ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କର ରହିଛି ୪୦ କୋଟିରୁ ଊର୍ଦ୍ଧ୍ୱ ସମ୍ପତ୍ତି, ପତ୍ନୀ ଡିମ୍ପଲ ଓ ଝିଅ ବି କୋଟିପତି

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ମୁଖ୍ୟ ବିରୋଧୀ ଦଳ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ମୈନପୁରୀର କରହଲ (ବିଧାନସଭା କ୍ଷେତ୍ର ୧୧୦) ସିଟ୍‌ରୁ ଲଢ଼ୁଛନ୍ତି। ସେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନରେ ଲଢ଼ୁଛନ୍ତି ଓ ସୋମବାର ଦିନ ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ନାମାଙ୍କନ ପତ୍ରରେ ଦିଆଯାଇଥିବା ସୂଚନା ମୁତାବକ, ଅଖିଳେଶ ଯାଦବ ମୋଟ ୪୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ସମ୍ପତ୍ତିର ମାଲିକ। ଏଥିରେ ବ୍ୟାଙ୍କରେ ଜମା ଟଙ୍କା ଓ ସମ୍ପତ୍ତି ଉଭୟ ରହିଛି।
ନାମାଙ୍କନ ପତ୍ରରେ ଅଖିଳେଶ ଯାଦବ ଦେଇଥିବା ସୂଚନା ଅନୁସାରେ, ତାଙ୍କର ଅଲଗା ଅଲଗା ବ୍ୟାଙ୍କ ଆକାଉଣ୍ଟରେ ୮.୪୩ କୋଟି ଟଙ୍କା ରହିଛି। ସେ ମୋଟ୍‌ ୧୭.୯୩ ଏକର ଜମିର ମାଲିକ, ଯାହାର ଦାମ୍‌ କୋଟି କୋଟି ଟଙ୍କା। ନିର୍ବାଚନ ଆୟୋଗଙ୍କୁ ଦେଇଥିବା ସୂଚନା ଅନୁସାରେ, ଅଖିଳେଶ ଯାଦବଙ୍କ ପାଖରେ ମୋଟ ୧୭.୨୨ କୋଟି ଟଙ୍କାର ଅଣକୃଷି ଭୂମି ଓ ଅନେକ ଘର ରହିଛି। ନାମାଙ୍କନର ସୂଚନା ଅନୁସାରେ, ଅଖିଳେଶ ଯାଦବଙ୍କ ଉପରେ ବ୍ୟାଙ୍କ ସମେତ ଅନ୍ୟ ଆଡ଼ୁ ମୋଟ୍‌ ୨୮.୯୭ ଲକ୍ଷ ଟଙ୍କାର ଋଣ ବୋଝ ରହିଛି।

ସେହିପରି ତାଙ୍କ ପତ୍ନୀ ଡିମ୍ପଲ ଯାଦବଙ୍କ ଆକାଉଣ୍ଟରେ ୫୮ ଲକ୍ଷ ୯୨ ହଜାର ଟଙ୍କା ରହିଛି। ବ୍ୟାଙ୍କରେ ଜମା ହୋଇଥିବା ଟଙ୍କା ବ୍ୟତୀତ ଅଖିଳେଶ ଯାଦବଙ୍କ ପତ୍ନୀଙ୍କର ୪ କୋଟି ୭୬ ଲକ୍ଷ ୮୪ ହଜାର ଟଙ୍କାର ଚଳ ସମ୍ପତ୍ତି ଓ ୧୦ କୋଟି ଟଙ୍କାର ଅଚଳ ସମ୍ପତ୍ତି ରହିଛି। ଏଥିରେ ଡିମ୍ପଲଙ୍କର ସୁନା ଗହଣା ବି ରହିଛି। ସେହିପରି ଅଖିଳେଶ ଯାଦବଙ୍କ ଝିଅ ଅଦିତି ଯାଦବଙ୍କ ପାଖରେ ୧୦ ଲକ୍ଷ ୩୯ ହଜାର ୪୧୦ ଟଙ୍କାର ସମ୍ପତ୍ତି ଅଛି।