ବନ୍ଧୁମିଳନ ଉତ୍ସବରେ ଦେଖିବାକୁ ମିଳିଛି ଏକ ନିଆରା ଚିତ୍ର, ମାନସିକ ବିକାରଗ୍ରସ୍ତ ବନ୍ଧୁକୁ ହାତରେ ଖୁଆଇଲେ

କାକଟପୁର: ବନ୍ଧୁ ହେବ ତ ଏମିତି । “ବନ୍ଧୁତା ” ଏମିତି ଏକ ଶବ୍ଦଟିଏ ଯାହାର ପଟାନ୍ତର ନାହିଁ । ବନ୍ଧୁତ୍ଵ ଧନୀ ଗରିବ କିମ୍ବା ଜାତି ଧର୍ମ ଦେଖେ ନାହିଁ । ବନ୍ଧୁତ୍ଵ ର ସମ୍ପର୍କ ସବୁ ସମ୍ପର୍କ ଠାରୁ ସ୍ଵତନ୍ତ୍ର ହୋଇଥାଏ । ମଣିଷ ନିଜ ମନର ବେଦନା,ସୁଖ ଦୁଃଖକୁ ଜଣେ ଅନ୍ତରଙ୍ଗ ବନ୍ଧୁ ଆଗରେ ହିଁ ପରିପ୍ରକାଶ କରିଥାଏ । ସବୁଠାରୁ ବିଶ୍ଵସ୍ତ ଏବଂ ସୁଖ ଦୁଃଖର ସହଭାଗିତା ଜଣେ ପ୍ରକୃତ ବନ୍ଧୁ ହିଁ ହୋଇ ପାରିଥାଏ । ହେଲେ ଆଜି କାଲିର ସ୍ଵାର୍ଥପର ସମାଜରେ ସଚ୍ଚା ବନ୍ଧୁତ୍ଵ ଆଉ ଦେଖିବାକୁ ମିଳୁନି । ଆମେ କିନ୍ତୁ ଦେଖାଇବୁ ଏଭଳି ଏକ ବନ୍ଧୁତ୍ବର ବାସ୍ତବ କାହାଣୀ ଯାହା ଆପଣଙ୍କ ହୃଦୟକୁ ଜିଣି ନେବ ।
ପୁରୀ ଜିଲ୍ଲା ଅସ୍ତରଙ୍ଗ ନିକଟ ଯାହାନିଆଙ୍କ ପୀଠରେ ଏକ ବନ୍ଧୁମିଳନ ଉତ୍ସବରେ ଦେଖିବାକୁ ମିଳିଛି ଏହି ନିଆରା ଚିତ୍ର । ପାଟବଳଦା ଉଚ୍ଚ ବିଦ୍ୟାଳୟର ୧୯୮୪ ମସିହା ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ନେଇ ଏକ ବନ୍ଧୁମିଳନ ପର୍ବ ଆୟୋଜନ କରଯାଇଥିଲା । ଦୀର୍ଘ ପ୍ରାୟ ୪୦ ବର୍ଷ ତଳର ବନ୍ଧୁମାନେ ଏକାଠି ହେବା ସହିତ ପରସ୍ପରଙ୍କୁ ଭେଟିବାର ଏକ ସୁଯୋଗ ପାଇଥିଲେ । ହେଲେ ୪୦ ବର୍ଷ ତଳେ ଗୋଟିଏ ସ୍କୁଲ ର ଛାତ ତଳେ ଏକାଠି ପାଠ ପଢୁଥିବା ସାଙ୍ଗମାନଙ୍କ ଭିତରୁ ଜଣେ ସାଙ୍ଗ ଖୁବ୍ ଅସୁସ୍ଥ ହୋଇ ପଡ଼ିଛନ୍ତି । ତାଙ୍କୁ ମଧ୍ୟ ଏହି ମିଳନ ପର୍ବକୁ ଆଣିବାକୁ ଭୁଲି ନଥିଲେ ଅନ୍ୟମାନେ । ନାଁ ତାଙ୍କର ପ୍ରକାଶ ଚନ୍ଦ୍ର ମହାନ୍ତି । କିଛି ବର୍ଷ ହେବ ତାଙ୍କର ମାନସିକ ସନ୍ତୁଳନ ଠିକ୍ ନାହିଁ । ହେଲେ ଏହି ସାଙ୍ଗଟିକୁ ଭୁଲିପାରି ନ ଥିଲେ ବନ୍ଧୁମାନେ । ତାଙ୍କୁ ସାଙ୍ଗରେ ଆଣି ବନ୍ଧୁମିଳନ ପର୍ବରେ ସାମିଲ କରିଥିଲେ ।
ଦୀର୍ଘ ୪୧ ବର୍ଷ ତଳର ସେହି ବନ୍ଧୁତା ଆଜି ବି ସେମିତି ରହିଥିଲା । ମାନସିକ ଭାରସାମ୍ୟ ହରାଇଥିବା ଏହି ସାଙ୍ଗକୁ ପାଖରେ ପାଇ ସବୁ ସାଙ୍ଗ ବେଶ୍ ଖୁସି ହୋଇଥିଲେ । ପିଲାଦିନର ସାଙ୍ଗର ଦେହକୁ ପୋଛାପୋଛି କରି ପରିଷ୍କାର କରିବା ପରେ ନୂଆ ପୋଷାକ ପିନ୍ଧାଇ ଦେଇଥିଲେ । ଅନେକ ଖୁସି ଗପ ତାଙ୍କ ସହିତ ହୋଇଥିଲେ । ପଚାରୁଥାନ୍ତି, ଆରେ ମୋତେ ଚିହ୍ନି ପାରୁଛୁ । ହେଲେ ସେହି ସାଙ୍ଗ ଜଣକ କାହାକୁ ଚିହ୍ନି ପାରୁ ନ ଥିଲେ । ଏହି ମାନସିକ ବିକାର ଗ୍ରସ୍ତ ବନ୍ଧୁ ଜଣକ ପାଇଁ ଯେମିତି ଏକାଠି ହୋଇଥିଲେ ୪୦ ବର୍ଷ ତଳର ସେହି ସ୍କୁଲ ସମୟର ବନ୍ଧୁ । ଅନେକ ମଜା ମସ୍ତି ଚାଲିଥିଲା ।… ଶେଷରେ ଖାଇବାର ସମୟ ଆସିଥିଲା, ଆଉ ପ୍ରଥମେ ସେହି ସାଙ୍ଗଟିକୁ ଖାଇବା ପରସାଗଲା ।
ସମସ୍ତେ ପାଖରେ ବସାଇ ନିଜର ପିଲାଦିନ ବନ୍ଧୁଙ୍କୁ ନିଜ ହାତରେ ଖୁଆଇ ଦେଲେ । ଯେମିତି ସ୍କୁଲ ଯିବା ସମୟରେ ଗୋଟିଏ ପତ୍ରରେ ସମସ୍ତ ସାଙ୍ଗମାନେ ଖାଉଥିଲେ । ଠିକ୍ ସେଇମିତି । କିଏ ସାଙ୍ଗ ପାଟିରେ ଗୁଣ୍ଡାଏ ପୂରାଇ ଦେଉଥାଏ ତ ଆଉ କିଏ ପାଣି ପିଆଇ ଦେଉଥାଏ । ସତରେ କେତେ ନିବିଡ ଏହି ବନ୍ଧୁତା । ଏମାନେ ସମସ୍ତେ ନିଜର କର୍ମସଂସ୍ଥାନ ପାଇଁ ସଭିଏ ଭିନ୍ନ ଭିନ୍ନ ସ୍ଥାନରେ ରହୁଛନ୍ତି । ହେଲେ ଏକାଠି ହେବା ପରେ ତାଜା ହୋଇ ଯାଇଛି ପିଲା ଦିନର ସ୍ମୃତି । ଯାହା ଆଜିର ଯୁବପିଢିଙ୍କ ପାଇଁ ଏମାନଙ୍କ ଠାରୁ ବନ୍ଧୁତ୍ଵର ପରିଭାଷା ଶିଖିବା କରକାର ।
Also Read:ଦୁର୍ଘଟଣା ବଦଳାଇ ଦେଲା ଜୀବନ ପଥ, ବିଛଣାରେ ପଡ଼ି ରହିଛନ୍ତି ୨୪ ବର୍ଷର ଭେଣ୍ଡିଆ ପୁଅ