ଜାଲ୍‌ ନୋଟ୍‌ ଚିହ୍ନିବା ହେଲା ସହଜ, ନକଲି ଟଙ୍କା ଜାଣିବାକୁ ଆସିଲା ଅଦୃଶ୍ୟ କାଳି

ଦୁନିଆ ଯେତିକି ଯେତିକି ଆଗକୁ ଯାଉଛି ଚୋରମାନେ ସେତିକି ନୂଆ ନୂଆ ଢଙ୍ଗରେ ଚୋରି କରିବାକୁ ଉପାୟ ବାହାର କରୁଛନ୍ତି। କମ୍‌ ସମୟ ମଧ୍ୟରେ ଧନୀ ହେବାକୁ କିଛି ଅସାମାଜିକ ଲୋକ ଜାଲ୍‌ ନୋଟ୍‌ ବା ନକଲି ନୋଟ୍‌ ଛାପୁଥିବା ଏବେ ଏକ ସାଧାରଣ ଘଟଣା ପାଲଟିଛି। ସାଧାରଣ ଲୋକମାନେ ସହଜରେ ନୋଟ୍‌ ଅସଲି କି ନକଲି ଚିହ୍ନି ପାରୁନଥିବାରୁ ଏଭଳି ଠକାମିର ଶିକାର ହେଉଛନ୍ତି। କିନ୍ତୁ ଏବେ ନକଲି ନୋଟ୍‌ ଚିହ୍ନିବା ସହଜ ହୋଇଯାଇଛି।

ଗ୍ରେଟର ନୋଏଡାସ୍ଥିତ ଶିବନାଡ଼ର ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ କମ୍‌ ଦାମ୍‌ର ଏକ ଏଭଳି ସ୍ୟାହି ବା କାଳି ପ୍ରସ୍ତୁତ କରିଛନ୍ତି, ଯାହା ଜାଲ୍‌ ନୋଟ୍‌କୁ ଚିହ୍ନିବାରେ ସାହାଯ୍ୟ କରିବ। ଏହାର ବ୍ୟବହାର ଅଫିସ କାଗଜପତ୍ର ତଥା ରୋଗ ଚିହ୍ନିବାରେ ମଧ୍ୟ ସହାୟକ ହେବ ।

ଗବେଷକଙ୍କ ମୁତାବକ, ଏହି ନୂଆ ଅଦୃଶ୍ୟ କାଳିରେ ଅନ୍ୟ ସାଧାରଣ କାଳି ତୁଳନାରେ କିଛି ସ୍ୱତନ୍ତ୍ରତା ରହିଛି। ବର୍ତ୍ତମାନ ବଜାରରେ ମିଳୁଥିବା କାଳି ମହଙ୍ଗା ହୋଇଥିବା ବେଳେ ଏହି କାଳି ଶସ୍ତାରେ ଉପଲବ୍ଧ ହେବ। ଏହି ନୂଆ କାଳି ବିଷୟରେ ଜର୍ଣ୍ଣଲ ଅଫ୍‌ ଫିଜିକ୍ସ କେମେଷ୍ଟ୍ରି ସିରେ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।

ବିଶ୍ୱବିଦ୍ୟାଳୟର ପ୍ରଫେସର ଦେବଦାସ ରେ କହିଛନ୍ତି ଯେ ଏହି ନୂଆ କାଳିର ବ୍ୟବହାର ସୁରକ୍ଷା ଚିହ୍ନ, ରାସ୍ତା ଚିହ୍ନ ସମେତ ଚିକିତ୍ସା କ୍ଷେତ୍ରରେ ରୋଗ ବିଷୟରେ ଜାଣିବାକୁ ମଧ୍ୟ କରାଯାଇ ପାରିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଧଳା ସୁରକ୍ଷା କାଳି ଶସ୍ତାରେ ପ୍ରାକୃତିକ ପଦାର୍ଥ ବ୍ୟବହାର କରି ତିଆରି ହୋଇଛି। ଏହାକୁ ସୂର୍ଯ୍ୟକିରଣରେ ମଧ୍ୟ ବ୍ୟବହାର କରାଯାଇ ପାରିବ। ଏହା ସୂର୍ଯ୍ୟଙ୍କ ଅତିବାଇଗଣି ରଶ୍ମି ସଂସ୍ପର୍ଶରେ ଆସିବା ମାତ୍ରେ ଧଳା ହୋଇ ଚମକିବାକୁ ଲାଗିଥାଏ। ଏହି ନୂତନ କାଳିକୁ ପ୍ରସ୍ତୁତ କରିବାକୁ ମାତ୍ର ୪୫ ମିନିଟ୍‌ ସମୟ ଲାଗେ ଓ ଗ୍ରାମ ପ୍ରତି ଏହାର ମୂଲ୍ୟ ୧୦୦୦ ଟଙ୍କା ବୋଲି ସେ କହିଛନ୍ତି।

ଶ୍ରୀ ରେ କହିଛନ୍ତି ଯେ ବର୍ତ୍ତମାନ ଟଙ୍କାରେ ବ୍ୟବହାର କରାଯାଉଥିବା କାଳି ନିମ୍ନମାନର ହୋଇଥିବାରୁ ଅନ୍ଧାରରେ ନୋଟ୍‌ ଦୃଶ୍ୟମାନ ହୁଏ ନାହିଁ। କିନ୍ତୁ ଯଦି ଏହି ଅଦୃଶ୍ୟ କାଳିକୁ ଟଙ୍କାରେ ବ୍ୟବହାର କରାଯିବ ତେବେ ଅନ୍ଧାରରେ ବି ଜଣେ ସହଜରେ ନୋଟ୍‌ ଚିହ୍ନିପାରିବ। ଏହି କାଳିକୁ ସମସ୍ତ ସରକାରୀ ଦସ୍ତାବିଜରେ ବ୍ୟବହାର କରିବାକୁ ସେ ସରକାରଙ୍କଠାରୁ ଅନୁମତି ଆଣିବେ ବୋଲି କହିଛନ୍ତି।

ଅଦୃଶ୍ୟ କାଳିର ବ୍ୟବହାର ଆରମ୍ଭ ହେଲେ ବଢ଼ୁଥିବା ସାଇବର କ୍ରାଇମ୍‌କୁ ରୋକିବା ସହଜ ହେବ। ଗତ ଦଶନ୍ଧିରୁ ସୁରକ୍ଷା କାଳିର ଗୁରୁତ୍ୱ ବଢ଼ିଯାଇଥିବାରୁ ଏହି ନୂତନ କାଳି ସୁରକ୍ଷାକୁ ଅଧିକ ଦୃଢ଼ କରିବା ବୋଲି କହିଛନ୍ତି ରସାୟନ ଗବେଷକ ହର୍ଷ ଭାଟିଆ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.