ଆଦିବାସୀ କଳାକାରଙ୍କୁ ମିଳୁନି କଳାକାର ଭତ୍ତା, ଜିଆଇ ଟ୍ୟାଗ ମିଳିବା ପରେ ଦୁଃଖରେ ଚିତ୍ରକଳା ଶିଳ୍ପୀ

ଗୁଣୁପୁର: ଆଦିମ ଜନଜାତିର ପରିଚୟ ହେଉଛି ସେମାନଙ୍କ ଚିତ୍ରକଳା । ଚିତ୍ରକଳା ଆଦିବାସୀ ସଂସ୍କୃତିର ଅନ୍ୟତମ ମହନୀୟ ବିଭବ । ଆଦିମ ଜନଜାତି ଲାଞ୍ଜିଆ ସୌରାଙ୍କ ଚିତ୍ରକଳା ଅନ୍ୟମାନଙ୍କ ଚିତ୍ରକଳା ଠାରୁ ସମ୍ପୂର୍ଣ ଭିନ୍ନ । ଆଦିମ ଆଦିବାସୀ ଚିତ୍ରକଳା ବା ଲାଞ୍ଜିଆ ସଉରା କାନ୍ଥ ଚିତ୍ର ଇଡିତାଲକୁ ମିଳିଛି ଜି ଆଇ ଟ୍ୟାଗ୍ । ଏହି ମାନ୍ୟତା ମିଳିବା ପରେ ଆଦିବାସୀ କଳାକାରଙ୍କ ଆର୍ଥିକ ବିକାଶ ହେବା ନେଇ ଆଶା କରାଯାଉଥିଲା । ହେଲେ ଏହି ଆଶା ଏବେ ଆଶାରେ ରହିଯାଇଛି ।

ବର୍ଷକୁ ଦୁଇ ଥର ବିଭିନ୍ନ ଗାଁରେ ଆଗ୍ରହୀ ଆଦିବାସୀ ଯୁବକ ଯୁବତୀମାନଙ୍କୁ ନେଇ ଏକ ତାଲିମ ଶିବିର ଅନୁଷ୍ଠିତ ହେଉଛି । ଏଥିପାଇଁ ବୟନ ଶିଳ୍ପ ବିଭାଗ ପକ୍ଷରୁ ତାଲିମ ଧାରିମାନଙ୍କୁ ମାସିକ ଦୁଇ ହଜାର ଓ ତାଲିମ ପ୍ରଦାନ କାରିକୁ ମାସିକ କୋଡ଼ିଏ ହଜାର ଟଙ୍କା ପ୍ରଦାନ କରାଯାଉଛି । ତେବେ ତାଲିମ ଶେଷ ହେବା ପରେ ସେହି ଯୁବକ ଯୁବତୀମାନଙ୍କୁ ଏକ ପ୍ରମାଣ ପତ୍ର ଦିଆ ଯାଇଥାଏ । ହେଲେ ତାଲିମ ଧାରୀକୁ କଳାକାର ମାନ୍ୟତା ଦେବାପାଇଁ ଦାବି କରାଯାଉଛି । ଯିଏ ଏହି କାନ୍ଥ ଚିତ୍ରକୁ ବଜାୟ ରଖିଛନ୍ତି ଓ ଯାହା ଦ୍ଵାରା କାନ୍ଥ ଚିତ୍ର ଦେଶ ବିଦେଶରେ ଆଦୃତ ଲାଭ କରିଛି ସେହି ମୁଖ୍ୟ କଳାକାର ଲକ୍ଷ୍ମଣ ଶବରଙ୍କୁ ଏଯାଏ କୌଣସି ଭତ୍ତା ମିଳୁ ନାହିଁ ।

ବାହାରୁ ଚିତ୍ର  ପାଇଁ ଯେଉ ବରାଦ ଆସେ ତାହା ତୁଳନା କରିବା ପରେ ଯେଉ ପ୍ରାପ୍ୟ ଆସେ ସେଥିରେ ସେ ପରିବାର ପ୍ରତି ପୋଷଣ କରନ୍ତି । ତେବେ ସରକାର ଗିନି, ମୃଦଙ୍ଗ, ତବଲା ଓ ଗାୟକମାନଙ୍କୁ କଳାକାର ମାନ୍ୟତା ଦେଇ ସେମାନଙ୍କୁ କଳାକାର ଭତ୍ତା ପ୍ରଦାନ କରୁଥିବା ବେଳେ ଆମ ପରି କଳାକାରମାନଙ୍କୁ କାହିଁକି କଳାକାର ଭତ୍ତା ଦିଆଯାଉ ନାହିଁ ବୋଲି ଇଡତାଲ ଚିତ୍ରକର ଲକ୍ଷ୍ମଣ ଶବର ପ୍ରଶ୍ନ କରିଛନ୍ତି ।

ରାୟଗଡା ଜିଲ୍ଲାର ଗୁଣୁପୁର ବ୍ଳକରେ ଆଦିମ ଜନଜାତି ଲାଞ୍ଜିଆ ସୌରା ବସବାସ କରନ୍ତି । ଇଡିତାଲ ହେଉଛି ଏହି ପୁରାତନ ଜନଜାତିଙ୍କର ଚିତ୍ରକଳା । ସୌରା ଭାଷାରେ ଇଡିର ଅର୍ଥ ଚିତ୍ର ଓ ତାଲର ଅର୍ଥ କାନ୍ଥ । କାନ୍ଥ ଉପରେ ଏହି ଚିତ୍ର ଅଙ୍କାଯାଇଥିବାରୁ ଏହାକୁ ଇଡିତାଲ କୁହାଯାଏ । ଲାଞ୍ଜିଆ ସୌରା ବେକାରୀ ଯୁବକ ଯୁବତୀମାନଙ୍କୁ ନିୟମିତ ଇଡିତାଲ ପ୍ରଶିକ୍ଷଣ ନେଇ ଏହି ଚିତ୍ରକଳା କରି ଅର୍ଥ ଉପାର୍ଜନ କରିବାକୁ ସକ୍ଷମ ହୋଇଛନ୍ତି ସତ କିନ୍ତୁ ଲକ୍ଷ୍ମଣ ଶବରଙ୍କୁ ପ୍ରଶାସନ ତରଫରୁ ଏଯାଏଁ କଳାକାର ଭତ୍ତା ମିଳି ପାରି ନାହିଁ । ଲକ୍ଷ୍ମଣଙ୍କୁ ବୟସ ଅଧିକ ହୋଇଗଲାଣି, ଘର ଚଳାଇବା ତାଙ୍କ ପକ୍ଷେ ମୁସ୍କିଲ ହୋଇଯାଉଛି । ଏପରି ସ୍ଥଳେ ପ୍ରଶାସନ ତରଫରୁ ଯଦି ତାଙ୍କୁ କଳାକାର ଭତ୍ତା ଦିଆଯାଏ ତେବେ ତାଙ୍କ ଦୁଃଖ ଅଳ୍ପ ବହୁତ ଦୂର ହେବ ନିଶ୍ଚିତ ।

Also read:ସୁପ୍ରଭାଙ୍କ ନିଆରା ପ୍ରୟାସ, ଅଦରକାରୀ ଜିନିଷରେ କରୁଛନ୍ତି ଚିତ୍ରକଳା