ଗଛ ମଣିଷ ଶ୍ରୀନାଥ, ଦୃଢ଼ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ବୟସ

ଉଦଳା: ବୟସ ୭୨ରୁ ଉର୍ଦ୍ଧ୍ବ ହେବ । କିନ୍ତୁ ଏବେ ବି ମନରେ ରହିଛି ଦୃଢ଼ ଇଚ୍ଛା ଶକ୍ତି । ଯାହା ଆଗରେ ଆଜି ହାର ମାନିଛି ବୟସ । ଏ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଜଡ଼ିଦା ପଞ୍ଚାୟତ ରାଇକାଳି ଗାଁର ଶ୍ରୀନାଥ ପାତ୍ର । ହଜାର ହଜାର ଗଛ ଲଗାଇ ଆଜି ସେ ଗଛ ମଣିଷ ଭାବେ ବେଶ ପରିଚିତ । ଘର ପାଖରେ ଥିବା ଏକ ସଂରକ୍ଷିତ ଜଙ୍ଗଲରେ ପାଖାପାଖି ୧୦,୦୦୦ରୁ ଉର୍ଦ୍ଧ୍ବ ଗଛର ରକ୍ଷଣାବେକ୍ଷଣ କରୁଛନ୍ତି ଶ୍ରୀନାଥ । ନିଜର ଉଦ୍ୟମ ଓ ଚେଷ୍ଟା ବଳରେ ଆଜି ଅନ୍ୟ ମାନଙ୍କ ପାଇଁ ହୋଇଛନ୍ତି ଉଦାହରଣ ।

ନିଜେ ଗଛ ଲଗାଇବା ସହ ଅନ୍ୟ ମାନଙ୍କୁ ଗଛ ଲଗାଇବାକୁ ସବୁବେଳେ ପ୍ରେରଣା ଦେଇଥାନ୍ତି । ବୟସର ଅପରାହ୍ନରେ ପହଞ୍ଚିବା ପରେ ବି ବେଳେ ଗଛ ଲଗାଇବା ଜାରି ରଖିଛନ୍ତି । ଗଛ ବଞ୍ଚିଲେ ଜୀବଜଗତ ବଞ୍ଚିବେ ଓ ପରିବେଶ ସୁସ୍ଥ ରହିବ ବୋଲି କହିଛନ୍ତି ଶ୍ରୀନାଥ । ସକାଳ ହେଲେ ନିଜର ଘର କାମ ସାରି ଗଛ ଦେଖିବାକୁ ବାହାରିଯାଆନ୍ତି । ଚାକିରିରୁ ଅବସର ପରେ ହଜାର ହଜାର ଗଛ ଲଗାଇ ଅନ୍ୟ ମାନଙ୍କ ପାଇଁ ହୋଇଛନ୍ତି ଉଦାହରଣ ।

ତେବେ ଶ୍ରୀନାଥ କପ୍ତିପଦା ବିଦ୍ୟୁତ ବିଭାଗରେ ଚାକିରୀ କରୁଥିଲେ । ୨୦୧୪ ମସିହାରେ ଅବସର ନେବା ପରେ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ୧୦୦୦୦ ଗଛର ଯତ୍ନ ନେବା ସହ ନିଜ ବାଡିରେ ୨୦୦୦ ରୁ ଉର୍ଦ୍ଧ୍ବ ଗଛ ଲଗାଇଛନ୍ତି । ତେବେ ସରକାରୀ ପ୍ରୋତ୍ସାହନ ମିଳିଲେ ସେ ନିଶ୍ଚୟ ଭାବରେ ଆହୁରି ଆଗକୁ ବଢ଼ିପାରିବେ । ଅନ୍ୟପଟେ ତାଙ୍କର ଏଭଳି ଉଦ୍ୟମକୁ ସବୁ ମହଲରେ ବେଶ ପ୍ରଶଂସା କରାଯାଉଛି ।

Also read: ମଣିଷଙ୍କ ପରେ ଏବେ ଗଛଙ୍କୁ ମିଳୁଛି ଆଧାର କାର୍ଡ଼, ଜାଣିହେବ ଗଛର ଠିକଣା, ବୟସ ଏବଂ ସବୁକିଛି