ଭୁବନେଶ୍ୱର: ଆଜିର ଦିନରେ ବୃକ୍ଷ ହିଁ ଜୀବନ, ଏକଥାକୁ ଅନେକ ଅଛନ୍ତି ଗୁରତ୍ୱ ଦେଇନଥାନ୍ତି ତ ଆଉ କିଛି ବ୍ୟକ୍ତି ଏହାକୁ ନିଜ ଜୀବନର ବ୍ରତ ରୂପେ ଗ୍ରହଣ କରିନେଇଛନ୍ତି । ଗଛ ଲଗାଇବାକୁ ଯେମିତି ସେମାନେ ମାନବ ଜାତିର ସେବା ବୋଲି ଭାବନ୍ତି । ତେବେ କାହିଁକି ଆମେ ଏକଥା କହୁଛୁ ଆସନ୍ତୁ ଜାଣିବା । ଏକଥା ବାସ୍ତବରେ ସତ ।
ସେଦିନ ରବିବାର, ଛୁଟି ଟିକେ ଥାଏ । ଆମେ ସକାଳୁ ସକାଳୁ ଖବର ଅନ୍ୱେଷଣରେ ବାହାରି ଥାଉ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳ । ବୁଲାବୁଲି କରୁଥିବା ବେଳେ ହଠାତ୍ ଆମର ନଜର ପଡିଥିଲା ଆଠ ନମ୍ବର ଅଞ୍ଚଳରେ ଥିବା ଏକ ପଡିଆ ପରିସରରେ । ସବୁ ଯୁବକ ନୀଳ ରଙ୍ଗର ଗଞ୍ଜି ଖଣ୍ଡେ ଖଣ୍ଡେ ପିନ୍ଧିଥାନ୍ତି । ସମସ୍ତେ ପ୍ରାୟ ସମ ବୟସ୍କ ଯୁବକ । ସମସ୍ତେ ଗୋଟିଏ ଟ୍ରାଭେଲ ବସ୍ ନିକଟରେ ଲେଖା ହୋଇଥିବା କିଛି ଫ୍ଲା କାର୍ଡ ଧରି ଅଳ୍ପ ସମୟ ରହି ବସ୍ ଉପରେ ଅନେକ ଗୁଡିଏ ବଡ଼ ଛୋଟ ଗଛ ଲଦିଲେ । ଆଉ ଗାଡି ଗଡ଼ିଲା ଧୀରେ ଧୀରେ । ଆଉ ଆମେ ସେହି ଗାଡିର ପିଛା କଲୁ ।
ଗାଡି ଚାଲିଥାଏ ଭୁବନେଶ୍ୱରରୁ ଖୋର୍ଦ୍ଧା ରାସ୍ତାରେ । ଖୋର୍ଦ୍ଧାରୁ ବାଟ ଭାଙ୍ଗିଲା ଜଙ୍କିଆ ରାସ୍ତା ଧରିଲା ବସ୍ । ରାସ୍ତାରେ ସବୁଜିମା ଧାନ କ୍ଷେତ ଆଉ ଭିତରେ କିଛି ଲୋକ ଧାନ ଚାରା ରୋଇବାରେ ଲାଗିଥାନ୍ତି । ଅନେକ ବାଟ ଗଲା ପରେ ବସଟି ଅଟକିଲା । ଆଉ ସେଥିରେ ବସିଥିବା ଯୁବକ ଏବଂ କେତେ ଜଣ ବୟଜ୍ୟେଷ୍ଠ ବ୍ୟକ୍ତି ଓହ୍ଲାଇଲେ ।ରାସ୍ତା କଡରେ ଜଳଖିଆ ଦୋକାନଟିଏ । ସମସ୍ତେ ମିଶି ଜଳଖିଆ ଖାଇଲେ । କିଏ କେମିତି ଫଟୋ ଉଠାଇଲେ ସେ ପାହାଡ ଘେରା ସବୁଜ ବନାନୀକୁ କିଛି ସମୟ ନିଜର କରି । ପୁଣି ବାହାରିଲେ ନିଜ ପଥରେ ।
ତେବେ କୁଆଡେ ଯାଉଛି ବସ୍ ଟି? ଆଉ କେତେ ବାଟ ଯିବ? କିଛି ଖବର ନଥାଏ । କିନ୍ତୁ ଆମ ମନରେ ପ୍ରଶ୍ନ ଥିଲା କି ଭୁବନେଶ୍ୱରରେ ବିଭିନ୍ନ ସ୍ଥାନ ଅଛି ଗଛ ଲଗାଇବା ପାଇଁ । କିନ୍ତୁ ଏମାନେ ପାହାଡ ଘେରା ଅଞ୍ଚଳକୁ ଅତିକ୍ରମ କରି ଯାଉଛନ୍ତି କୁଆଡେ । ଦେଖୁ ଦେଖୁ ଭୁବନେଶ୍ୱର ଠାରୁ ୭୦କିଲୋମିଟର ଅତିକ୍ରମ କଲା ପରେ ବସ ଯାଇ ଅଟକିଲା ଜଙ୍କିଆ ଅନ୍ତର୍ଗତ ଅରିଶଲ ଗାଁ ମୁଣ୍ଡରେ ।
ବସ୍ ରୁ ସମସ୍ତେ ଓହ୍ଲାଇଲେ ଆଉ ସାଙ୍ଗରେ ଆଣିଥିବା ଗଛ ସବୁ ଗୋଟିଏ ଗୋଟିଏ କରି ସବୁ ତଳେ ଥୋଇଲେ । ଆଉ ବୋହି ନେଲେ ଗୋଟିଏ ପଡିଆ ନିକଟ କୂଅ ପାଖକୁ । ପଡିଆରେ ଆଗରୁ କେତେ ଗୁଡିଏ ଗାତ ଖୋଳା ସରିଥାଏ । ବିଭିନ୍ନ ପ୍ରକାରର ଗଛ ଭିତରେ ଛୋଟ ଟଗର ପୁଲ ଗଛ ମଧ୍ୟ ଥିଲା । କିଛି ସମୟରେ ସମସ୍ତେ ଗାଁ ଦାଣ୍ଡରେ ବୁଲି ବୁଲି ଗଛ ଲଗାଇବା ପାଇଁ ଲୋକଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟିଲେ । ଗାଁ ର କିଛି ଲୋକ ଡାକି ଆଦର ଅଭ୍ୟର୍ଥନା ମଧ୍ୟ କଲେ । ଅରିଶଲ ଗାଁ ଟି ଭାରି ପରିଷ୍କାର ଏବଂ ସୁନ୍ଦର ପରିବେଶ ହୋଇଥିଲା ।
କିନ୍ତୁ ଗୋଟିଏ ଦୁଃଖଦ ଆଉ ସ୍ପର୍ଶ କାତର ଘଟଣା ସାମ୍ନାକୁ ଆସିଥିଲା । ଯାହାର କେବଳ ସାମ୍ୟକ ଝଲକ ଦେଖାଉଛୁ । ଗାଁ ମୁଣ୍ଡରୁ ଟିକ ଭିତରକୁ ଗଲେ ପଡିବ ଏହି ଘରଟି । ଘରର କାନ୍ଥ ଭୁଷିଡି ଯାଇଛି । ଘର ଚାରିପାଖରୁ ଗୋଟିଏ ପାଖରେ କେବଳ କାନ୍ଥ । ସେ ଘର ଦୃଶ୍ୟ ଦେଖି ଆପଣମାନେ ଅନୁମାନ ଲଗାଇବେ । ହେଲେ ସେ ଘରେ ରହୁଥିବା ଦୁଇ ଜଣ ବୃଦ୍ଧାଙ୍କୁ ଦେଖିଲେ ଜଣେ ପିନ୍ଧିଛନ୍ତି ଖଣ୍ଡେ ମଇଳା ଗାମୁଛା, ଯାହା ଆଣ୍ଠୁ ଲୁଚୁନି । ଆଖିରେ ଲୁହ ଅନ୍ତରରେ କୋହ । ଅନେକ କଥା ବଖାଣୁ ଥିଲା ଏହି ଦୃଶ୍ୟ । ସରକାରଙ୍କ ଅନେକ ଯୋଜନାକୁ ଯେମିତି ଆଙ୍ଗୁଳି ଦେଖାଇ ପ୍ରଶ୍ନ କରୁଥିଲା ।
ତେବେ ବହୁ ସମୟ ବୁଲିଲା ପରେ ଆସି ସମସ୍ତେ ଗଛ ଲଗାଇବା ଆରମ୍ଭ କଲେ । ଗାଁ ର ସରପଞ୍ଚ ସମିତି ସଭ୍ୟ ଏବଂ ଗାଁ ଲୋକଙ୍କ ଗହଣରେ ବୃକ୍ଷ ରୋପଣ କାର୍ଯ୍ୟ ସମାପ୍ତ ହେଲା । ଏଥିରେ ଭୁବନେଶ୍ୱରର ଲ’ ଡିପାର୍ଟମେଣ୍ଟ ମଧ୍ୟ ଏଥିରେ ଭାଗ ନେଇଥିଲେ । ଏକଥାକୁ ଆମେ ଯେତେବେଳେ ପଚାରିଲୁ ସେମାନେ କୁହନ୍ତି ଗଛ ଲଗାଇବା ନିହାତି ଜରୁରୀ । ଗଛ ହିଁ ଆମର ଜୀବନ ବଞ୍ଚାଇ ପାରିବ । ଗଛ ହେଉଛି ଆମର ଜୀବନରେ ପ୍ରକୃତ ବନ୍ଧୁ ।