ନଦୀକୁ ଗାଧୋଇବାକୁ ଯାଇ ଘରକୁ ଫେରି ନଥିଲେ ଭାଇଭଉଣୀ

ନୟାଗଡ : ମେଡିକାଲ ବେଡରେ ଶୋଇରହିଛନ୍ତି ପୁଅ ଝିଅ । ଛୁଆ ଦୁହିଁଙ୍କ ଶବକୁ ଧରି ଭୋ ଭୋ ହୋଇ କାନ୍ଦୁଛି ମା’। ଯେଉଁ ଦୃଶ୍ୟ ଦେଖିଲେ ଆପଣ ବି ଧୈର୍ଯ୍ୟ ଧରି ରହିପାରିବେନି । ଆଖିରୁ ବହିଯିବ ଧାର ଧାର ଲୁହ । ଆମେ ସେହି ଦୃଶ୍ୟକୁ ଆପଣମାନଙ୍କୁ ଦେଖାଇବା ପାଇଁ ଅସମର୍ଥ ହେଉଛୁ କିନ୍ତୁ ସେହି ଦୃଶ୍ୟ ଦେଖିଲେ ଛାତି ଥରି ଉଠିବ । ଏକାସାଙ୍ଗେ ପୁଅ ଝିଅକୁ ହରାଇବାର ଦୁଃଖ କେମିତି ବା ସହି ପାରିବ ମା’ । ସେ ପା ମା’ ୧୦ ମାସ ଗର୍ଭରେ ଧରି ଅନ୍ତ ଫାଡ଼ି ଜନ୍ମ କରିଛି । ତା’ ଦୁଃଖ କିଏ ବା ଦେଖିପାରିବ ।
ହଁ ଆଜ୍ଞା, ନଦୀକୁ ଗାଧୋଇବାକୁ ଯାଇ କଥାବାର୍ତ୍ତା ହୋଇ ଚାଲିଗଲେ ଭାଇଭଉଣୀ । ଏଭଳି ଅଘଟଣ ଇଟାମାଟି ଥାନା ଅନ୍ତର୍ଗତ ବାଉଁଶିଆପଡା ଗାଁରେ ଦେଖିବାକୁ ମିଳିଛି l ସେହି ଗାଁର ଦୁତିକୃଷ୍ଣ ସେଠୀ ଙ୍କ ପୁଅ ଝିଅ ଓ ଗାଁ ଅନ୍ୟ ଏକ ନାବାଳକ ପୁଅ ସହ ସାଙ୍ଗ ହୋଇ ନିକଟସ୍ଥ କୁସୁମୀ ନଦୀକୁ ଗାଧେଇବାକୁ ଯାଇଥିଲେ l ମା’ ନଦୀରେ ପହଞ୍ଚିବା ପୂର୍ବରୁ ଛୁଆମାନେ ସେଠାରେ ପହଞ୍ଚି ଯାଇଥିଲେ । ହେଲେ ସେହି ନଦୀ ରେ ଛକି ବସିଥିଲା ଯମ । ଭାଇଭଉଣୀଙ୍କୁ ଏକା ସାଙ୍ଗେ ଡାକି ନେଇଥିଲା । ନଦୀରେ ଗାଧୋଉଥିବା ବେଳେ ବୁଡ଼ି ଯାଇଥିଲେ ଦୁଇ ଭାଇଭଉଣୀ । ସେତେବେଳକୁ ସେମାନଙ୍କ ମା’ ସେଠାରେ ପହଞ୍ଚି ଯାଇଥିଲେ । ହେଲେ ପହଞ୍ଚିବା ବେଳକୁ ସବୁ କିଛି ସରି ଯାଇଥିଲା । ସାଙ୍ଗରେ ଯାଇଥିବା ପୁଅ ପାଟିକରି ଡାକିଥିଲା l ତାଙ୍କ ଡାକ ଶୁଣି ଆଖପାଖରେ ଥିବା ଗ୍ରାମବାସୀ ଧାଇଁ ଆସିଥିଲେ । ସେମାନେ କାଜଲ ଓ ସାଇଙ୍କୁ ନଦୀରୁ ଉଦ୍ଧାର କରିଥିଲେ ଏବଂ ସଙ୍ଗେ ସଙ୍ଗେ ନୟାଗଡ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ l ଡାକ୍ତରଖାନାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା ।
ଏନେଇ ଇଟାମାଟି ଥାନା ପୁଲିସ୍ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ପରିବାରଠାରୁ ପୁରା ଗାଁରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ବାରମ୍ବାର ଏପରି ଘଟଣା ଘଟୁଥିବା ବେଳେ ଅନେକଙ୍କ ଜୀବନ ଯାଉଛି ତା ପରେ ମଧ୍ୟ ସତର୍କ ହେଉନାହାଁନ୍ତି ଲୋକେ । ଯଦି ସତର୍କ ରୁହନ୍ତେ ପିଲାମାନଙ୍କୁ ନଦୀକୁ ନିକଟକୁ ନ ଛାଡ଼ନ୍ତେ ତେବେ ଏଭଳି ଅଘଟଣ ଘଟିବାରୁ ରୋକାଯାଇପାରନ୍ତା ।