ମହିଳାମାନଙ୍କ ହକ୍ ପାଇଁ ସୁପ୍ରିମ୍ କୋର୍ଟଙ୍କ ବଡ଼ ଶୁଣାଣି,ବିବାହିତ ମହିଳାଙ୍କ ପରି ଅବିବାହିତ ମହିଳାଙ୍କୁ ମିଳିଲା ଗର୍ଭପାତର ଅଧିକାର

ନୂଆଦିଲ୍ଲୀ : ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟ ମହିଳାମାନଙ୍କ ହକ୍ ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଗର୍ଭପାତ ଭଳି ଏକ ପ୍ରସଙ୍ଗରେ ବଡ଼ ରାୟ ଦେଇଛନ୍ତି। ଗର୍ଭପାତକୁ ନେଇ ବିବାହିତ ଓ ଅବିବାହିତଙ୍କ ମଧ୍ୟରେ ଭେଦଭାବ ହୋଇ ପାରିବ ନାହିଁ ବୋଲି କହିଛନ୍ତି କୋର୍ଟ ।

ସୁପ୍ରିମ୍ କୋର୍ଟ ଆଇନ ଅନୁଯାୟୀ ଗର୍ଭପାତ କୁ ନେଇ ମହିଳାମାନଙ୍କ ପାଇଁ ଏକ ବଡ଼ ରାୟ ଶୁଣାଇଛନ୍ତି । ଗୁରୁବାର ସୁପ୍ରିମ୍ କୋର୍ଟ କହିଛନ୍ତି ଜଣେ ମହିଳା ବିବାହିତା ହୁଅନ୍ତୁ ବା ଅବି ବାହିତା ସେ ସୁରକ୍ଷିତ ଆଇନ ଅନୁଯାୟୀ ଗର୍ଭପାତ କରିପାରିବେ। ସର୍ବୋଚ୍ଚ ଅଦାଲତ ମେଡିକାଲ ଟର୍ମିନେଶନ ଅଫ୍ ପ୍ରେଗ୍ନାନ୍ସି ଆକ୍ଟ (MTPA) ୨୦୨୧ ସଂଶୋଧନ ଅନୁଯାୟୀ ବିବାହିତା ଓ ଅବିବାହିତାଙ୍କ ମଧ୍ୟରେ କୌଣସି ଭଦେଭାବ ରଖେନାହିଁ ।

ଗର୍ଭପାତ ପାଇଁ ଜଣେ ୨୫ ବର୍ଷିୟ ଅବିବାହିତ ମହିଳାଙ୍କ ଆବେଦନର ଶୁଣାଣି କରି ଜଷ୍ଟିସ ଡି ଓ୍ଵାଇ ଚନ୍ଦ୍ରଚୁଡଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । ଅଦାଲତ ଆହୁରି ମଧ୍ୟ କହିଛନ୍ତି ଯେ କେବଳ ବିବାହିତା ମହିଳାଙ୍କୁ ଅନୁମତି ମିଳିବା ଅବିବାହିତା ମହିଳାଙ୍କ ପାଇଁ ସମ୍ବିଧାନର ଅନୁଚ୍ଛେଦ ୧୪ ର ଉଲଂଘନ ଅଟେ ।

ଜବରଦସ୍ତ ଯୌନ ସମ୍ପର୍କ ରେପ ସହ ସମାନ

କୋର୍ଟ ଏହି ମାମଲାର ଶୁଣାଣି ବେଳେ କହିଛନ୍ତି ଯେ ପତି ଦ୍ୱାରା ଜୋର ଜବରଦସ୍ତ ଯୌନ ସମ୍ପର୍କ ମଧ୍ୟ ରେପ୍‌ ଶ୍ରେଣୀରେ ଆସୁଛି । କୋର୍ଟ କହିଛନ୍ତି, ଯେଉଁ ପତ୍ନୀମାନେ ନିଜର ପତିଙ୍କ ଜବରଦସ୍ତ ସମ୍ପର୍କରୁ ଗର୍ଭଧାରଣ କରନ୍ତି, ସେହି ମାମଲା ମଧ୍ୟ ମେଡିକାଲ ଟର୍ମିନେସନ ଅଫ୍‌ ପ୍ରେଗେନ୍ସି ରୁଲ ଅନ୍ତର୍ଭୁକ୍ତ ଅଟେ । ସେ ସୁରକ୍ଷିତ ଆଇନ ଅନୁଯାୟୀ ଗର୍ଭପାତ କରିପାରିବେ।

କେଉଁମାନେ ୨୪ ସପ୍ତାହ ଯାଏ ଗର୍ଭଧାରଣକୁ ସମାପ୍ତ କରି ପାରିବେ

• ରେପ୍‌ ବା ଯୌନ ଶୋଷଣର ଶିକାର ହୋଇଥିବା ପୀଡିତା

• ନାବାଳିକା

• ବିଧବା ଓ ଛାଡପତ୍ର ମହିଳା ଯଦି ଗର୍ଭାବସ୍ଥାରେ ଥିବେ

• ଶାରିରୀକ ଭାବେ ଦିବ୍ୟାଙ୍ଗ ମହିଳା

• ମାନସିକ ଭାବେ ରୋଗାଗ୍ରସ୍ତ ମହିଳା

• ଭୁଲ ବା ବିପଦପୂର୍ଣ୍ଣ ସ୍ଥିତିରେ ଗର୍ଭଧାରଣ କରିଥିବା ମହିଳା

କ’ଣ ପ୍ରକୃତ ମାମଲା

ପ୍ରକାଶଯୋଗ୍ୟ ଯେ ୨୫ ବର୍ଷିୟ ଜଣେ ଅବିବାହିତ ମହିଳା ଦିଲ୍ଲୀ ହାଇକୋର୍ଟରେ ନିଜର ୨୩ ସପ୍ତାହ ୫ ଦିନର ଗର୍ଭଧାରଣକୁ ନଷ୍ଟ କରିବା ପାଇଁ ଏକ ପିଟିସନ ଦାୟର କରିଥିଲେ । ମହିଳା ତାଙ୍କ ପିଟିସନରେ ଜଣାଇଥିଲେ ଯେ ଏକ ସହମତିରେ ତାଙ୍କର ଗର୍ଭଧାରଣ ହୋଇଥିଲା । ହେଲେ ବିବାହ ନହେବା କାରଣରୁ ସେ ଗର୍ଭକୁ ଜନ୍ମ ଦେବାକୁ ଚାହାଁନ୍ତି ନାହିଁ ।

ମହିଳା ଆହୁରି କହିଥିଲେ ଯେ ତାଙ୍କ ପୁରୁଷ ସାଥୀ ତାଙ୍କୁ ବିବାହ କରିବାକୁ ମନା କରିଦେଲେ । ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟ ମହିଳାଙ୍କୁ ମଧ୍ୟବର୍ତ୍ତିକାଳୀନ ରିଲିଫ ଦେବାକୁ ମନା କରିଦେଇଥିଲେ । ଫଳରେ ଯୁବତୀ ଜଣକ ସୁପ୍ରିମକୋର୍ଟରେ ମାମଲା ଦାୟର କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.