ଆଜିଠାରୁ ଜୁନ ୧୪ ତାରିଖ ପର୍ଯ୍ୟନ୍ତ ଦୁଇମାସ ଧରି ସମୁଦ୍ରରୁ ମାଛ ଧରିପାରିବେନି ମତ୍ସ୍ୟଜୀବି

ପାରାଦୀପ: ମାଛଧରା ଉପରେ ରୋକ୍ ଲଗାଇଛନ୍ତି ସରକାର । ଆଜିଠାରୁ ଜୁନ ୧୪ ତାରିଖ ପର୍ଯ୍ୟନ୍ତ ଦୁଇମାସ ଧରି ସମୁଦ୍ରରୁ ମାଛ ଧରିବା ଉପରେ ଲାଗିଲା କଟକଣା । ଦୁଇମାସ ପାଇଁ ସମୁଦ୍ର ରେ ଚାଲିବ ନାହିଁ ମାଛଧରା ବୋଟ କି ଯନ୍ତ୍ର ଚାଳିତ ଡଙ୍ଗା । ଏପ୍ରିଲରୁ ଜୁନ ମାସ ପର୍ଯ୍ୟନ୍ତ ହେଉଛି ମାଛ ମାନଙ୍କ ଅଣ୍ଡାଦାନର ସମୟ । ତେଣୁ ମାଛ ବଂଶ ବୃଦ୍ଧି ପାଇଁ ପ୍ରତ୍ୟେକ ବର୍ଷ ଏପ୍ରିଲ ୧୫ରୁ ଜୁନ ୧୪ ଦୁଇମାସ ପର୍ଯ୍ୟନ୍ତ କେନ୍ଦ୍ର ଓ ରାଜ୍ୟ ସରକାର ମାଛ ଧରା ଉପରେ ରୋକ ଲଗାଇଥାନ୍ତି । ତେବେ ସରକାରଙ୍କ ଏହି ନିଷ୍ପତିକୁ ମତ୍ସ୍ୟଜୀବିଙ୍କ ପକ୍ଷରୁ ସ୍ଵାଗତ କରାଯାଇଛି ।

ମାଛ ବଂଶ ବୃଦ୍ଧି ହେଲେ ହିଁ ଆମ ପରିବାର ଭଲରେ ରହିବ, କିନ୍ତୁ ବର୍ଷକୁ କଇଁଛ କଟକଣା ପାଇଁ ୬ ମାସ କଟକଣା ପରେ ମାଛ ବଂଶ ବୃଦ୍ଧି ପାଇଁ ଦୁଇମାସ, ୮ ମାସ ମାଛ ଧରା ଏକ ପ୍ରକାର ବନ୍ଦ ରହୁଛି । ଏହାପରେ ମଧ୍ୟ ଲଘୁଚାପ ଓ ବାତ୍ୟା ପାଇଁ ମଧ୍ୟ ପାଖାପାଖି ଦୁଇମାସ ଆମେ ମାଛ ଧରିବାକୁ ଯାଇପାରୁନାହୁଁ । ବଳକା ଦୁଇମାସର ରୋଜଗାରରେ ଆମ ପରିବାର ବର୍ଷକ ଚଳିବା କଷ୍ଟକର ହୋଇପଡୁଛି । ତେଣୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମତ୍ସ୍ୟଜୀବିଙ୍କ ପାଇଁ ସ୍ଵତନ୍ତ୍ର ଅନୁଦାନ ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି ।

ଦୁଇମାସ ମାଛଧରା ବନ୍ଦ ପାଇଁ ମତ୍ସ୍ୟ ବିଭାଗ ପକ୍ଷରୁ ପାରାଦୀପ ନେହେରୁବଙ୍ଗଳା ମାଛଧରା ବନ୍ଦର, ଅଠରବାଙ୍କି ବାଲିପ୍ଲଟ, ଚଉମୁହାଣି ଓ ଷଣ୍ଢକୁଦ ପ୍ରଭୂତି ମତ୍ସ୍ୟଜୀବି ରହୁଥିବା ଅଂଚଳରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯାଇଛି । ଏହି ସମୟରେ ବୋଟ ଓ ଯନ୍ତ୍ର ଚାଳିତ ଡଙ୍ଗା ଗୁଡିକର ମରାମତି କାର୍ଯ୍ୟ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି । ତେଣୁ ଏବେ ବିଭିନ୍ନ ମାଛଧରା ସ୍ଥାନ ଗୁଡିକରେ ମତ୍ସ୍ୟଜୀବିଙ୍କ ବଦଳରେ ବିଭିନ୍ନ ବିଭାଗର କାରିଗରଙ୍କ ଭିଡ ଦେଖିବାକୁ ମିଳିଛି ।

ପାରାଦୀପ ମାଛଧରା ବନ୍ଦରରେ ୬୩୦ରୁ ଉର୍ଦ୍ଧ ସୋନା ଟ୍ରଲର ଓ ୩୦୦ରୁ ଉର୍ଦ୍ଧ ଯନ୍ତ୍ର ଚାଳିତ ଡଙ୍ଗା ପଞ୍ଜିକୃତ ହୋଇଥିବା ବେଳେ ଅଠରବାଙ୍କିର ବାଲିପ୍ଲଟ ଓ ଚଉମୁହାଁଣିରେ ୭ଶହରୁ ଉର୍ଦ୍ଧ ଯନ୍ତ୍ର ଚାଳିତ ଓ ବିନା ଯନ୍ତ୍ର ଚାଳିତ ଡଙ୍ଗା ରହିଛି । ତେବେ ଦୁଇମାସ ଧରି ବର୍ତ୍ତମାନ ମାଛ ଧରା ବନ୍ଦ ରହୁଥିବାରୁ ପ୍ରତେ୍ୟକ ମତ୍ସ୍ୟଜୀବିଙ୍କୁ ୧୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ମେରାଇନ କୋ-ଅପରେଟିଭ ସୋସାଇଟିର ସଭାପତି ।

Also Read:ଯାତ୍ରା ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣା: ତୁଳସୀ ଗଣନାଟ୍ୟର ଅଭିନେତା ଆହତ, କାର୍ ଚାଳକ ଗୁରୁତର