ଘର ଭିତରେ ହୁ ହୁ ହୋଇ ଜଳୁଥିଲା ନିଆଁ, ଜୀବନ୍ତ ଜଳିଗଲେ ଭାଇଭଉଣୀ

ରାଜନଗର: ଆଜି ହେଉଛି ସ୍ୱାଧିନତା ଦିବସ । ସେଥିପାଇଁ ସକାଳୁ ସକାଳୁ ଭାଇ ଭଉଣୀ ବାହାରିଯାଇଥିଲେ ସ୍କୁଲକୁ । ସ୍କୁଲ୍‌ ରୁ ଫେରି ଘରେ ପହଞ୍ଚି ବୋଉକୁ କହିଥିଲେ ବୋଉ ଭୋକ ଲାଗୁଛି ଖାଇବାକୁ ବାଢ଼େ । ବୋଉ ମଧ୍ୟ ସାଙ୍ଗେ ସାଙ୍ଗେ ବାସନ ଧୋଇ ଭାଇ ଭଉଣୀକୁ ଖାଇବାକୁ ଦେବା ପାଇଁ ବାହାରି ପଡ଼ିଥିଲେ । ଯେତେବେଳେ ବାସନ ଧୋଇ ଘର ଭିତରକୁ ପଶିଥିଲେ ସେତେବେଳେ ସେ ଯାହା ଦେଖିଥିଲେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ଘର ଭିତରେ ହୁ ହୁ ହୋଇ ଜଳୁଥିଲା ନିଆଁ । ଆଉ ସେ ଘରେ ଥିଲେ ଦୁଇ ଭାଇ ଭଉଣୀ । ଆଉ ଦେଖୁ ଦେଖୁ ନିଆଁରେ ଜୀବନ୍ତ ଦଗ୍ଧ ହୋଇଗଲେ ଦୁଇ ପିଲା । ଏହି ଦୁଃଖରେ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛନ୍ତି ପୂରା ପରିବାର । ମା’ ମଧ୍ୟ କାନ୍ଦି କାନ୍ଦି ଚେତା ହରାଉଛି । ଦୁଇ ଶିଶୁଙ୍କ ମଧ୍ୟରେ ଜଣେ ୧୧ ବର୍ଷୀୟା ଝିଅ ଅନୁପମା ସାହାଣୀ ଓ ୯ ବର୍ଷର ପୁଅ ରିଷି ସାହାଣୀ । ଏଭଳି ଦୁଃଖଦ ଘଟଣା କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ କୁରୁଣ୍ଟି ପଞ୍ଚାୟତ ରାଜନଗର ବଳରାମପୁର ଗାଁ ରେ ଘଟିଛି ।

ତେବେ ବାପା ସୁକାନ୍ତ ସାହାଣୀ ବାହାରେ ରହି କାମ କରିଥାନ୍ତି । ମା ଅନିତା ସାହାଣୀଙ୍କ ସହ ୨ ଝିଅ ଓ ପୁଅ ଗାଁରେ ରହୁଥିଲେ । ସକାଳୁ ବଡ଼ ଝିଅ ସୁପ୍ରିୟା ସାନ ଝିଅ ଅନୁପମା ଏବଂ ପୁଅ ରିଷି ଗାଁ ବଳରାମପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଇଥିଲେ ସ୍ୱାଧୀନତା ଦିବସ ପାଳନ କରିବା ପାଇଁ । ସ୍କୁଲରୁ ଫେରି ଉଭୟ ସାନ ଝିଅ ଅନୁପମା ଏବଂ ପୁଅ ରିଷି ମାକୁ ଖାଇବା ମାଗିଥିଲେ । ମା ଗ୍ୟାସରେ ଖାଇବା ପ୍ରସ୍ତୁତ କରିବା ଆରମ୍ଭ କରି ବାସନ ଧୋଇବା ପାଇଁ ବାହାରକୁ ଯାଇଥିବା ସମୟରେ ନିଆଁ ଲାଗିବା ଆରମ୍ଭ ହୋଇଥିଲା । ମା ଆସି ଘରେ ପହଞ୍ଚିବା ପରେ ହଠାତ ଗ୍ୟାସ ଟାଙ୍କି ଫାଟି ଘର ସାରା ନିଆଁ ବ୍ୟାପି ଯିବାରୁ ମା ପିଲାଙ୍କୁ ଉଦ୍ଧାର କରିପାରିନଥିଲା । ଫଳରେ ଗ୍ରାମବାସୀ ଓ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବା ବେଳକୁ ଦୁଇ ଶିଶୁ ଜୀବନ୍ତ ଦଗ୍ଧ ହୋଇସାରିଥିଲେ । ଘର ମଧ୍ୟ ପୋଡି ପାଉଁଶ ହୋଇଯାଇଛି ।

ଏହି ଘଟଣା ପ୍ରଘଟ ହେବା ପରେ ବଳରାମପୁର ଗାଁ ରେ ହଜାର ହଜାର ଲୋକେ ଏକାଠି ହେବା ସହ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଘଟଣା ସ୍ଥଳରେ ରାଜନଗର ଥାନ ଅଧିକାରୀ, ତହସିଲଦାର, ବିଡ଼ିଓ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ମୃତ ଶିଶୁଙ୍କ ଶବ ବେବଛେଦ ପାଇଁ ଆଳି ଗୋଷ୍ଠି ସ୍ଵାସ୍ତ୍ୟକେନ୍ଦ୍ରକୁ ପଠାଇଥିଲେ । ଘଟଣାସ୍ଥଳକୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ଏବଂ ଏସପି ସିଦ୍ଧାର୍ଥ କାଟେରିଆ ଗସ୍ତ କରି ସ୍ଥିତି ସମୀକ୍ଷା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମୃତ ଶିଶୁଙ୍କ ପରିବାରକୁ ୩୦ ହଜାର ଲେଖାଏଁ ୬୦ ହଜାର ଟଙ୍କା ପ୍ରଦାନ କରିଛନ୍ତି । ପଞ୍ଚାୟତ ତରଫରୁ ହରିଶ୍ଚନ୍ଦ୍ର ସହାୟତା ୬ ହଜାର ଟଙ୍କା ଏବଂ ବ୍ଲକ ତରଫରୁ ବିଡ଼ିଓ ୫ ହଜାର ଟଙ୍କା ପ୍ରଦାନ କରିଛନ୍ତି । ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ସହ ବିଭିନ୍ନ ସ୍ଵେଛାସେବୀ ସଂଗଠନ ପହଞ୍ଚି ସହାୟତାର ହାତ ବଢ଼ାଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like