ଆମାଜନ୍ ଜଙ୍ଗଲରେ ଅଛି ଚାଲୁଥିବା ଗଛ, ବିଶ୍ବାସ ନହେଲେ ବି ଏହା ସତ
ଦୁନିଆର ସବୁଠୁ ବଡ଼ ଜଙ୍ଗଲ କଥା ଭାବିବା ତେବେ ମନକୁ ପ୍ରଥମେ ଗୋଟିଏ ନାଁ ଆସିବ। ସେ ହେଉଛି ଅମାଜନ। ଏମିତି ବି ଶୁଣିବାକୁ ମିଳେ ଯେ, ଏହା ଯଦି କୌଣସି ଦେଶ ହୋଇଥାନ୍ତା ତେବେ ଏହା ବିଶ୍ୱର ୯ମ ସ୍ଥାନରେ ସ୍ଥାନିତ ହୋଇଥାନ୍ତା। ଏହା ବି ସତ ଯେ ଦୁନିଆକୁ ୨୦% ଅକ୍ସିଜେନ ଏହି ଜଙ୍ଗଲ ପ୍ରଦାନ କରିଥାଏ । ଏହାର ବର୍ଡର ପାଖାପାଖି ୯ ଦେଶକୁ ଛୁଇଁଛି। ଏହି ୯ଟି ଦେଶ ମଧ୍ୟରୁ ପ୍ରଥମରେ ବ୍ରାଜିଲ ରହିଥିବା ବେଳେ ପରେ କଲମ୍ବିଆ ଭଳି ବଡ଼ ବଡ଼ ଦେଶ ସାମିଲ ଅଛି। ଆମେ ଏମିତି ବି କହିପାରିବା ଯେ, ଏହି ଜଙ୍ଗଲ ପ୍ରକୃତିର ଗନ୍ଥାଘର। ଯାହା ଦୂରରୁ ଦେଖିବାକୁ ଖୁବ ସୁନ୍ଦର। କିନ୍ତୁ ଏହା ଭିତରେ ଅନେକ ଭୟଙ୍କର ଘଟଣା ଘଟିଥାଏ । ଯାହା ବିଷୟରେ ହୁଏତ ଆପଣ ମାନେ ଜାଣିନଥିବେ।
ଶୁଣାଯାଏ ଯେ, ଏହି ଜଙ୍ଗଲରେ କୌଣସି ମନୁଷ୍ୟ ବାସ କରନ୍ତି ନାହିଁ। କାରଣ ଏଠାରେ ଅନେକ ବିଷଧର ଜୀବ ଜନ୍ତୁ ରହିଥାନ୍ତି। ତେବେ ଏହା ଭୁଲ। ଏଠାରେ ଏଭଳି ଅନେକ ଲୋକ ମଧ୍ୟ ବାସ କରନ୍ତି ଯେଉଁମାନଙ୍କର ବାହାର ଦୁନିଆ ସହ କୌଣସି ସମ୍ପର୍କ ନଥାଏ। ତେବେ ଏହା ଦୁନିଆର ସବୁଠୁ ବଡ଼ ଜଙ୍ଗଲ, ତେଣୁ ଏଠାରେ ଲୁଚି ରହିଥିବା ରହସ୍ୟ ମଧ୍ୟ ଖୁବ ବଡ଼ ହୋଇଥିବ ନିଶ୍ଚୟ। କୁହାଯାଏ ଯେ, ଏହି ଜଙ୍ଗଲରେ ଲୁଚି ରହିଥିବା ରହସ୍ୟ ସମ୍ପର୍କରେ ପ୍ରାମାଣିକ ତଥ୍ୟ ଏବେ ପର୍ଯ୍ୟନ୍ତ ବୈଜ୍ଞାନିକ ମାନେ ମଧ୍ୟ ପାଇ ନାହାନ୍ତି।
ଆପଣ କେବେ ଓ୍ଵାକିଂ ଟ୍ରି ଦେଖିଛନ୍ତି? ହଁ, ହୁଏତ ଆପଣ ଏହା କୌଣସି ହଲିଉଡ଼ ମୁଭିରେ ଦେଖିଥିବେ। ଏହାକୁ ଦେଖି ମନରେ ପ୍ରଶ୍ନ ସହ ଭୟ ମଧ୍ୟ ଆସିଥିବ ଯେ, କୌଣସି ଗଛ କିପରି ଚାଲିପାରେ। ଏହା କେବଳ ଟେକ୍ନୋଲୋଜି ଦ୍ୱାରା ହିଁ ସମ୍ଭବ । ତେବେ ସତରେ ଏମିତି ହୁଏ। ଦୁନିଆର ସବୁଠୁ ବଡ଼ ଜଙ୍ଗଲ ଅମାଜନରେ ଓ୍ଵାକିଂ ଟ୍ରି ରହିଛି। ଏଠାରେ ପ୍ରକୃତିର ଏମିତି ଅଜବ ସୃଷ୍ଟି ରହିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏଠାରେ ଥିବା ପାମ୍ ଟ୍ରି ଚାଲୁଥିବାର ସୂଚନା ମିଳିଛି। ଏହା କେବଳ ସେହି ଦିଗରେ ଆଗକୁ ବଢ଼ିଥାଏ ଯେଉଁଦିଗରେ ସୂର୍ଯ୍ୟଙ୍କ କିରଣ ପଡ଼ିଥାଏ।
ଯଦି ଆପଣଙ୍କୁ କେବେ ଦୁନିଆର ସବୁଠୁ ବିଷଧର ଜୀବ ସମ୍ପର୍କରେ ପଚରାଯାଏ ତେବେ ଆପଣଙ୍କ ଉତ୍ତର କଣ ରହିବ? ଏହି ଜଙ୍ଗଲରେ ରହିଛି ଦୁନିଆର ସବୁଠୁ ବିଷଧର ଜୀବ। ନ୍ୟାସନାଲ ଜିଓଗ୍ରାଫିକର କହିବା ଅନୁଯାୟୀ ଏଠାରେ ଥିବା ଡାର୍କ ଫଗ୍ ଦୁନିଆର ସବୁଠୁ ବିଷଧର ଜୀବ । ଏହାର ବିଷ ୧୦ଜଣ ଲୋକଙ୍କୁ ଏକାଥରେ ମାରିବାର ଶକ୍ତି ରଖିଥାଏ । କୁହାଯାଏ ଯେ, ଏମାନେ ଜଙ୍ଗଲରେ ଥିବା ଅନ୍ୟାନ୍ୟ ବିଷଧର ଜୀବଠୁ ନିଜକୁ ବଞ୍ଚାଇବା ପାଇଁ ଏମିତି ବିଷଧର ହୋଇଥାନ୍ତି।
ଆପଣ ଅନେକ ନଦୀ ତଥା ହ୍ରଦ ଦେଖିଥିବେ। କିନ୍ତୁ ଆପଣ କେବେ Boiling River ସମ୍ପର୍କରେ ଶୁଣିଛନ୍ତି ନା ଦେଖିଛନ୍ତି? ତେବେ ଏହା ଅନ୍ୟ କେଉଁଠି ବି ନୁହେଁ ବରଂ ଦକ୍ଷିଣ ଆମେରିକାର ଅମାଜନ ଜଙ୍ଗଲରେ ରହିଛି। କୁହାଯାଏ ଏହି ନଦୀର ତାପମାତ୍ରା ୫୦ ଡିଗ୍ରୀ ସେଲସିୟସରୁ ୧୦୦ ଡିଗ୍ରୀ ସେଲସିୟସ ରହିଥାଏ । ମନାଯାଏ ଯେ ଏହି ନଦୀ ସୁର୍ଯ୍ୟଙ୍କ ଉତ୍ତାପ କାରଣରୁ ଏପରି ହୋଇଥାଏ। ଏହାର ପାଣି ଏତେ ଗରମ ହୋଇଥାଏ ଯେ ଏହାକୁ ସ୍ଥାନୀୟ ଲୋକ କେବଳ ରୋଷେଇ କାମରେ ବ୍ୟବହାର କରିଥାନ୍ତି । ନଦୀର ଏପରି ଅବସ୍ଥା ସବୁ ଋତୁରେ ରହିଥାଏ।
ତେବେ ଏଠାରେ କେବଳ ଜୀବ ଜନ୍ତୁ ବାସ କରୁନାହାନ୍ତି । ବରଂ ଏଠାରେ ଆଦିବାସୀ ସମ୍ପ୍ରଦାୟର ଲୋକ ମଧ୍ୟ ବାସ କରିଥାନ୍ତି। ଜଙ୍ଗଲ ମଧ୍ୟରେ ବାସ କରୁଥିବା ଏହି ଲୋକ ପୁରୁଣା ଜୀବନଶୈଳୀକୁ ଧରି ରହିଛନ୍ତି। ଗଛର ପତ୍ରକୁ ପୋଷାକ ଭଳି ପିନ୍ଧିବା ସହ ପଶୁ ପକ୍ଷୀଙ୍କୁ ମାରି ଖାଇଥାନ୍ତି। ଏମାନଙ୍କର ବାହାର ଦୁନିଆ ସହ କୌଣସି ସମ୍ପର୍କ ନଥାଏ ।