ଗୋଟିଏ ବହି ପଢି ଟପ୍ପର ହୋଇଛନ୍ତି ଏହି ଯାଆଁଳା ଭାଇ

ବେଗୁନିଆ: ପରିବାର ସହ ବିଦ୍ୟାଳୟରେ ଖେଳିଯାଇଛି ଖୁସିର ଲହରୀ । କାହିଁକିନା ପୁଅ ଆଜି ସୁନାମ ଆଣିଛି । କଠିନ ପରିଶ୍ରମର ଉଚିତ୍ ଫଳ ପାଇଛି । ପ୍ରତ୍ୟେକ ବାପା ମାଆ ଚାହାଁନ୍ତି ଯେ ତାଙ୍କ ପିଲା ଦୁନିଆର ଯେକୌଣସି ପରୀକ୍ଷା ଦେଉ ନା କାହିଁକି ସେଥିରେ ଭଲ ନମ୍ବର ରଖି ପାସ୍‌ କରୁ । ଏଥିପାଇଁ ବାପା ମାଆ ସବୁ ପ୍ରକାରର ପଦକ୍ଷେପ ନିଅନ୍ତି, ଯାହା ସେମାନଙ୍କ ପିଲାଙ୍କ ଭବିଷ୍ୟତ ପାଇଁ ଆବଶ୍ୟକ । ତେବେ ଏମିତି ଦୁଇ ଭାଇ ଯିଏ ନିଜେ କଷ୍ଟ କରି ଆଜି ଉଚିତ୍ ଫଳ ପାଇଛନ୍ତି । ଯାହାକି ନେଇ ଆଜି ସଭିଙ୍କର ଛାତି କୁଣ୍ଢେମୋଟ ।

ଦୁହେଁ ସିନା ପିଲାଟିବେଳୁ ଦେଖିବାକୁ ଏକାପରି ଥିଲେ, ହେଲେ ଆଜି ଦୁହେଁ A ୱାନ୍ ଗ୍ରେଡ଼ ରଖି ଟପ୍ପର ହୋଇଛନ୍ତି । ଗୋଟିଏ ଛାତ ତଳେ ଗୋଟିଏ ବହି ପଢି କଠୋର ପରିଶ୍ରମ କରି ଆଜି ମାଟ୍ରିକ ପରୀକ୍ଷାରେ A ୱାନ୍ ଗ୍ରେଡ଼ରେ ୫୬୫ ଏବଂ ୫୬୩ ନମ୍ବର ରଖି ସ୍କୁଲ୍ ଏବଂ ବେଗୁନିଆ ବ୍ଲକ୍ ଟପ୍ପର ହୋଇଛନ୍ତି ଦୁଇ ଯାଆଁଳା ଭାଇ । ବେଗୁନିଆ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳର ଏହି ଦୁଇ ଛାତ୍ର ହେଉଛନ୍ତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ଏବଂ ଭବାନୀ ପ୍ରସାଦ ଆଚାର୍ଯ୍ୟ । ଉଭୟ ବେଗୁନିଆ ନୂଆ ସାହିର ସ୍ଵର୍ଗତ ସୁରେଶ ଚନ୍ଦ୍ର ଆଚାର୍ଯ୍ୟ ଏବଂ ମାତା ମୋନାଲିସା ରଥଙ୍କ ଦୁଇ ଯାଆଁଳା ପୁଅ । କଠିନ ପରିଶ୍ରମ କରି ଗୋଟିଏ ଛାତ ତଳେ ମାଆ ମୋନାଲିସାଙ୍କ ତତ୍ଵାବଧାନରେ ଆଜି ପାଇ ପାରିଛନ୍ତି ସଫଳତା । ଆଉ ସ୍କୁଲ୍ ଏବଂ ବ୍ଲକ୍ ପାଇଁ ଆଣିଛନ୍ତି ଗୌରବ ।

ଏପଟେ ଏହି ସଫଳତା ପରେ ସବୁଠୁ ଉଭୟଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛା ଓ ଅଭିନନ୍ଦନ । ପରିବାର ତଥା ଶିକ୍ଷୟ ଶିକ୍ଷୟତ୍ରୀ ମାନଙ୍କ ସମର୍ଥନ ଓ ଆଶୀର୍ବାଦ ପାଇଁ ସଫଳତା ମିଳିଥିବା ନେଇ କହିଛନ୍ତି ଏହି ଯାଆଁଳା ଭାଇ ।

ବାପା ନଥିଲେ ବି ମାଆ ମୋନାଲିସା ପୁଅଙ୍କ ସ୍ୱପ୍ନ ସାକାର ପାଇଁ ବଦ୍ଧ ପରିକର । ଦୁଇ ପୁଅଙ୍କ ଏହି କୃତିତ୍ଵ ଯୋଗୁଁ ସେ ଆଜି ଖୁବ୍ ଖୁସି । ତେବେ ଉଭୟଙ୍କ କୃତିତ୍ୱକୁ ନେଇ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ନିଜର ଖୁସି ଜାହିର କରିଥିବାବେଳେ ସେମାନଙ୍କର ଉତ୍ତୋରତ୍ତର ଉନ୍ନତି କାମନା କରିଛନ୍ତି । ଦୁଇ ଭାଇଙ୍କୁ ସେମାନଙ୍କ ସଫଳତା ପାଇଁ ମିଠା ଖୁଆଇ, ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିବା ଦେଖିବାକୁ ମିଳିଛି ।

ଦୃଢ ଇଛାଶକ୍ତି, କଠିନ ପରିଶ୍ରମ ବଳରେ ସଫଳତା ମିଳିଥାଏ । ସତ କହିବାକୁ ଗଲେ ପରିଶ୍ରମ ହିଁ ସଫଳତାର ଚାବି କାଠି । ସେହିପରି ଏହି ଦୁଇ ଯାଆଁଳା ଭାଇ ପରୀକ୍ଷାର୍ଥୀ ଯିଏ ସଫଳତାର ପାହାଚ ଚଢି ଆଜି ନିଜ ପରିବାରକୁ ଗର୍ବିତ କରିଛନ୍ତି । ଉଭୟଙ୍କ ସଫଳତାର କାହାଣୀ ଏମିତି ଆଗକୁ ଜାରି ରହୁ ଏହାହିଁ ସମସ୍ତଙ୍କ କାମନା ।

ଆହୁରି ପଢନ୍ତୁ: JEE ମେନ୍ସରେ ଏକା ସାଙ୍ଗେ ସଫଳତା ପାଇଲେ ଯାଆଁଳା ଭାଇ, ଚାରିଆଡ଼ୁ ଛୁଟୁଛି ପ୍ରଶଂସାର ସୁଅ