛି ଅନେକ ମନ୍ଦିର, ମଠ ଏବଂ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ । ସେଥି ମଧ୍ୟରୁ ମା ବିନିକେୟୀ ଠାକୁରାଣୀଙ୍କ ଶକ୍ତିପୀଠ ଅନ୍ୟତମ । ଐତିହାସିକ ପୃଷ୍ଠଭୂମି ଏବଂ ଆଞ୍ଚଳିକ ଲୋକକଥା ନେଇ ଏହି ଶକ୍ତିପୀଠ କେଉଁ ଆବାହମାନ କାଳରୁ ବହୁ ସାଧକ ଭକ୍ତ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରି ଆସିଛି । ମହାନଦୀ ବକ୍ଷରେ ଯେଉଁଠି ସାତ କୋଶିଆ ଗଣ୍ଡର ଉତ୍ପତି ହୋଇଛି ସେହି କୂଳରେ ଏକ ଛୋଟିଆ ପାହାଡ଼ ଉପରେ ଅବସ୍ଥିତ ଏହି ଶକ୍ତି ପୀଠ ।

ଏଠାରେ ମହାନଦୀର ଉଭୟ ପାର୍ଶ୍ବରେ ସୁଉଚ୍ଚ ପର୍ବତମାଳା ରହିଛି । ଏଠାକାର ନୈସର୍ଗିକ ଶୋଭାକୁ ଉପଭୋଗ କରିବା ପାଇଁ ବର୍ଷା ଋତୁକୁ ଛାଡିଦେଲେ ବର୍ଷର ସବୁ ସମୟରେ ସାରା ରାଜ୍ୟରୁ ପ୍ରକୃତି ପ୍ରେମୀ ତଥା ପର୍ଯ୍ୟଟକମାନେ ଠାକୁରାଣୀଙ୍କୁ ଦର୍ଶନ କରିବା ସହିତ ବଣ ଭୋଜି କରିବାକୁ ଆସିଥାନ୍ତି । ତେବେ ନଭେମ୍ବର ଠାରୁ ଫେବୃଆରୀ ମାସ ମଧ୍ୟରେ ପର୍ଯ୍ୟଟକମାନଙ୍କ ସଂଖ୍ୟା ସର୍ବାଧିକ ହୋଇଥାଏ । ବର୍ତମାନ ପର୍ଯ୍ୟଟନ ଋତୁ  ଆରମ୍ଭ ହୋଇଯାଇଥିବାରୁ  ପ୍ରତ୍ୟେକ ଦିନ ଓଡିଶାର ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକମାନଙ୍କ ଆଗମନ ଲାଗି ରହିଛି ।

୧୯୯୮ ମସିହାରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟନ କେନ୍ଦ୍ର ଭାବରେ ଚିହ୍ନଟ ହୋଇଥିଲେ ମଧ୍ୟ ଏହାର ବିକାଶ ସମ୍ଭବ ହୋଇପାରି ନଥିବା କୁହାଯାଉଛି । ଦିନକୁ ଦିନ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଏହି ପୀଠର ପରିସରରେ ସମସ୍ତ ବ୍ୟବସ୍ଥା ଯଥେଷ୍ଟ ନୁହେଁ ବୋଲି ପର୍ଯ୍ୟଟକମାନେ ମତ ପ୍ରକାଶ କରିଛନ୍ତି ।

ବିଶେଷକରି ପାନୀୟ ଜଳ ସୁବିଧା ତଥା ମହିଳାମାନଙ୍କ ପାଇଁ ଶୌଚାଳୟ ବ୍ୟବସ୍ଥା ଅତ୍ୟନ୍ତ ଜରୁରୀ ହୋଇପଡିଥିବା ବେଳେ ରାତ୍ରି କାଳୀନ ରହଣି ପାଇଁ ପାନ୍ଥ ନିବାସ  ସ୍ଥାପନର ଆବଶ୍ୟକତା ରହିଛି । ପରିପାର୍ଶ୍ୱକ ସୌନ୍ଦର୍ଯ୍ୟକରଣ, ମନୋରଞ୍ଜନ ପାଇଁ ପାର୍କ ନିର୍ମାଣ ଏବଂ ସୁରକ୍ଷା କର୍ମୀ ମୁତୟନ ପାଇଁ ପର୍ଯ୍ୟଟକଙ୍କ ମହଲରେ ଦାବି ହୋଇଛି ।

ଏଠାକାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଚାହୁଁଥିଲେ ବି ରାତିରେ ରହିବାର ସୁବିଧା ନଥିବାରୁ ପର୍ଯ୍ୟଟକମାନେ ସନ୍ଧ୍ୟା ହେଲେ ଫେରି ଯାଆନ୍ତି । ତେଣୁ ଏହି ପର୍ଯ୍ୟଟନସ୍ଥଳୀର ବିକାଶ କରାଗଲେ ଆହୁରି ପର୍ଯ୍ୟଟକ ଏଠାକୁ ଆସନ୍ତେ ।