ନେପାଳୀ ଯୁବତୀଙ୍କ ନିଆରା ପ୍ରେମ: କେବେ ଶୁଣିନଥିବେ ଏମିତି କାହାଣୀ

ସୁନ୍ଦରଗଡ(କେନ୍ୟୁଜ୍): ପ୍ରେମ ଏକ ଭାବନାକୁ ବୁଝାଇଥାଏ । ବ୍ୟକ୍ତିଗତ ସ୍ନେହ ଓ ସଂଯୋଗକୁ ତ ପ୍ରେମ କୁହାଯାଏ । ଦୁଇଜଣଙ୍କ ମଧ୍ୟରେ ଥିବା ଦୟା, କ୍ଷମା, ସ୍ନେହ, ପ୍ରଣୟ ହେଉଛି ପ୍ରେମର ଏକ ରୂପ । ଯାହାର ଜୀବନ୍ତ ଉଦାହରଣ ହେଉଛନ୍ତି ଏଇ ନେପାଳୀ ଯୁବତୀ। ଯାହାଙ୍କ ପ୍ରେମ ସବୁଠୁ ନିଆରା।

ଗୁଜୁରାଟରେ ଜଣେ ଓଡ଼ିଆ ଯୁବକଙ୍କ ପ୍ରେମରେ ପଡିଯାଇଥିଲେ ଏଇ ନେପାଳୀ ଯୁବତୀ ଜଣଙ୍କ। ଏହା ପରେ ଉଭୟ ବିବାହ କରି ସେଠାରେ ୬ ବର୍ଷ ସ୍ବାମୀ ସ୍ତ୍ରୀ ଭାବେ ରହିଲେ। କିନ୍ତୁ ପ୍ରେମିକାରୁ ପତ୍ନୀ ସାଜିଥିବା ଯୁବତୀଙ୍କୁ ଜଣା ନଥିଲା ତାଙ୍କ ହାତ ଧରିଥିବା ପ୍ରେମିକ ପୂର୍ବରୁ ବିବାହିତ। ଗାଁରେ ତାଙ୍କ ପତ୍ନୀ, ପୁଅ,ଝିଅର ସଂସାରଟେ ରହିଛି। ୬ ବର୍ଷ ପରେ ପ୍ରେମିକ ସହ ଗାଁକୁ ଯିବା ପରେ ତାଙ୍କ ସଂସାରକୁ ଦେଖି ଯୁବତୀଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ପ୍ରେମିକ ତାଙ୍କୁ ଧୋକା ଦେଇଥିବା ଜାଣି ସେ ଭାଙ୍ଗି ପଡ଼ିଥିଲେ। କିନ୍ତୁ ପର ମୁହୂର୍ତ୍ତରେ ନିଜ ମନକୁ ଦୃଢ଼ କରି ନେଲେ। ନିଜ ସୁଖ ପାଇଁ ଆଉ ଗୋଟିଏ ମହିଳାଙ୍କ ସଂସାରରେ ନିଆଁ ଲଗାଇବାକୁ ନ ଚାହିଁ ଖାଲି ହାତରେ ଫେରି ଯାଇଥିଲେ ନିଜ ଦେଶକୁ ।

ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଛଟେନପାଲିରେ ଦେଖିବାକୁ ମିଳିଥିବା ଜଣେ ନେପାଳୀ ଯୁବତୀଙ୍କ ଏ ନିଆରା ପ୍ରେମ ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ଛଟେନପାଲି ଗାଁର ଯୁବକ ସନ୍ଦୀପ ବଗାର ପତ୍ନୀ ଓ ପୁଅ,ଝିଅଙ୍କୁ ଛାଡ଼ି ଗୁଜୁରାଟର ଏକ୍ସନ୍‌ ଟାଇଲ୍‌ କାରଖାନାରେ କାମ କରୁଥିଲେ। ସେତେବେଳେ ସେଠାରେ କାମ କରୁଥିବା ଜଣେ ନେପାଳୀ ଯୁବତୀ ପାରୁଲ ସୋନିଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢୀ ଉଠିଥିଲା। ସମ୍ପର୍କ ନିବିଡ଼ ହେବା ପରେ ଦୁହେଁ ବିବାହ କରି ପତି,ପତ୍ନୀ ଭାବେ ସେଠାରେ ରହିଥିଲେ। ସନ୍ଦୀପ ଯେ ପୂର୍ବରୁ ବିବାହିତ ସେ କଥା ଜାଣି ପାରିନଥିଲେ ପାରୁଲ। ଏପରିକି ସନ୍ଦୀପ ମଧ୍ୟ ଏ କଥାକୁ ଲୁଚାଇଥିଲେ ଓ ପାରୁଲଙ୍କ ଦରମା ଟଙ୍କାରୁ କିଛି ନିୟମିତ ଭାବେ ଗାଁରେ ଥିବା ପତ୍ନୀଙ୍କ ପାଖକୁ ପଠାଉଥିଲେ। ଏହା ସତ୍ତ୍ବେ ପାରୁଲ ସନ୍ଦୀପଙ୍କ ପରିବାର ସମ୍ପର୍କରେ କିଛି ଜାଣି ପାରି ନଥିଲେ।

ଚଳିତ ଜାନୁଆରି ୮ ତାରିଖରେ ପାରୁଲ ସନ୍ଦୀପ ସହ ଛଟେନପାଲି ଆସିଲେ। ଓଡ଼ିଆ ଘରର ବୋହୂ ଭାବେ ପ୍ରଥମ ଥର ପାଇଁ ଶ୍ବଶୁର ଘରକୁ ଆସୁଥିବାରୁ ତାଙ୍କ ମନ ଉଲ୍ଲସିତ ଥିଲା। କିନ୍ତୁ ଘରକୁ ପହଞ୍ଚିବା ପରେ ସନ୍ଦୀପଙ୍କ ପତ୍ନୀ ଓ ପରିବାରକୁ ଦେଖି ତାଙ୍କ ଆଖି ଆଗରେ ଅନ୍ଧକାର ଛାଇ ଯାଇଥିଲା। କିଛି ସମୟ ପାଇଁ ସେ କ’ଣ କରିବେ ଭାବି ପାରି ନଥିଲେ। ପରେ ସନ୍ଦୀପଙ୍କ ପତ୍ନୀ ଓ ତାଙ୍କ ଛୁଆଙ୍କ ନିରୀହ ଚାହାଣୀକୁ ଦେଖି ସେ ପାଦ ଫେରାଇ ନେବାକୁ ମନସ୍ଥ କରିଥିଲେ। ଏକ ଅଟୋରେ ତୁରନ୍ତ ଫେରି ଆସିଥିଲେ ସୁନ୍ଦରଗଡ଼। କିନ୍ତୁ ଅଟୋ ଚାଳକଙ୍କୁ ‌ଦେବାକୁ ତାଙ୍କ ପାଖରେ ଟଙ୍କା ନଥିଲା। ଏହା ପରେ ଅଟୋ ଚାଳକଙ୍କୁ ନିଜ ଦୁଃଖ କାହାଣୀ କହିଥିଲେ ପାରୁଲ। ସବୁ ଶୁଣିବା ପରେ ଅଟୋ ଚାଳକ ଆସ୍ଥାଗୃହର ସଚିବ ସ୍ନେହଲତା ପଟେଲଙ୍କ ଠିକଣା ଦେଇଥିଲେ।

ଶେଷରେ ପାରୁଲ ଯାଇ ପହଞ୍ଚିଥିଲେ ସ୍ନେହଲତାଙ୍କ ପାଖରେ। ସ୍ନେହଲତା ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶୁଭଶ୍ରୀ ପ୍ରଧାନଙ୍କୁ ଘଟଣା ସମ୍ପର୍କରେ ଅବଗତ କରିଥିଲେ। ସବୁ ଘଟଣା ଜାଣିବା ପରେ, ଜିଲ୍ଲା ପୋଲିସର ମାନବିକ ଅଧିକାର ସେଲର ଡିଏସପି ଅମୃତା ନନ୍ଦିନୀ ମହାନ୍ତିଙ୍କ ସହଯୋଗରେ ପାରୁଲଙ୍କ ପରିବାର ସଦସ୍ୟଙ୍କୁ ଡକାଯାଇଥିଲା। ଏହା ପରେ ଭାଇ ଓ ପରିବାରର ଅନ୍ୟ ସଦସ୍ୟମାନେ ସୁନ୍ଦରଗରେ ପହଞ୍ଚିଥିଲେ। ଯୁବତୀଙ୍କୁ ସନ୍ଦୀପ ନାମରେ ଏତଲା ଦେବାକୁ କୁହାଯାଇଥିଲେ ମଧ୍ୟ ସେ ସ୍ପଷ୍ଟ ଭାବେ ମନା କରି ଦେଇଥିଲେ। ‘ପ୍ରେମ କରି ମୁଁ ଭୁଲ୍‌ କରିଛି, ଆଉ ଜଣକର ଘର କାହିଁକି ଉଜାଡ଼ିବି’ ବୋଲି କହିଥିଲେ। ପରେ ପରିବାର ଲୋକେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବଙ୍କ ଠାରେ ଏକ ଗ୍ରହଣନାମା ଲେଖି ଯୁବତୀ ପାରୁଲଙ୍କୁ ନିଜ ଦେଶକୁ ଫେରାଇ ନେଇ ଯାଇଥିଲେ।

ଆଜିର ଦୁନିଆରେ ଏଭଳି ପ୍ରେମ କାହାଣୀ ଶୁଣିବା ବିରଳ। ପ୍ରେମ ପାଇଁ ଏଠି କେତେ ନାଟ। ଏଭଳି କାହାଣୀ ଶୁଣିବା ପରେ ଆପଣଙ୍କ ମନରେ କଣ ପ୍ରତିକ୍ରିୟା ଆସୁଛି ଆମକୁ କମେଣ୍ଟ କରି ଜଣାନ୍ତୁ। ବ୍ଯୁରୋ ରିପୋର୍ଟ କେନ୍ୟୁଜ ଓଡ଼ିଶା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.