ମଣିଷ ମୃତ୍ୟୁ କୁମ୍ଭ ମେଳା ପାଇଁ ନୂଆ ନୁହେଁ, ଅତୀତରେ ଘଟିଛି ଆହୁରି ବଡ଼ ଅଘଟଣ

ଚଳିତ ମହାକୁମ୍ଭ ମେଳା ପାଲଟି ଯାଇଛି ମୃତ୍ୟୁର କୁମ୍ଭ । ଏଭଳି ମନ୍ତବ୍ୟ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦୀର୍ଘ ୧୪୪ ବର୍ଷ ପରେ ଅନେକ ପବିତ୍ର ଯୋଗ ନେଇ ଆସିଛି ଏଥରର ମହାକୁମ୍ଭ ମେଳା । ତେଣୁ ଶ୍ରଦ୍ଧାଳୁଙ୍କ ମନରେ ଅନେକ ଉତ୍ସାହ । ନେତା, ଅଭିନେତା, ସେଲିବ୍ରିଟିରୁ ଆରମ୍ଭ କରି ସାଧାରଣ ଲୋକେ ମଧ୍ୟ ପ୍ରୟାଗରେ ବୁଡ଼ ପକାଇବା ସୁଯୋଗକୁ ହାତଛଡ଼ା କରୁ ନାହାନ୍ତି । ଯେତିକି ଆକଳନ କରାଯାଉଥିଲା ତାଠାରୁ ବହୁ ଅଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି ଆଉ ପକାଉଛନ୍ତି ମଧ୍ୟ । ପ୍ରାୟ ୪୦ କୋଟି ଲୋକେ କୁମ୍ଭରେ ବୁଡ଼ ପକାଇବେ ବୋଲି ଅନୁମାନ କରାଯାଇଛି ।

ଏହା ସହିତ କେନ୍ଦ୍ର ସରକାର ମଧ୍ୟ ଏହି ମହା ମେଳାର ଖୁବ୍ ପ୍ରଚାର ପ୍ରସାର କରିଛନ୍ତି । ତା ସହିତ ବ୍ୟବସ୍ଥା ମଧ୍ୟ କରିଛନ୍ତି । ହେଲେ ଏତେବଡ଼ ମେଳା ଓ ଅସଂଖ୍ୟ ଲୋକଙ୍କୁ ନିୟନ୍ତ୍ରଣ କରିବା ସହଜ ନୁହେଁ । ସେଥିପାଇଁ ମେଳାରେ ଘଟିଲା ବଡ଼ ଅଘଟଣ । ଗଙ୍ଗା, ଯମୁନା ଓ ସରସ୍ବତୀ ନଦୀର ମିଳନ ସ୍ଥଳ ହେଉଛି ପ୍ରୟାଗ । ଏକ ଅତି ପବିତ୍ର ସ୍ଥାନ ବୋଲି ବିବେଚନା କରାଯାଏ । ଗତ ଜାନୁଆରୀ ୨୯ ତାରିଖ ଦିନ ମୌନୀ ଅମାବାସ୍ୟା ଅବସରରେ ଅମୃତ ସ୍ନାନ ପାଇଁ ଠେଲାପେଲା ହୋଇଥିଲା । ଫଳରେ ଦଳାଚକଟାରେ ୩୦ ଜଣଙ୍କର ମୃତ୍ୟୁ ଘଟିଥିଲା । ପ୍ରାୟ ୯୦ ଜଣ ଆହତ ହୋଇଥିଲେ । ସ୍ନାନ ପାଇଁ ଥିବା ନିର୍ଦ୍ଦିଷ୍ଟ ସ୍ଥାନରେ ଗାଧୋଇବା ପାଇଁ ଶ୍ରଦ୍ଧାଳୁମାନେ ଏତେ ଉତ୍କଣ୍ଠିତ ଥିଲେ ଯେ ବାରିକେଡ୍ ଭାଙ୍ଗି ପଶି ଯାଇଥିଲେ । ଯାହାଫଳରେ ଦଳାଚକଟା ସ୍ଥିତି ଉପୁଜିଥିଲା । ସେଦିନ ସକାଳ ୮ଟା ସୁଦ୍ଧା ସେଠାରେ ୩ କୋଟି ଲୋକ ବୁଡ଼ ପକାଇଥିଲେ । ସେହିପରି ମେଳାକୁ ଆସିବା ପାଇଁ ଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟାରେ ୧୮ ଜଣଙ୍କର ମୃତ୍ୟୁ ହୋଇ ଯାଇଛି । ଗତ ଫେବ୍ରୁଆରୀ ୧୩ ତାରିଖରେ ଯାତ୍ରୀମାନଙ୍କର ପ୍ରାଣ ଯାଇଥିଲା । ଏସବୁ ହେଉଛି ସରକାରୀ ରିପୋର୍ଟ । ତେବେ ଉଭୟ ଘଟଣାରେ ମୃତ୍ୟୁ ସଂଖ୍ୟା ଅଧିକ ବୋଲି ଚର୍ଚ୍ଚା ହେଉଛି ।

ଏହାବାଦ୍ କୁମ୍ଭକୁ ଆସୁଥିବା ବେଳେ ଏବଂ କୁମ୍ଭରୁ ଫେରୁଥିବା ବେଳେ ଗାଡ଼ି ଦୁର୍ଘଟଣାରେ ମଧ୍ୟ ଅନେକ ଲୋକଙ୍କର ପ୍ରାଣ ଯାଇଛି ।

ହିନ୍ଦୁଙ୍କର ଏକ ମହାନ୍ ପର୍ବ ଭାବେ ପାଳିତ ହେଉଥିବା କୁମ୍ଭ ପ୍ରତି ୧୨ ବର୍ଷରେ ଥରେ ପଡ଼ିଥାଏ । ଯାହା ପ୍ରାୟ ୬ ସପ୍ତାହ ଧରି ଚାଲିଥାଏ । ଏହି ପର୍ବରେ ସଙ୍ଗମ ସ୍ଥଳରେ ବୁଡ଼ ପକାଇଲେ ପାପ ନାଶ ହେବା ସହ ପୂଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି । ୧୯୫୪ରେ ପଡ଼ିଥିବା କୁମ୍ଭ ମେଳା ବେଳେ ପ୍ରାୟ ୪୦୦ ଲୋକଙ୍କ ପ୍ରାଣ ଯାଇଥିଲା । କେହି କେହି ଗଣମାଧ୍ୟମ ମୃତ୍ୟୁ ସଂଖ୍ୟା ୮୦୦ ବୋଲି ମଧ୍ୟ ଦାବି କରିଥିଲେ ।

୧୯୮୬ ଉତ୍ତରାଖଣ୍ଡ ସ୍ଥିତ ହରିଦ୍ବାର କୁମ୍ଭ ମେଳାରେ ପ୍ରାୟ ୨୦୦ ଲୋକ ମୃତ୍ୟୁମୁଖରେ ପଡ଼ିଥିଲେ । ୨୦୦୩ ମହାରାଷ୍ଟ୍ର ନାସିକ ଗୋଦାବରୀ ନଦୀ କୁମ୍ଭ ମେଳାରେ ପ୍ରାୟ ୩୯ ଜଣଙ୍କର ପ୍ରାଣ ଯାଇଥିଲା ।

ସେହିପରି ୨୦୧୩ ମସିହା ଫେବ୍ରୁଆରୀ ୧୦ ତାରିଖରେ ଆହ୍ଲାବାଦ ରେଳ ଷ୍ଟେସନରେ ଫୁଟବ୍ରିଜ୍ ଭାଙ୍ଗିଯିବା ଫଳରେ ୩୬ ଜଣ ପ୍ରାଣ ହରାଇଥିଲେ ।

ତେଣୁ ଏଭଳି ବଡ଼ ବଡ଼ ଆୟୋଜନରେ ଟିକିଏ ଅସାବଧାନ ହେଲେ କି ସତର୍କ ନରହିଲେ ଏଭଳି ଭାବେ ଜୀବନ ଯିବାର ଆଶଙ୍କା ରହିଥାଏ ।