ନୂଆ ବର୍ଷ ପାଇଁ ଚଳଚଞ୍ଚଳ ମା ଉଗ୍ରତାରା ଶକ୍ତି ପୀଠ, ବଣଭୋଜି ପାଇଁ ପର୍ଯ୍ୟଟକମାନେ ଜମାଉଛନ୍ତି ବେଶ ଭିଡ
ନୂଆ ବର୍ଷ ପାଇଁ ଏବେ ଚାରିଆଡ଼େ ଚାଲିଛି ଆମୋଦ ପ୍ରମୋଦ । ସମସ୍ତ ପର୍ଯଟନସ୍ଥଳୀ ଠାରୁ ଆରମ୍ଭ କରି ହୋଟେଲ ପାର୍କରେ ବେଶ୍ ଭିଡ଼ ହେଉଛି । ନୂଆ ବର୍ଷ ଆସିବାକୁ କେଇ ଘଣ୍ଟା ବାକି ଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଲାଗିଛି ବେଶ୍ ଗହଳି ଚହଳି।
ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ୍ ମୁଳିଝର ଗଡରେ ଅବସ୍ଥିତ ପ୍ରସିଦ୍ଧ ତନ୍ତ୍ର ପୀଠ ମା’ ଉଗ୍ରତାରା ଶକ୍ତି ପୀଠରେ ଶହ ଶହ ସଂଖ୍ୟାରେ ଭକ୍ତଙ୍କ ଲମ୍ବା ଧାଡି ଲାଗିଛି । ନୂଆ ବର୍ଷ ସମସ୍ତଙ୍କ ମଙ୍ଗମୟ ହେଉ । ଏହି ଆଶୀର୍ବାଦ ଭିକ୍ଷା ପାଇଁ କେଉଁ ଦୂର ଦୂରାନ୍ତରରୁ ଛୁଟିଆସିଛନ୍ତି ଭକ୍ତ । କିଏ ଦୀପ ଜାଳି ମାଙ୍କୁ ନିଜର ଗୁହାରି ଜଣାଉଛି ତ କିଏ ପୂଜା ଡାଲା ମା’ଙ୍କ ପାଇଁ ନେଇ ଆସିଛି । ଆଉ କିଏ ନିଜ ପଣତ କାନିରେ ମାଙ୍କ ସିନ୍ଦୂର କାଚକୁ ଧରି ଆନନ୍ଦରେ ଘରକୁ ଫେରୁଛି ।
ନୂଆ ବର୍ଷ ପାଇଁ ମା’ ଉଗ୍ରତାରାଙ୍କ ପୀଠରେ ବଣଭୋଜି ସହ ଚିଲିକା ପକ୍ଷୀ ଅଭୟାରଣ୍ୟରେ ନୌବିହାର ପାଇଁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଭିଡ ଜମାଉଛନ୍ତି । ପିଲାଛୁଆ ମେଳରେ ଚିଲିକା ପକ୍ଷୀ ଅଭୟାରଣ୍ୟରେ ନୌବିହାର କରି ଆନନ୍ଦ ଅନୁଭବ କରୁଛନ୍ତି ପର୍ଯ୍ୟଟକ । ସମସ୍ତଙ୍କ ମନରେ ବେଶ୍ ଉତ୍ସାହ । ପୁରୁଣା ବର୍ଷକୁ ବିଦାୟ ଦେଇ ନୂତନ ବର୍ଷକୁ ସ୍ୱାଗତ କରିବା ପାଇଁ ସମସ୍ତେ ମିଳିମିଶି ଏକାଠି ହୋଇ ନିଜ ନିଜ ଭିତରେ ପୁରୁଣା ସ୍ମୃତି ବିଷୟରେ ଆଲୋଚନା କରୁଛନ୍ତି ।
ପର୍ଯ୍ୟଟନ ସ୍ଥଳୀମାନଙ୍କରେ ଥିବା ଅସୁବିଧାକୁ ଗୁରୁତ୍ଵ ଦେଇ ପର୍ଯ୍ୟଟନ ଋତୁରେ ପ୍ରଶାସନ ପକ୍ଷରୁ ଆଉ ଟିକେ ସୁବ୍ୟବସ୍ଥା ହୋଇପାରିଲେ ନିଶ୍ଚିତ ଭାବେ ଆଗାମୀ ଦିନରେ ଆହୁରି ପର୍ଯ୍ୟଟକ ଚିଲିକାକୁ ଆସିବେ ।