ନିଆରା କୁମାରୀ ବିବାହ: ବର ଓ କନ୍ୟା ସାଜି ବୈଦିକ ରୀତିରେ ବାହା ହେଲେ ଦୁଇ ବାଳିକା

ପିପିିଲି: ଆପଣମାନେ ଅନେକ ବହାଘରରେ ତ ସାମିଲ ହୋଇ ନାଚି ଗାଇ ଭୋଜିଭାତର ବେଶ ମଜା ଉଠାଇଥିବେ । କିନ୍ତୁ ଏ ବିବାହ ଟିକେ ନିଆରା । ଡ଼ିଜେର ତାଳେ ତାଳେ ଚାଲିଥିଲା ନାଚ ଗୀତ । ନାଚିବାରେ ଲାଗି ପଡ଼ିଥିଲେ ଯୁବତୀମାନେ । ଡ଼ିଜେର ସଙ୍ଗିତ ଏତେ ମନମତାଣିଆ ରହିଥିଲା ଯେ ଯୁବତୀମାନଙ୍କୁ ଅଟକାଇବା କଷ୍ଟକର ହୋଇପଡ଼ିଥିଲା । ତେବେ ବିବାହରେ ଯୋଗ ଦେବା ପାଇଁ ବରକୁ ସାଥିରେ ନେଇ କନ୍ୟା ନିକଟକୁ ଯାଇଥିଲେ । ଏ ଦୃଶ୍ୟ ଥିଲା ଖୋର୍ଦ୍ଧା ଜିଲ୍ଲା ବାଳକାଟି ସ୍ଥିତ ନୂଆପାଟଣା ଗ୍ରାମର । ଯେଉଁଠି ରୟାଲ ପାଟଣା ଗାର୍ଲ୍ସ କ୍ଲବର ଯୁବତୀମାନେ ଏକତ୍ରିତ ହୋଇ କୁମାରୀ ବିବାହର ଆୟୋଜନ କରିଥିଲେ ।

ସେପଟେ ଦୁଇ ଜଣ ଛୋଟ ଝିଅଙ୍କୁ ନେଇ ବର ଓ କନ୍ୟାରେ ସଜେଇ ଦିଆଯାଇଥିଲା । ବର ସାଜିଥିଲେ ଆଦି ସାହୁ ଏବଂ କନ୍ୟା ସାଜିଥିଲେ ଭକ୍ତି ବେହେରା । ବରକୁ ଟିପି ଟିପ ଚନ୍ଦନରେ ସଜାଇବା ସହିତ ଦେହରେ ସେରୱାନି ସାଙ୍ଗକୁ ପଗଡ଼ି ପିନ୍ଧାଯାଇ  ବେଶ କରାଯାଇଥିବାବେଳେ ଆଉ ଜଣେ ଛୋଟ ଝିଅକୁ କନ୍ୟା ବେଶରେ ବେଶ କରାଯାଇଥିଲା ।

ବରଯାତ୍ରୀଙ୍କୁ ସାଥିରେ ନେଇ ବର ଆସିବା ବାଟକୁ ଅପେକ୍ଷା କରି ରହିଥିଲା ବେଦୀ । ମତୁଆଲା ବରଯାତ୍ରୀଙ୍କୁ ସାଥିରେ ନେଇ ବର ପହଁଚି ଗଲେ କନ୍ୟା ଘର ଆଗରେ । ବର ପହଁଚିବା ପରେ କନ୍ୟାଘର ପକ୍ଷରୁ ବାଟ ବରଣ କରାଯାଇ ବିବାହ ବେଦୀକୁ ପାଛୋଟି ନିଆଯାଇଥିଲା ବରକୁ । ବ୍ରାହ୍ମଣ ପଣ୍ଡିତଙ୍କ ଦ୍ୱାରା ବେଦ ମନ୍ତ୍ର ପାଠ ସହିତ ମା’ ମାନଙ୍କ ହୁଳହୁଳିରେ ପ୍ରକମ୍ପିତ ହୋଇଥିଲା ବିବାହ ସ୍ଥଳ । ସୃଷ୍ଟି ହୋଇଥିଲା ଏକ ଭାବାତ୍ମକ ପରିବେଶ । ସମସ୍ତ ମୁହଁରେ ଥିଲା ଖୁସି ଆଉ ଆନନ୍ଦ । ବର କନ୍ୟାଙ୍କ ମଥାରେ ମୁକୁଟ ବାନ୍ଧିବା ଠାରୁ ଆରମ୍ଭ କରି ହୋମ ଯଜ୍ଞ ସୁବୁ କିଛିର ଆୟୋଜନରେ ବିବାହ କାର୍ଯ୍ୟ ଆଗକୁ ଚାଲିଥିଲା ।

ସମୟ ଯେତେ ବଢୁଥିଲା ଉପସ୍ଥିତ କୁମାରୀ ମାନଙ୍କ ମନରେ ସେତେ ଆଗ୍ରହ ବଢୁଥିଲା । ଶେଷରେ ସାତ ଜନମକୁ ସାଥିରେ ଚାଲିବା ପାଇଁ ହାତ ଗଣ୍ଡି ପଡ଼ିଥିଲା । ଏହାପରେ କନ୍ୟାର ସାନ ଭଉଣୀ ହାତ ଗଣ୍ଠି ଫିଟାଇଥିଲେ । ବିନା ଯୌତୁକରେ ଏହି ବିବାହ ସମ୍ପନ୍ନ ହୋଇଥିଲା । ସେପଟେ କନ୍ୟା ଘର ପକ୍ଷରୁ ବରଯାତ୍ରୀଙ୍କ ପାଇଁ ଅନ୍ନ ଡ଼ାଲି ଖଟା ଖିରି ସାଙ୍ଗକୁ ମିଠା ପିଠା ସବୁକିଛି ପ୍ରସ୍ତୁତି କରାଯାଇଥିଲା । ବରଯାତ୍ରୀଙ୍କୁ ସସମ୍ମାନେ ଖାଦ୍ୟ ପରସା ଯାଇ ଆପ୍ୟାୟିତ କରାଯାଇଥିଲା । ତେବେ ଗ୍ରାମରେ ଭାଇଚାରା ସାଙ୍ଗକୁ ସମସ୍ତ କୁମାରୀ ଝିଅମାନଙ୍କ ମନରେ ଏକତାର ସୁତ୍ରର ବାନ୍ଧିବା ପାଇଁ ଏହି ବିବାହ ଉତ୍ସବର ଆୟୋଜନ ପ୍ରତିବର୍ଷ କରାଯାଇଛି ।

ବର ଓ କନ୍ୟା ଉଭୟ ଦୁଇ ଜଣ ବାଳିକା ହୋଇଥିଲେ ବି ବିବାହ କିନ୍ତୁ ବିଧି ଓ ପରମ୍ପରା ମୁତାବକ ବୈଦିକ ରୀତୀରେ ସମ୍ପନ୍ନ କରାଯାଇଛି । ଆଧୁନିକତା ଛାପ ଯେତେ ବଢିଲେ ବି ଆମ ଗାଁର ସଂସ୍କୃତି ଏବଂ ପରମ୍ପରା ଉପରେ କିଛି ବି ପ୍ରଭାବ ପକାଇ ପାରି ନାହିଁ । ଏବେ ବି ବଞ୍ଚି ରହିଛି ଗାଁ ମାଟିର ମହମହ ବାସ୍ନା ସାଙ୍ଗକୁ ଗ୍ରାମବାସୀଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିବାର ରେସମୀ ଡ଼ୋର ।

 

You might also like