ଭାରତରେ ଏପରି ଅନେକ ମନ୍ଦିର ରହିଛି, ଯାହା ନିଜର ପରିଚୟ ପାଇଁ ସ୍ବତନ୍ତ୍ର ହୋଇପାରିଛି। ଏଭଳି ଏକ ସ୍ବତନ୍ତ୍ର ମନ୍ଦିର ମଧ୍ଯ ପ୍ରଦେଶର ରତଲାମ ସହରରେ ଅବସ୍ଥିତ। ସାଧାରଣତଃ ମନ୍ଦିରମାନଙ୍କରେ ଭଗବାନଙ୍କୁ ପ୍ରସାଦ ଆକାରରେ ମିଠା କିମ୍ବା କିଛି ଖାଦ୍ଯ ପଦାର୍ଥ ଭୋଗ ଲଗାଯାଇଥାଏ। କିନ୍ତୁ ମା’ ମହାଲକ୍ଷ୍ମୀଙ୍କ ଏହି ମନ୍ଦିରର ସବୁଠାରୁ ଖାସ୍ କଥା ହେଉଛି ଏଠାରେ ଭକ୍ତମାନଙ୍କୁ ପ୍ରସାଦ ରୂପେ ଗହଣା ମିଳିଥାଏ। ଏଠାରେ ଆସୁଥିବା ଭକ୍ତମାନେ ସୁନା ଏବଂ ରୂପାର ଟଙ୍କା ନେଇ ଘରକୁ ଯାଇଥାନ୍ତି।
ମା’ ମହାଲକ୍ଷ୍ମୀଙ୍କ ଏହି ମନ୍ଦିରରେ ବର୍ଷସାରା ଭିଡ ଲାଗି ରହିଥାଏ। ଭକ୍ତମାନେ ଆସି ଏଠାରେ କୋଟି କୋଟି ଟଙ୍କାର ଗହଣା ଏବଂ ଟଙ୍କା ମାତାଙ୍କ ଚରଣରେ ଅର୍ପଣ କରିଥାନ୍ତି। ଦୀପାବଳୀ ଅବସରରେ ଏହି ମନ୍ଦିରରେ ଧନତେରାସରୁ ଆରମ୍ଭ କରି ପାଞ୍ଚ ଦିନ ପର୍ଯ୍ଯନ୍ତ ଦୀପଉତ୍ସବ ଆୟୋଜନ କରାଯାଇଥାଏ। ଏହି ସମୟରେ ମା’ ଙ୍କୁ ଫୁଲରେ ସଜା ନଯାଇ ବରଂ ଭକ୍ତମାନେ ଅର୍ପଣ କରିଥିବା ସୁନାର ଗହଣା ଏବଂ ଟଙ୍କାରେ ସଜା ଯାଇଥାଏ। ଦୀପଉତ୍ସବ ସମୟରେ ଏଠାରେ କୁବେରଙ୍କ ଭଣ୍ଡାର ଲାଗିଥାଏ। ଏଡି ସମୟରେ ଏଠାକୁ ଆସୁଥିବା ଭକ୍ତମାନଙ୍କୁ ପ୍ରସାଦ ଆକାରରେ ଗହଣା ଏବଂ ଟଙ୍କା ଦିଆଯାଇଥାଏ।
ଏହାସହ ପଢନ୍ତୁ: ବ୍ରହ୍ମଚାରୀ ରହିବାକୁ ଚାହୁଁଥିଲେ ଭଗବାନ ଗଣେଶ, କିନ୍ତୁ କାହିଁକି ପରେ ବିବାହ କରିଥିଲେ ଦୁଇ ଜଣଙ୍କୁ
ଦୀପାବଳୀ ଅବସରରେ ଏହି ମନ୍ଦିରର କବାଟ ୨୪ ଘଣ୍ଟା ଖୋଲା ରହିଥାଏ। କୁହାଯାଇଥାଏ ଧନତେରାସ ସମୟରେ ଏଠାରେ ମହିଳାମାନଙ୍କୁ ଟଙ୍କାର ବଣ୍ଡଲ ଦିଆଯାଇଥାଏ। ଏଠାକୁ ଆସୁଥିବା କୌଣସି ବି ଭକ୍ତ ଖାଲି ହାତରେ ଫେରି ନଥାନ୍ତି। ତାଙ୍କୁ ପ୍ରସାଦ ସ୍ବରୂପ କିଛି ନା କିଛି ଦିଆଯାଇଥାଏ। ଏହି ମନ୍ଦିରରେ ଗହଣା ଏବଂ ଟଙ୍କା ଚଢାଇବାର ପରମ୍ପରା ପ୍ରାଚୀନ କାଳରୁ ପ୍ରଚଳିତ ହୋଇ ଆସୁଛି। ପ୍ରଥମେ ଏଠାର ରାଜା ରାଜ୍ଯର ସମୃଦ୍ଧି ବୃଦ୍ଧି ପାଇଁ ମନ୍ଦିରରେ ଧନ ଆଦି ଅର୍ପଣ କରୁଥିଲେ। ଏହି କାରଣରୁ ସେହି ଦିନଠାରୁ ପ୍ରଥା ପ୍ରଚଳିତ ହୋଇ ଆସୁଛି। ମାନ୍ଯତା ରହିଛି ଏପରି କରିବା ଦ୍ବାରା ଘରେ ସର୍ବଦା ମା’ ଲକ୍ଷ୍ମୀଙ୍କ କୃପା ରହିଥାଏ।