ରକ୍ତଚନ୍ଦନ ଗଛ ସବୁବେଳେ ରହୁଛି ଲୁଟେରାଙ୍କ ଟାର୍ଗେଟ୍‌ରେ, କାହିଁକି ଜାଣନ୍ତୁ

ଅତ୍ୟନ୍ତ ପବିତ୍ର କୁହାଯାଉଥିବା ଓ ଦେବ ପୂଜାରେ ବ୍ୟବହୃତ ଲାଲ ଚନ୍ଦନର ଚାହିଦା କେତେ ଆପଣ ଜାଣନ୍ତି । ଭାରତରେ ଏକ ଖାସ ସ୍ଥାନରେ ମିଳିଥାଏ ଲାଲ ଚନ୍ଦନ । ଆନ୍ଧ୍ର ପ୍ରଦେଶର ଶେଷାଚଲମର ପାହାଡିଆ ସ୍ଥାନରେ ମିଳିଥାଏ । ଏହାର କାଠର ବିଶେଷ ମହତ୍ୱ ରହିଛି । ବିଶେଷ କରି ଶିବ ଓ ଶକ୍ତି ପୂଜାରେ ପୂଜକ ରକ୍ତ ଚନ୍ଦନ ଲଗାଇବାର ବିଧି ରହିଛି । ଧଳା ଚନ୍ଦନରେ ସୁଗନ୍ଧ ଥାଏ କିନ୍ତୁ ରକ୍ତ ଚନ୍ଦନରେ କୌଣସି ବାସ୍ନା ନଥାଏ । ହେଲେ ଏହାର ଗୁଣ ଧଳା ଚନ୍ଦନ ଠାରୁ ଆହୁରି ଅଧିକ । ଔଷଧ ରୂପରେ ଏହାକୁ ବ୍ୟବହାର କରାଯିବା ସହ ସୁନ୍ଦରତା ପାଇଁ ମଧ୍ୟ ଏହା ବ୍ୟବହୃତ ହୁଏ ।

ଆମ ଦେଶ ଅପେକ୍ଷା ଚୀନରେ ଏହି ରକ୍ତ ଚନ୍ଦନ ଗଛର ଭାରି ଚାହିଦା ରହିଛି । ସେହି ଚାହିଦା ଦୃଷ୍ଟିରୁ ଏହି ଗଛର ଲୁଟେରା ମଧ୍ୟ ଅଧିକ । ସବୁଠୁ ବଡକଥା ଏଇଆ ଯେ ଏହି ଚନ୍ଦନ ଗଛର ସୁରକ୍ଷା ପାଇଁ ସ୍ପେଶାଲ ଟାସ୍କଫୋର୍ସ ଅଛନ୍ତି ।

ମହଙ୍ଗା ଆସବାବପତ୍ର ଏବଂ ସାଜସଜା ସହ ବାଦ୍ୟଯନ୍ତ୍ର କାମ ପାଇଁ ବି ରକ୍ତ ଚନ୍ଦନ କାଠର ଚାହିଦା ରହିଛି । ଏହା ବ୍ୟତୀତ ବିଭିନ୍ନ ସୌଖୀନ କାମରେ ମଧ୍ୟ ଏହି ରକ୍ତ ଚନ୍ଦନ କାଠ କାମରେ ଆସେ । ଅନ୍ତର୍ଜାତୀୟ ବଜାରରେ ଚନ୍ଦନ କାଠର ମୂଲ୍ୟ ବହୁତ ଅଧିକ । ଅନ୍ତର୍ଜାତୀୟ ଚୁକ୍ତିନାମା ଅନୁଯାୟୀ ନାଲି ଚନ୍ଦନ ଗଛର ସୁରକ୍ଷା ଭାରତର ଦାୟିତ୍ୱ । ଆନ୍ଧ୍ର ପ୍ରଦେଶର ଚିତ୍ତର, କୁଡାପା, ନେଲୋର, କିର୍ନୁଲର ଚାରିଟି ଜିଲ୍ଲାରେ ବ୍ୟାପିଥିବା ଶେଷାଚଲମ ପାହାଡରେ ଏହି ଗଛ ଦେଖିବାକୁ ମିଳେ । ଆନ୍ଧ୍ର ପ୍ରଦେଶର ଏହି ଜିଲ୍ଲା ଗୁଡିକ ତାମିଲନାଡୁ ସୀମା ସହ ଲାଗି ରହିଛି । ଲାଲ ଚନ୍ଦନ ଗଛ ଗୁଡିକ ପ୍ରାୟ ୮ରୁ ୧୧ ମିଟର ଉଚ୍ଚ କିନ୍ତୁ ଏହାର ଘନତା ଅଧିକ । ନାଲି ଚନ୍ଦନର ସବୁଠାରୁ ବଡ ପରିଚୟ ହେଉଛି ଏହା ପାଣିରେ ବୁଡ଼ିଯାଏ ।

ଏହାର ଚାହିଦା ଅଧିକ ଥିବାରୁ କାଠକୁ ବହୁ ପରିମାଣରେ ଚୋରାଚାଲାଣ କରାଯାଏ । ଶେଷାଚଲମର ପାହାଡ ସବୁ ପ୍ରାୟ ଅଢ଼େଇ ଲକ୍ଷ ହେକ୍ଟର ପରିସୀମାରେ ବ୍ୟାପିଛି । ତେବେ ଲୁଟେରାଙ୍କ ଯୋଗୁଁ ଏଠାରେ ମିଳୁଥିବା ସ୍ୱତନ୍ତ୍ର ଲାଲ ଚନ୍ଦନ ଗଛର ସଂଖ୍ୟା ୫୦ ପ୍ରତିଶତ ହ୍ରାସ ପାଇବାରେ ଲାଗିଲାଣି ।

୨୦୧୫ରେ ଏକ ଏନକାଉଣ୍ଟର ହୋଇଥିଲା । ଯେଉଁଥିରେ ୨୦ଜଣ ଚନ୍ଦନ କାଠ ଚୋରା ଚାଲାଣକାରୀ ନିହତ ହୋଇଥିଲେ । ଏହା ବ୍ୟତୀତ ବହୁ ଚୋରାଚାଲାଣକାରୀଙ୍କୁ ଗିରଫ କରାଯାଇଛି । ଯଦି କେହି ଲାଲ ଚନ୍ଦନ କାଠ ଚୋରାଚାଲାଣ କରି ଧରାପଡୁଛି ତେବେ ଦୋଷ ପ୍ରମାଣିତ ହେଲେ ତାକୁ ୧୧ବର୍ଷ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି ।

ଭାରତ ସରକାର ଏହି ଗଛକୁ ନେଇ କିଛ ନିୟମ ମଧ୍ୟ କରିଛନ୍ତି । ଯେମିତି କି ଯେକେହି ନିଜ ବାଡ଼ି ବଗିଚାରେ ଲାଲ ଚନ୍ଦନ ଗଛ ଲଗାଇ ପାରିବେ । ହେଲେ ୧୨ ବର୍ଷ ପୂର୍ବରୁ ଏହାକୁ କାଟି ପାରିବେ ନାହିଁ । କାଟିବା ବେଳେ ବନ ବିଭାଗର ଅନୁମତି ନେବେ । ଗଛ କଟାଗଲା ପରେ ଏହାକୁ ବନ ବିଭାଗ ବିକ୍ରି କରି ମାଲିକଙ୍କୁ ତା ବାବଦ ଅର୍ଥ ଦେବ ।

ଚୋରା ଚାଲାଣକାରୀମାନେ ଜଳ, ସ୍ଥଳ ଓ ଆକାଶ ମାର୍ଗରେ ଲାଲ ଚନ୍ଦନ ଚାଲାଣ କରନ୍ତି । ଧରା ନପଡିବା ପାଇଁ ଏମାନେ କାଠ ବଦଳରେ ଲାଲ ଚନ୍ଦନର ପାଉଡରକୁ ଚାଲାଣ କରିଥାନ୍ତି । ସରକାରୀ ଭାବେ ଯେତେବେଳେ ଚନ୍ଦନ କାଠ ନିଲାମ ହୁଏ ସେତେବେଳେ ବିଦେଶରୁ ଜାପାନ, ଚୀନ୍‌, ସିଙ୍ଗାପୁର, ଅଷ୍ଟ୍ରେଲିଆ, ସାଇଦି ଆରବ ସମେତ କିଛି ପାଶ୍ଚାତ୍ୟ ଦେଶର ବ୍ୟବସାୟୀ ଏହାକୁ କିଣିବାକୁ ଆସନ୍ତି । ତେବେ ସବୁଠାରୁ ଅଧିକ ଦାମ୍‌ ଦେଇ ଚୀନ୍‌ ବ୍ୟବସାୟୀମାନେ ଏହାକୁ କିଣି ନିଅନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.