ଗାଧୋଇବାକୁ ଯାଇ ରାଉରକେଲା କୋଏଲ ନଦୀରେ ବୁଡିଗଲେ ଦୁଇ ସାଙ୍ଗ

ରାଉରକେଲା: ହେ ଭଗବାନ୍ ! ମୁଁ ଏବେ କଣ କରିବି । ହେ ମାଆ ତାରିଣୀ ଲୋ ମୋ ଛୁଆକୁ ବଞ୍ଚେଇଦେ । ମୁଁ କେମିତି ତାକୁ ଛାଡି ରହିବି । କଣ ହେଇଗଲା ସବୁ କେଇ ମୁହୂର୍ତ୍ତକ ଭିତରେ? ଏମିତି କିଛି କହି ପୁଅକୁ ଆଉଁଶି ପକାଇ ଛାତି ପଠାଇ କାନ୍ଦୁଛି ଏ ମାଆଟି । ଏମିତି ଅକାଳରେ ପୁଅ ତାର ଆରପାରିକୁ ଚାଲିଯିବ ସେ ବିଶ୍ୱାସ କରିପାରୁନାହିଁ । ଶୀଘ୍ର ଟିକେ ତା ପୁଅର ଡାକ୍ତରଖାନାକୁ ନେଇଯିବାକୁ ଆକୁଳ ନିବେଦନ କରୁଛି ଏଇ ମାଆଟି । ହେଲେ କଣ ହେବ ବହୁତ ଡେରି ହୋଇଯାଇଛି । ସବୁଦିନ ପାଇଁ ଏ ମାଆର କୋଳକୁ ଖାଲି କରି ଚାଲିଯାଇଛି ତା ପୁଅ । ଖାଲି ଏ ମାଆ ନୁହେଁ, ଆଉ ଜଣେ ମାଆ ବି ହରାଇଛି ତା ଗେଲବସରିଆ ଭେଣ୍ଡିଆ ପୁଅକୁ ।

ଯେଉଁ ବୟସରେ ଜୀବନକୁ ଉପଭୋଗ କରିବା କଥା, ନିଜ ପାଇଁ ତଥା ଏ ସମାଜ ପାଇଁ କିଛି କରିବା କଥା, ସେଇ ବୟସରେ ଏମାନଙ୍କୁ ସାଥ୍ ଦେଲାନି ଆୟୁଷ । ଅକାଳରେ ଲିଭିଗଲା ଏମାନଙ୍କ ଜୀବନ ଦୀପ । ସତରେ ମୃତ୍ୟୁ ନା ଦେଖେ ସ୍ଥାନ ନା ଦେଖେ ସମୟ । କାହାକୁ କେତେବେଳେ ନିଜର ଅତିଥି କରିଦିଏ କେହି ଜାଣିପାରନ୍ତି ନାହିଁ । ଏଇ ଯେମିତି ଗତକାଲିର ଏହି ଘଟଣା ।

ଗାଧୋଇବାକୁ ଯାଇ ନେଇଗଲେ ସଲୀଳ ସମାଧି । ଗାଧୋଉ ଗାଧୋଉ ବୁଡିଗଲେ ଦୁଇ ଯୁବକ । ଏଭଳି ଅଭାବନୀୟ ଘଟଣା ଘଟିଛି ରାଉରକେଲାର ବିଶ୍ରା ଥାନା ଅନ୍ତର୍ଗତ ଗିରପାଣି ଗାଁ ନିକଟ କୋଏଲ ନଦୀରେ । ଏଇ ଉଦୁଉଦିଆ ଖରାରେ ଟିକେ ସମୟ ଅତିବାହିତ କରିବା ପାଇଁ ସାଙ୍ଗ ହୋଇ ଏକାଠି ଯାଇଥିଲେ ଗାଧୋଇବା ପାଇଁ । ହେଲେ ଗଭୀର ଜଳରେ ବୁଡ଼ିଗଲେ ଦୁଇ ଜଣ ଯାକ । ଆଉ ଶୋଇଗଲେ ଚିରନିଦ୍ରାରେ ।

ଗାଧୋଇବାକୁ ଯାଇ ବୁଡିଗଲେ ଦୁଇ ଯୁବକ । ଏହି ଦୁଇ ଯୁବକ ହେଉଛନ୍ତି ରାଉରକେଲା ସେକ୍ଟର ଅଞ୍ଚଳର । ଯାହା ଜଣାପଡିଛି, ଚାରି ଜଣ ଯୁବକ ସାଙ୍ଗ ହୋଇ ଗାଧୋଇବାକୁ ଯାଇ ଅସାବଧନତା ବଶତଃ ବୁଡିଯାଇଥିଲେ । ଖବର ପାଇ ବିଶ୍ରା ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ବାସିନ୍ଦା ମାନେ ସମସ୍ତଙ୍କୁ ଉଦ୍ଧାର କରିଥିବାବେଳେ, ଦୁଇ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତକ ସେକ୍ଟର -୮ ଅଞ୍ଚଳର ଆର୍ଶୀବାଦ ବାରିକ୍ ଓ ସେକ୍ଟର -୧୭ ଅଞ୍ଚଳର ପ୍ରଦୀପ ତରାଇ ବୋଲି ସୂଚନା ମିଳିଛି । ଉଭୟଙ୍କ ବୟସ ପ୍ରାୟ କୋଡିଏ ବର୍ଷ ହେବ ।

ତେବେ ଏହି ଘଟଣାରେ ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି । ଏପଟେ ଏଭଳି ବିପଦଜନକ ସ୍ଥାନରେ ଯୁବପୀଢ଼ିଙ୍କ ଜୀବନ ବଳି ପଡିବା ଘଟଣା କିଛି ନୂଆ ନୁହେଁ । ତଥାପି ଯେତେ ସଚେତନ ସତ୍ୱେ ଅମାନିଆ ଯୁବପୀଢ଼ି । ବିପଦ ମୁହଁକୁ ଯାଇ ଜୀବନକୁ ବାଜି ଲଗାଉଛନ୍ତି ବାରମ୍ବାର । ଆଉ ସାମାନ୍ୟ ଅସାବଧାନତା ଓ ଅବହେଳା ପାଇଁ ଅସମୟରେ ଚାଲିଯାଉଛି ଏମାନଙ୍କ ଅମୂଲ୍ୟ ଜୀବନ ।

ଆହୁରି ପଢନ୍ତୁ: ହିମାଚଳ କୁଲ୍ଲୁରେ ଭୂସ୍ଖଳନ, କାର୍ ଉପରେ ଗଛ ପଡ଼ି ୬ ମୃତ