ବ୍ରହ୍ମପୁର : ମା’କୁ ହରାଇ କାନ୍ଦୁଛି ପୁଅ । ପରିବାର ପରିଜନଙ୍କ ବିକଳ ରଡିରେ କମ୍ପୁଛି ସାରା ପରିବେଶ । ରାମ ନାମ ଶବ୍ଦ ଶୁଣି ହୃଦୟରେ ଯେମିତି କୋହ ଭରି ଉଠୁଛି । ସଭିଏଁ ମ୍ରିୟମାଣ ସମସ୍ତଙ୍କ ଆଖିରେ ଲୁହ । ଭାବିପାରୁନାହାନ୍ତି କେମିତି ସମ୍ଭାଳିବେ ନିଜକୁ । ଏମିତି ବର୍ଷ ଶେଷରେ ଦଇବ ଯେ ଏତେ ଦୁଃଖ ଦେବ କିଏ କେବେ କଳ୍ପନାରେ ସୁଦ୍ଧା ଭାବିନଥିଲେ । ମୃତ୍ୟୁ ଏମିତି ଆସେ ତାହା କେହି ଜାଣିନଥାନ୍ତି । ସକାଳୁ ସକାଳୁ ଯାଉଥିଲେ ଭୁବନେଶ୍ୱର । ହେଲେ ଷ୍ଟେସନ ନିକଟରେ ଟ୍ରେନରୁ ଖସିପଡିଲେ । ଆଉ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଛନ୍ତି ଦୁଇ ଦୁଇ ଜଣ । ସତରେ ମୃତ୍ୟୁ ଏତେ ନିକଟ, ବିଶ୍ୱାସ କରିପାରୁନାହାନ୍ତି ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ପିତାତଳି ପଂଚାୟତ ଜଗନ୍ନାଥପୁର ଗାଁ ଲୋକେ ।
ସକାଳୁ ସକାଳୁ ଗାଁ ପ୍ରାଥମିକ ବିଦ୍ୟାଳୟ ରେ ପାଚିକା ସହାୟକ ରୂପେ କାମ କରୁଥିବା ପାର୍ବତୀ ଗୌଡ଼ ଏବଂ ଝୁନୁ ଗୌଡ଼ ସାଙ୍ଗ ହୋଇ ଏକ ଅଟୋ ରେ ବାହାରିଲେ ଭୁବନେଶ୍ୱର । କାମ ଥିଲା ଭୁବନେଶ୍ୱର ରେ ଆୟୋଜିତ ରାଲି ରେ ଯୋଗଦେବେ, ଅଟୋ ଯାଇ ପହଞ୍ଚିଥିଲା ଗାଁ ନିକଟରୁ ଦଶ କିଲୋମିଟର ଦୂର ସୋରଳ ରେଳ ଷ୍ଟେସନରେ । ଟ୍ରେନ ଆସିଲା କିନ୍ତୁ ଟ୍ରେନରେ ଚଢିବା ପୂର୍ବରୁ ଖସିଗଲା ଗୋଡ଼ । ଆଉ ସେତିକି ବେଳେ ଟ୍ରେନ ବି ଛାଡିଦେଲା । ଆଉ ଦେଖୁ ଦେଖୁ ଦୁହେଁ ଆଖି ବୁଜିଦେଲେ ସବୁ ଦିନ ପାଇଁ । ରାଲିରେ ଯୋଗ ଦେବାକୁ ଭୁବନେଶ୍ୱର ବାହାରୁଥିଲେ । ହେଲେ ଅଧାବାଟରୁ ଚାଲିଗଲା ଜୀବନ । ବ୍ରହ୍ମପୁର ଚିକିଟି ବ୍ଲକ୍ ସୋରଳ ରେଳ ଷ୍ଟେସନରେ ଘଟିଥିବା ଏହି ଅଘଟଣରେ ସମସ୍ତଙ୍କୁ ଦୁଃଖ ଦେଇଛି । ଟ୍ରେନ୍ ରୁ ଖସି ଏମିତି ଦୁଇ ମହିଳାଙ୍କ ମୃତ୍ୟୁ ଘଟିବ କେହି କଳ୍ପନାରେ ସୁଦ୍ଧା ଭାବିପାରୁନାହାନ୍ତି ।
ଉଭୟ ମହିଳା ଜଗନ୍ନାଥପୁର ସ୍କୁଲର ପାଚିକା ସହାୟିକା ଭାବେ କାର୍ଯ୍ୟ କରୁଥିଲେ । ସବୁଦିନ ପାଖ ଏକ ସରକାରୀ ସ୍କୁଲରେ ନିଜ ହାତରେ ରୋଷେଇ କରି ପରଷି ଦିଅନ୍ତି ପିଲାମାନଙ୍କୁ । ନିଜ କାମକୁ ଉଭୟେ ଖୁବ୍ ଭଲ ପାଉଥିଲେ । ହେଲେ କିଏ ଜାଣିଥିଲା ଏମିତି ସମସ୍ତଙ୍କୁ ଅଧାବାଟରେ ଛାଡି ଚାଲିଯିବେ ବୋଲି । ତେବେ ଏହି ଦୁର୍ଘଟଣା ବିଷୟରେ ଜାଣିବା ପରେ ପରିବାର, ଗ୍ରାମବାସୀ ଏବଂ RPF ଙ୍କ ସହଯୋଗରେ ମୃତଦେହ ଉଦ୍ଧାର କରାଯାଇଥିଲା । ବ୍ୟବଚ୍ଛେଦ ପରେ ଗାଁ ରେ ପହଁଚିଥିଲା ମୃତଶରୀର । ମୃତଶରୀର ପହଁଚିବା ପରେ ସୃଷ୍ଟି ହୋଇଥିଲା ଶୋକାକୁଳ ପରିବେଶ । ଏହାପରେ ଗାଁ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା । ପାର୍ବତୀ ଙ୍କ ପୁଅ କହିଛନ୍ତି ତାଙ୍କର ଏକ କମ୍ପାନୀରେ କାମ କଲା ବେଳେ ଅଣ୍ଟା ଭାଙ୍ଗିଯାଇଥିଲା, ଏବେ ମା’ ଚାଲିଗଲା ପରେ କିପରି ଚାଲିବେ । ମା’ ହିଁ ଥିଲେ ତାଙ୍କର ସାହା ଭରଷା । ପରିବାର ଏବଂ ଗ୍ରାମବାସୀ ସମସ୍ତଙ୍କ ଆଖିରେ ଆଖିଏ ଅଶ୍ରୁ । ସମସ୍ତେ କହୁଛନ୍ତି ହାତ ଧରାଧରି ହୋଇ ଚାଲୁଥିଲେ ହାତ ଧରାଧରି ହୋଇ ଚାଲିଗଲେ ।
ସତରେ କଥାରେ ଅଛି ମଣିଷ ଜୀବନ ପାଣି ଫୋଟକା । ନିମିଷକରେ କାହାର କଣ ହେବ ସେକଥା କହିବା ଅସମ୍ଭବ । ପ୍ରତିଦିନ ଅନେକ ଦୁର୍ଘଟଣା ଆମ ଆଖପାଖରେ ଘଟୁଛି । ରେଳ ଦୁର୍ଘଟଣା କଥା ହେଉ କି ସଡକ ଦୁର୍ଘଟଣା କଥା । ସବୁବେଳେ ନିଜ ଜୀବନର ସୁରକ୍ଷା ନିଜେ ନେବା ଉଚିତ୍ । ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା କମ୍ କରିବା ପାଇଁ ଆମେ ଅନେକ ବାର୍ତ୍ତା ମାଧ୍ୟମରେ ସଚେତନ ମଧ୍ୟ କରାଯାଉଛି । ହେଲେ କେଉଁଠି ନା କେଉଁଠି ଏହାକୁ ବେଖାତିର କରିବାରେ ଲାଗିଛନ୍ତି ଆମ ଲୋକେ । ଯାହା ଫଳରେ ସାମାନ୍ୟ ଅସାବଧନତା ପାଇଁ ଚାଲିଯାଉଛି ଏମିତି ଅନେକ ଜୀବନ ।