ମର୍ସିଡିଜ୍ କାର ସହ ଧକ୍କା ହେବା ପରେ ଦୁଇ ଫାଳ ହେଲା ଟ୍ରାକ୍ଟର, ଭାଇରାଲ ହେଉଛି ଭିଡିଓ

ବର୍ତ୍ତମାନ ସମୟରେ ଦୁର୍ଘଟଣା ଏକ ସାଧାରଣ କଥା ହୋଇଗଲାଣି। କିନ୍ତୁ କିଛି ଦୁର୍ଘଟଣା ଅଛି ଯାହା ଆମକୁ କିଛି ଶିକ୍ଷା ଦିଏ କିମ୍ବା କୌଣସି କାରଣରୁ ଭାଇରାଲ ହୁଏ | ଏହିପରି ଏକ ଭାଇରାଲ୍ ଭିଡିଓ ବର୍ତ୍ତମାନ ଇଣ୍ଟରନେଟରେ ଘୁରିବୁଲୁଛି। ଏହି ଭିଡିଓରେ ଏକ ଟ୍ରାକ୍ଟର ମର୍ସିଡିଜ୍ କାର ସହିତ ମୁହାଁମୁହିଁ ହେବା ପରେ ଟ୍ରାକ୍ଟରଟି ଦୁଇ ଖଣ୍ଡ ହୋଇଯାଇଥିଲା । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଦୁର୍ଘଟଣାରେ ମର୍ସିଡିଜର ଅଧିକ କ୍ଷୟକ୍ଷତି ହୋଇନି ।

ସୂଚନାନୁସାରେ ଆନ୍ଧ୍ରପ୍ରଦେଶର ତିରୁପତିଠାରେ ଏକ ଟ୍ରାକ୍ଟର ଏବଂ ମର୍ସିଡିଜ-ବେଞ୍ଜ ଜେଡ କାର ମଧ୍ୟରେ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଟ୍ରାକ୍ଟରଟି ଦୁଇ ଭାଗରେ ଭାଙ୍ଗି ଯାଇଥିବାବେଳେ କାରରେ ଥିବା ସମସ୍ତ ଲୋକ କେବଳ ସାମାନ୍ୟ ଆହତ ହୋଇଥିଲେ। ମର୍ସିଡିଜ୍ ଗାଡିର ଆଗ ଭାଗରେ କେବଳ ଅଳ୍ପ କ୍ଷତି ହୋଇଛି।

ମିଳିଥିବା ସୂଚନା ମୁତାବକ କର୍ଣ୍ଣାଟକର ଏହି ମର୍ସିଡିଜ୍ ଜିଏଲଇ ୪୫୦ କାର୍ ଦ୍ରୁତଗତିରେ ଯାଉଥିବାବେଳେ ହଠାତ୍ ଭୁଲ୍ ପାର୍ଶ୍ୱରେ ଚାଲୁଥିବା ଏକ ଟ୍ରାକ୍ଟର ଏହି କାର ସାମ୍ନାକୁ ଆସିଯାଇଥିଲା। ଏଭଳି ପରିସ୍ଥିତିରେ ଟ୍ରାକ୍ଟର ଏବଂ ମର୍ସିଡିଜ୍ ମଧ୍ୟରେ ଧକ୍କା ହୋଇଥିଲା। ଏହି ଧକ୍କା ଏତେ ଜୋରଦାର ଥିଲା ଯେ ଟ୍ରାକ୍ଟର ଦୁଇଟି ଭାଗରେ ଭାଙ୍ଗିଯାଇଥିଲା। ତେବେ ଏହି ଦୁର୍ଘଟଣାରେ କେହି ବି ମୃତାହତ ହୋଇନାହାଁନ୍ତି । ଟ୍ରାକ୍ଟର ଚାଳକ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ଏବଂ କାର୍ ଚାଳକ ମଧ୍ୟ ସୁରକ୍ଷିତ ଅଛନ୍ତି ।

ଏହି ଦୁର୍ଘଟଣାର ଏକ ୩୮ ସେକେଣ୍ଡ୍ ଭିଡିଓ ଏବେ ଭାଇରାଲ ହୋଇଥିବାବେଳେ ଭିଡିଓରେ ଆପଣ ଦେଖିପାରିବେ ଯେ ମର୍ସିଡିଜ୍ ବେଞ୍ଜ୍ କାରର ଆଗ ଭାଗ ଅଳ୍ପ ନଷ୍ଟ ହୋଇଛି । ଟ୍ରାକ୍ଟରର ଇଞ୍ଜିନ ଅଂଶ ଗୋଟିଏ ପଟେ ପଡିଥିବାବେଳେ ଡ୍ରାଇଭର ସିଟ୍ ଅଂଶ ଅନ୍ୟ ପଟେ ପଡିଛି ।

ସୂଚନାଯୋଗ୍ୟ , ଚଳିତ ମାସ ୪ ତାରିଖରେ ଟାଟା ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ତଥା ବ୍ୟବସାୟ ଟାଇକୁନ୍ ସାଇରସ୍ ମିସ୍ତ୍ରୀଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିଲା । ଦୁର୍ଘଟଣା ବେଳେ ସେ ଏକ ମର୍ସିଡିଜ୍ ଜିଏଲସି ୨୦୦ଡି କାରରେ ଥିଲେ। ୬୨ ଲକ୍ଷ ଟଙ୍କା ମୂଲ୍ୟର ଏହି କାରରେ ୭ଟି ଏୟାରବ୍ୟାଗ ଥିଲା । ଏହି ଦୁର୍ଘଟଣା ପରେ ମର୍ସିଡିଜ କାରକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ବର୍ତ୍ତମାନ ପୁଣି ଏକ ଦୁର୍ଘଟଣାକୁ ନେଇ ପୁଣି ଥରେ ଏହି କାର କମ୍ପାନି ଚର୍ଚ୍ଚାର ପରିସରକୁ ଆସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.